ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ(ବିଏସ୍କେୱାଇ) ଥାଇ ବି ଚିକିତ୍ସା ବାବଦ ଟଙ୍କା ପାଇଁ ଘରୋଇ ଡାକ୍ତରଖାନାରେ ବନ୍ଧା ପଡ଼ିଛନ୍ତି ରୋଗୀ। ଅସ୍ତ୍ରୋପଚାର ବାବଦ ୩୫ହଜାର ଟଙ୍କା ନ ଦେଲେ ଡିସଚାର୍ଜ କରିବା ପାଇଁ ହସ୍ପିଟାଲ ମନା କରିଦେଇଛି। ବାଧ୍ୟହୋଇ ରୋଗୀ ହସ୍ପିଟାଲରେ ପଡ଼ି ରହିଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସିଆର୍ପି ଛକସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ। ବିଏସ୍କେୱାଇରେ କ୍ୟାସଲେସ୍ ବା ବିନା ଖର୍ଚରେ ଚିକିତ୍ସା ଦିଆଯାଉଥିବା ନେଇ ରାଜ୍ୟ ସରକାର ବାହାବା ନେଉଥିବା ବେଳେ ତୃଣମୂଳସ୍ତରରେ ଏହାର ଓଲଟା ଚିତ୍ର ନଜରକୁ ଆସୁଛି।
ବିଏମ୍ସିର ୯ନମ୍ବର ୱାର୍ଡ ଅଧୀନ ଗାଡ଼କଣରେ ରହୁଥିବା ସେକ ସକୁର ଗତ ଶୁକ୍ରବାର ଦିନ ପତ୍ନୀ ହୁସନାର ବେଗମଙ୍କ ପେଟ ଯନ୍ତ୍ରଣା ପାଇଁ ସିଆରପି ଛକସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରିଥିଲେ। ସେଠାରେ ପରୀକ୍ଷାନିରୀକ୍ଷା ପରେ ହୁସନାରଙ୍କ ପେଟରେ ଷ୍ଟୋନ୍ ହୋଇଥିବା ଜଣାପଡ଼ିଥିଲା। ତେଣୁ ତୁରନ୍ତ ଅସ୍ତ୍ରୋପଚାର କରିବା ପାଇଁ ଡାକ୍ତର କହିଥିଲେ। ଏଥିପାଇଁ ୩୫ରୁ ୪୦ ହଜାର ଟଙ୍କା ଖର୍ଚ ହେବ ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ କହିଥିଲେ। ହେଲେ ତାଙ୍କ ପାଖରେ ବିଏସ୍କେୱାଇ କାର୍ଡ ଥିବାରୁ ଏହା ଅନୁସାରେ ତାଙ୍କର ଆଡମିସନ ହୋଇଥିଲା। ଶନିବାର ତାଙ୍କର ଅସ୍ତ୍ରୋପଚାର କରାଗଲା। ହେଲେ ଆଜି ଡିସଚାର୍ଜ ବେଳକୁ କାର୍ଡରେ ଟଙ୍କା ଅନୁମୋଦନ ହେଉ ନ ଥିବା ହସ୍ପିଟାଲ୍ ପକ୍ଷରୁ କୁହାଯାଇଥିଲା। ଏଥିପାଇଁ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଯୋଗଯୋଗ କରିବାକୁ ରୋଗୀଙ୍କ ପରିବାର ଲୋକଙ୍କୁ କହିଥିଲେ ହସ୍ପିଟାଲ କର୍ତୃପକ୍ଷ।
ସକୁର ନିଜର କାର୍ଡ ଧରି ଯୋଗାଣ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ହେଲେ କାର୍ଡରେ କୌଣସି ସମସ୍ୟା ନ ଥିବା ଓ କାର୍ଡ ସକ୍ରିୟ ରହିଥିବା ଅଧିକାରୀ ଜଣାଇଥିଲେ। ପରବର୍ତୀ ସମୟରେ ସକୁର ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଏ ସଂପର୍କରେ କହିଲେ। ଯେହେତୁ ବିଏସ୍କେୱାଇରେ ଟଙ୍କା ଅନୁମୋଦନ ହୋଇପାରୁନି ତେଣୁ ଚିକିତ୍ସା ବାବଦ ସଂପୂର୍ଣ୍ଣ ବିଲ୍ ଭରଣା କରି ରୋଗୀକୁ ନେବା ପାଇଁ ହସ୍ପିଟାଲ୍ ପକ୍ଷରୁ ରୋକଠୋକ୍ କୁହାଯାଇଛି। ମାତ୍ର ହଠାତ୍ ଏତେ ଟଙ୍କା କେଉଁଠାରୁ ଯୋଗାଡ଼ କରିପାରିବେ ନାହିଁ ସକୁର ନିଜର ଅସମର୍ଥତା ପ୍ରକାଶ କରିଥିଲେ। ମାତ୍ର ହସ୍ପିଟାଲ କର୍ତୃପକ୍ଷ ଏଥିରେ ରାଜି ନ ହେବାରୁ ଡିସଚାର୍ଜ ନ ହୋଇ ପଡ଼ି ରହିଛନ୍ତି। ଯୋଗାଣ ବିଭାଗ ଅଧିକାରୀ ଚିତ୍ତରଂଜନ ବେହେରା କହିଛନ୍ତି ଯେ ସକୁରଙ୍କ ବିଏସ୍କେୱାଇ କାର୍ଡ ଠିକ୍ ଅଛି। ଚଳିତ ମାସ ୨୧ ତାରିଖରେ ପିଡିଏସ୍ ସାମଗ୍ରୀ ନେଇଛନ୍ତି। ତେଣୁ ଆମ ଅଫିସ୍ ତରଫରୁ କୌଣସି ସମସ୍ୟା ନାହିଁ। ସେ ଏନେଇ ବିଏସ୍କେୱାଇ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ। ଏ ସଂପର୍କରେ ବିଏସ୍କେୱାଇ ଅଧିକାରୀଙ୍କ ସହିତ ଯୋଗାଯୋଗ ସମ୍ଭବ ହୋଇନାହିଁ।