ଭୁବନେଶ୍ବର: ରାତି ୨ଟା ବାଜିସାରିଥିଲା। ସବୁଆଡ଼ ଶୂନ୍‌ଶାନ୍ ଥିଲା। କିନ୍ତୁ ଚନ୍ଦ୍ରଶେଖରପୁରର ସେହି ବାର୍‌ ସମ୍ମୁଖରେ ଚାଲିଥିଲା ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀ ଭିତରେ ଚାଲିଥିଲା ପିଟାପିଟି ଓ ଧସ୍ତାଧସ୍ତି। ରାସ୍ତାରେ ଗଡ଼ପଡ଼ା ହେଉଥିଲେ ଉଭୟ ଗୋଷ୍ଠୀ‌ର ଯୁବକ ଓ ଯୁବତୀ। ଉଭୟ ପକ୍ଷରୁ କିଛି ଆହତ ବି ହୋଇଥିଲେ। ପୋଷାକପତ୍ରର ଅବସ୍ଥା ନଥିଲା। କାହାର ଫାଡ଼ି ହୋଇ ଦେହରେ ଲାଗିଥିଲା ତ କାହାର ପୂରା ଦେହରୁ ବାହାରି ଯାଇଥିଲା। ବଡ଼ କଥା ହେଉଛି ପିସିଆର୍ ଭ୍ୟାନ୍‌ ସେହି ବାଟ ଦେଇ ଗଲା। କିନ୍ତୁ ସେମାନଙ୍କ ଆଡ଼କୁ ଚାହିଁଲା ନାହିଁ। ସଂଘର୍ଷରେ ମାତିଥିବା ଉନ୍ମାଦ ଯୁବକ ଯୁବତୀମାନେ ବି ପୁଲିସକୁ ଦେଖି ତିଳେ ମାତ୍ର ଖାତିର୍ କଲେ ନାହିଁ।

Advertisment

ପିଟାପିଟି ପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଧମକ ଦେଇ ଘଟଣାସ୍ଥଳ ଛାଡ଼ିଲେ। କେହି ଥାନାକୁ ଗଲେ ନାହିଁ କି ପୁଲିସ ନିଜ ଆଡ଼ୁ କିଛି କଲା ନାହିଁ। ମାମଲା ପବନରେ ମିଳେଇଗଲା। ଏହା କେବଳ ମାତ୍ର ଏକ ନମୁନା। କିନ୍ତୁ ବିଳମ୍ବିତ ରାତିରେ ରାଜଧାନୀର ବହୁ ବାର୍‌ରେ ଘଟୁଛି ଏମିତି ଘଟଣା। ନିଶବ୍ଦ ରାତିରେ ବାର୍‌ ଭିତରେ ଯୁବକ ଯୁବତୀମାନେ ମତୁଆଲା ହେଉଥିବା‌ ବେଳେ ବାର୍‌ରୁ ବାହାରି ବାହାରେ ଉତ୍ପାତ କରୁଛନ୍ତି।

ପଟିଆରୋଡ୍‌ରୁ ଆରମ୍ଭ କରି କଟକରୋଡ୍‌ ପର୍ଯ୍ୟନ୍ତ ସବୁଠି ବାର୍‌ଗୁଡ଼ିକ ବେଆଇନ ଭାବେ ବିଳମ୍ବିତ ରାତି ଯାଏ ଖୋଲାରହୁଛି। ନିୟମାନୁସାରେ ରାତି ୧୨ସୁଦ୍ଧା ବାର୍‌ ବନ୍ଦ ହେବାର ଥିଲେ ବି ରାତି ୩/୪ଟା ପର୍ଯ୍ୟନ୍ତ ଖୋଲା ରହୁଛି। ବାର୍‌ ଭିତରେ ମତୁଆଲା ମ୍ୟୁଜିକ୍‌ରେ ଝୁମିଝୁମି ବାହାରକୁ ଆସୁଥିବା ଯୁବକ ଯୁବତୀମାନେ ଉତ୍ପାତ କରୁଛନ୍ତି। କିଏ ନିଶାରେ ରାସ୍ତାରେ ଗଡ଼ିଲାଣି ତ କିଏ ଅନ୍ୟକୁ ଗାଳିଗୁଲଜ କରି ହାତାହାତି ହେଲାଣି। ପରିସ୍ଥିତି ଏମିତି ହୋଇଛି ଯେମିତି ବାର୍‌ଗୁଡ଼ିକ କମିସନରେଟ୍‌ ପୁଲିସ ଆୟତ୍ତରେ ନାହିଁ। ବାର୍‌ମାଲିକମାନେ ଖୋଲାଖୋଲି ନିୟମ ଉଲ୍ଲଂଘନ କରୁଥିଲେ ବି ପୁଲିସର କଟକଣା ନାହିଁ। ଚତୁରତାର ସହ ବାହାରୁ ସଟର୍‌ ବନ୍ଦ ରଖାଯାଉଛି ଓ ଭିତରେ ଜମୁଛି ରଙ୍ଗିନ୍‌ ମା‌ହୋଲ୍। ପୁଲିସ ସବୁ ଦେଖି ନ ଦେଖିବା ଭଳି ଅଭିନୟ କରୁଛି ବୋଲି ଅଭିଯୋଗ ହେଉଛି। ଏମିତିକି ସଲାସୁତୁରାରେ ଏସବୁ ଚାଲିଛି ବୋଲି ମଧ୍ୟ ଅଭିଯୋଗ ହେଉଛି।

ସକ୍ରିୟ ରହୁଛି ବାର୍‌ ଗ୍ୟାଙ୍ଗ

publive-image

ମିଳିଥିବ‌ା ସୂଚନାନୁସାରେ ବିଳମ୍ବିତ ରାତି ଯାଏ ବେଆଇନ ଭାବେ ବାର୍‌ ଚଳାଇବା ପାଇଁ କିଛି ଗ୍ୟାଙ୍ଗ୍‌ର ହାତ ରହିଛି। ସଙ୍ଗିନ୍‌ ତଥ୍ୟ ହେଉଛି, ବାର୍‌କୁ ଏହି ଗ୍ୟାଙ୍ଗ୍‌ ଯୁବତୀ ଓ ଗ୍ରାହକ ଯୋଗାଉଛନ୍ତି। ବାର୍‌କୁ ଗ୍ରାହକ ଓ ଯୁବତୀ ଯୋଗାଇବା ପାଇଁ ସେମାନେ ମାଲିକଙ୍କଠାରୁ ମୋଟା ଅଙ୍କ ପାଉଛନ୍ତି। ଯାହାକୁ ନେଇ ଗ୍ୟାଙ୍ଗ୍‌ ଗ୍ୟାଙ୍ଗ୍‌ ମଧ୍ୟରେ ଗଣ୍ଡଗୋଳ ଉପୁଜୁଛି। ରାସ୍ତା ଉପରେ ପିଟାପିଟି ହେବା ଯାଏ କଥା ଯାଉଛି। ଗ୍ରାହକ ଓ ଯୁବତୀ ଯୋଗାଇବା ପାଇଁ ଏବେ ପ୍ରତିଯୋଗିତା ତୀବ୍ର ହେବାରେ ଲାଗିଛି। ବଡ଼ କଥା ହେଉଛି କିଛି ଗ୍ୟାଙ୍ଗ୍‌ରେ ଯୁବତୀମାନଙ୍କ ସକ୍ରିୟ ଭୂମିକା ଥିବା ଜଣାପଡ଼ିଛି। ସେମାନେ ହିଁ ବାର୍‌ଗୁଡ଼ିକୁ ନିଜ ନିୟନ୍ତ୍ରଣରେ ରଖିଥିବା ଜଣାପଡ଼ିଛି।

ଜମୁଛି ଅପରାଧୀଙ୍କ ଆଡ଼ା

ବିଳମ୍ବିତ ରାତି ଯାଏ ବାର୍‌ ଖୋଲା ରହିବା ହିଁ ଅପରାଧୀମାନଙ୍କୁ ସୁହାଉଛି। ପାଖରେ ବନ୍ଧୁକ, ଭୁଜାଲି, ଛୁରି, କାତି ରଖି ଗ୍ରାହକ ବେଶରେ ବାର୍‌ରେ ପଶୁଛନ୍ତି। ଭିତରେ ନିଜେ ମତୁଆଲା ହେବା ପରେ ବାହାରକୁ ଆସି ଗଣ୍ଡଗୋଳ କରିବା ବାହାନାରେ ଲୁଟ୍‌ପାଟ୍‌ କରୁଛନ୍ତି। ବହୁ ସମୟରେ ନିଶାସକ୍ତ ଯୁବତୀଙ୍କୁ ନେଇ ବାରର୍‌ ଭିତରେ ଗଣ୍ଡଗୋଳ ହେଉଛି ଓ ଉପସ୍ଥିତ ଅପରାଧୀମାନେ ଏହାର ଫାଇଦା ଉଠାଉଛନ୍ତି।

ଏଣିକି କଡ଼ା କାର୍ଯ୍ୟାନୁଷ୍ଠାନ

ଏନେଇ ନୂଆ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ଏଣିକି ବାର୍‌ ନିୟମକୁ କଡ଼ାକଡ଼ି କରାଯିବ। ଏଥିପାଇଁ ସ୍ବତନ୍ତ୍ର ଭାବେ ଗାଇଡ୍‌ଲାଇନ୍‌ ବି ଜାରି କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦରକାର ପଡ଼ିଲେ, ସେମାନଙ୍କ ଲାଇସେନ୍ସ ରଦ୍ଦ କରାଯିବ ବୋଲି ସେ କହିଛନ୍ତି।