ପୁରୁଣା ଭୁବନେଶ୍ବର: ପୁରୁଣା ଭୁବନେଶ୍ବର ରଥ ରୋଡରେ ଡ୍ରେନେଜ୍ ସମସ୍ୟା ସୁଧୁରୁନି। ସାମାନ୍ୟ ବର୍ଷା ହେଲେ ରାସ୍ତାରେ ଦୁଇ ଫୁଟ୍ ଉଚ୍ଚର ପାଣି ଜମୁଛି। ଲଗାଣ ବର୍ଷାରେ ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। ପାଣି ଜମିବାରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଆସୁଥିବା ପର୍ଯ୍ୟଟକ ହୀନସ୍ତା ହେଉଛନ୍ତି। ଡ୍ରେନ୍ ଓ ରାସ୍ତା ଏକାକାର ହୋଇଯାଇଥିବାରୁ ଲୋକଙ୍କ ଗାଡ଼ି ଡ୍ରେନ୍ ଭିତରକୁ ଗଳି ପଡ଼ି ଦୁର୍ଘଟଣା ଘଟୁଛି। ଲୋକଙ୍କ ଘରେ ପାଣି ପଶୁଛି। ବର୍ଷା ଦିନ ଆରମ୍ଭରୁ ଏଭଳି ସମସ୍ୟା ଲାଗି ରହିଥିଲେ ହେଁ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ନଦେବା ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି।
ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏହି ରାସ୍ତା ଦେଇ ଯାଇଥା’ନ୍ତି। ପ୍ରଭୁ ଲିଙ୍ଗରାଜ ମଧ୍ୟ ଏହି ରାସ୍ତା ଦେଇ ମାଉସୀ ମା’ ମନ୍ଦିରକୁ ଆସିଥା’ନ୍ତି। ଚଳଚଞ୍ଚଳ ତଥା ବିଭିନ୍ନ ଦୃଷ୍ଟିରୁ ଗୁରୁତ୍ବ ବହନ କରୁଥିବା ଏହି ରାସ୍ତା ଅବସ୍ଥା କିନ୍ତୁ ବର୍ଷା ହେଲେ ବେହାଲ ହୋଇଯାଉଛି। ବର୍ଷା ଦିନ ପୂର୍ବରୁ ଡ୍ରେନ୍ ଗୁଡ଼ିକୁ ସଫା କରାଯାଇନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ରଥ ରୋଡର ଦୁଇ କଡ଼ରେ ଡ୍ରେନ୍ ନିର୍ମାଣ କରାଯାଇଛି। ହେଲେ ମାଉସୀ ମା’ ଛକଠାରୁ ବଡ଼ ଡ୍ରେନ୍ ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ଡ୍ରେନ୍କୁ ଜବରଦଖଲ କରାଯାଇଛି। ବର୍ଷା ପୂର୍ବରୁ ବିଏମ୍ସି ପକ୍ଷରୁ ଦୁଇ ଚାରୋଟି ସ୍ଥାନରେ ସ୍ଲାବ୍ କାଢ଼ି ଲୋକ ଦେଖାଣିଆ ସଫା କରାଯାଇଥିଲା। କିନ୍ତୁ ତୁରନ୍ତ ଆବର୍ଜନା ଉଠା ନଯିବାରୁ ସେସବୁ ପୁଣି ଡ୍ରେନ୍ ଭିତରେ ପଶିଲା। ଏଥିସହ ଦୁଇ କଡ଼ରେ ଥିବା ଡ୍ରେନ୍ରେ ବର୍ଷା ପାଣି ଯିବା ପାଇଁ ବ୍ୟବସ୍ଥା ନାହିଁ। ତେଣୁ ସାମାନ୍ୟ ବର୍ଷା ହେଲେ ରାସ୍ତାରେ ପାଣି ଜମୁଛି।
ରଥରୋଡ ଅସୁଲକିଆରୀ ପାଖରେ ୭ ନମ୍ବର ଡ୍ରେନ୍ ଯାଇଛି। ଏହି ବଡ଼ ଡ୍ରେନ୍ ବରମୁଣ୍ଡା ଅଞ୍ଚଳରୁ ବାହାରି ନବୀନ ନିବାସ ପଛପଟ, ପୁରୁଣା ଭୁବନେଶ୍ବରର ରଥରୋଡ୍ର ଅସୁଲକିଆରୀଠାରେ ରାସ୍ତା ପାର୍ ହୋଇ କେଦାରଗୌରୀ ଛକ, କୋଟିତୀର୍ଥ ରୋଡ୍, ଲୁଇସ୍ ରୋଡ୍ ଦେଇ ଗଙ୍ଗୁଆ ନାଳରେ ମିଶିଛି। ପୁରୁଣା ଭୁବନେଶ୍ବରର ନର୍ଦ୍ଦମା ପାଣି ଏହି ଡ୍ରେନ୍ ଦେଇ ଯାଇଥାଏ। କିନ୍ତୁ ବର୍ଷ ବର୍ଷ ଧରି ଏହି ଡ୍ରେନ୍କୁ ଭଲ ଭାବେ ସଫା କରାଯାଇନାହିଁ। ଅନ୍ୟପଟେ ରଥରୋଡ ଅସୁଲକିଆରୀ ନିକଟରେ କଲ୍ଭର୍ଟ କାମ କରାଯାଉଥିବାରୁ କଡ଼ରେ ବାଲି ବସ୍ତା ଓ କାଠ ବହ୍ଲା ଦ୍ବାରା ବନ୍ଧ ବନ୍ଧା ଯାଇଛି। ଯାହା ଫଳରେ ପାଣି ଯିବାରେ ବାଧା ଉପୁଜୁଛି। ଅନ୍ୟପଟେ ରଥରୋଡରେ ‘ୱାଟ୍କୋ’ କରୁଥିବା ସ୍ବେରେଜ୍ କାମ ସରୁନାହିଁ। ଗତ ୬ ମାସ ମଧ୍ୟରେ ତିନି ମୁଣ୍ଡିଆ ଛକରୁ ଗୋସାଗରେଶ୍ବର ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଆସିଛି। ଏହା କେବେ ଶେଷ ହେବ ତା’ର କୌଣସି ଠିକ୍ ଠିକଣା ନାହିଁ। ଏନେଇ ବିଏମ୍ସି ଡ୍ରେନେଜ୍ ଡିଭିଜନର ଗୌତମ ଦାସଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।