ଅନ୍‌ଲାଇନ୍ ଗେମିଂକୁ ନେଇ ବଢ଼ୁଛି ବିପଦ, ଫ୍ରି ଫାୟାର୍‌ରେ ବାରମ୍ବାର ହାରିବା ଯୋଗୁଁ ଯଶୋବନ୍ତ କରିଥିଲେ ଆତ୍ମହତ୍ୟା!

ବାରଣ ନୁହେଁ, ସାଙ୍ଗ ଭାବେ ମିଶି ପିଲାଙ୍କୁ ମାତ୍ରାଧିକ ଖେଳକୁ ବନ୍ଦ କରନ୍ତୁ: ମନସ୍ତତ୍ତ୍ବବିଦ୍

ଭୁବନେଶ୍ବର: ମହାମାରୀ କରୋନାର ଦ୍ବିତୀୟ ଲହର ଉଗ୍ର ହେଉଥିବାରୁ ସଂକ୍ରମଣ କମ୍ କରିବା ପାଇଁ ସରକାର ପୁଣିଥରେ ଲକ୍‌ଡାଉନ୍, ସଟ୍‌ଡାଉନ୍ ରଣନୀତି ଆପଣେଇଛନ୍ତି। ସ୍କୁଲ୍, କଲେଜ୍, ମଲ୍, ଖେଳ ପଡ଼ିଆ, ପାର୍କ ଆଦି ବନ୍ଦ ରହୁଥିବାରୁ ବରିଷ୍ଠଙ୍କଠାରୁ କନିଷ୍ଠ, ସମସ୍ତେ ଏବେ ସମୟ ଅତିବାହିତ ପାଇଁ ସ୍ମାର୍ଟଫୋନ୍‌କୁ ସାଥୀ କରିଛନ୍ତି। ତେବେ ନିକଟରେ ଖାରବେଳନଗର ଅଞ୍ଚଳରେ ୧୨ବର୍ଷର ଜଣେ ନାବାଳକ ଯଶୋବନ୍ତ ମାତ୍ରାଧିକ ଅନଲାଇନ୍ ଗେମ୍ ଖେଳି ବିଫଳ ହେବା ପରେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେବା ଆଲୋଡ଼ନ ସୃଷ୍ଟି କରିଛି। ଦୁଇଦିନ ତଳେ ଯଶୋବନ୍ତ ଅନଲାଇନ୍‌ ଗେମ୍‌ ଖେଳି ଆତ୍ମହତ୍ୟା କରିଥିବା ଖବର ଆସିଥିଲା। ଏହାକୁ ନେଇ ଯଶୋବନ୍ତର ପରିବାର ଭାଙ୍ଗି ପଡ଼ିଛନ୍ତି। କେଉଁ ଗେମ୍ ଖେଳିବା ଯୋଗୁଁ ସେ ଏଭଳି କଠୋର ନିଷ୍ପତ୍ତି ନେଇଥିଲା, ପୁଲିସ ତାହାର ତଦନ୍ତ କରୁଛି। ତେବେ ଯଶୋବନ୍ତ ଫ୍ରି-ଫାୟାର ନାମକ ଏକ ଅନ୍‌ଲାଇନ୍ ଗେମ୍ ଖେଳୁଥିଲା ଏବଂ ଏଥିରେ ବାରମ୍ବାର ହାରିବା ଯୋଗୁଁ ସେ ଏପରି କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଏହା ସମସ୍ତ ଅଭିଭାବକଙ୍କ ପାଇଁ ଏକ ସତର୍କ ଘଣ୍ଟି ବୋଲି ବିଚାର କରାଯାଉଛି।

୨୦୧୮ର ବ୍ଲୁ-ହ୍ବେଲ୍ ଗେମ୍‌ ଯୋଗୁଁ ଅନେକ ଯୁବକ, ଯୁବତୀ ଏମିତି ଆତ୍ମହତ୍ୟା କରିଥିଲେ। ପରେ ବ୍ଲୁ-ହ୍ବେଲ୍ ଗେମ୍‌କୁ ନିଷିଦ୍ଧ କରାଯାଇଥିଲା। ତେବେ ଏ ନେଇ ଅନୁସନ୍ଧାନ କରିଥିବା ସାଇବର୍ ବିଶେଷଜ୍ଞ ଆକାଶ ମିଶ୍ର କହନ୍ତି, କେବଳ ବ୍ଲୁ-ହ୍ବେଲ୍ ଗେମ୍‌କୁ ବନ୍ଦ କରିଦେଲେ ଯେ ପିଲାମାନେ ଆତ୍ମହତ୍ୟା ବନ୍ଦ କରିଦେବେ, ତା’ ନୁହେଁ। ଏମିତି ଆହୁରି ଅନେକ ଗେମ୍ ଅଛି, ଯାହା ଛୋଟ ପିଲାଙ୍କ ମାନସିକ ସ୍ଥିତିକୁ ନେଇ ତିଆରି ହୋଇଥାଏ। ଏହା ବ୍ୟତୀତ ଏହି ଗେମ୍‌ଗୁଡ଼ିକରେ କିପରି ଅଧିକ ଜିତିହେବ ବା ସଫଳତା ପାଇହେବ, ସେ ନେଇ ୟୁ-ଟ୍ୟୁବ୍‌ରେ କିଛି ୟୁଜର୍ସ ଏହି ଗେମ୍ ନେଇ କିଛି ଭିଡିଓ ପ୍ରସ୍ତୁତ କରି ସେୟାର କରନ୍ତି। ଯାହାକୁ ପିଲାମାନେ ଅନୁସରଣ କରି ଖେଳନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏକ ଭିଡିଓ ତିଆରି ବେଳେ ଜଣେ ୟୁଜର୍ସ ଗେମ୍ ବିଷୟରେ ସଂପୂର୍ଣ୍ଣ ତଥ୍ୟ ଦେବା ପରେ କହୁଛନ୍ତି, ତୁମେ ଯଦି ଏହି ରଣନୀତି ବା କୌଶଳ ଆପଣାଇଲା ପରେ ବି ଜିତି ପାରୁନ, ତେବେ ଆତ୍ମହତ୍ୟା କରିଦେବା ଆବଶ୍ୟକ। ଏହି ଭିଡିଓକୁ ନେଇ ସେତେବେଳେ ଶ୍ରୀ ମିଶ୍ର ରିପୋର୍ଟ କରିବା ସହିତ ୟୁ-ଟ୍ୟୁବ୍‌ରୁ ହଟାଇବାକୁ ଅଭିଯୋଗ ଆଣିଥିଲେ। ଏହାକୁ ପରବର୍ତ୍ତୀ ସମୟରେ ହଟାଇ ଦିଆଯାଇଥିଲା। ଯଶୋବନ୍ତଙ୍କ କ୍ଷେତ୍ରରେ ଏହି ସମାନ ଘଟଣା ନ ଘଟିଲେ ବି ଅଧିକ ଜିତିବାକୁ ନେଇ ସବୁବେଳେ ଚାପରେ ରହି ସେ ଏଭଳି ନିଷ୍ପତ୍ତି ନେଇ ଥାଇ ପାରନ୍ତି ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ଅପରପକ୍ଷରେ ମନସ୍ତତ୍ତ୍ବବିତ୍ ପ୍ରଫେସର୍‌ ପ୍ରକାଶ କୁମାର ରଥ କହିଛନ୍ତି, ବର୍ତ୍ତମାନ ଯୁଗରେ ସ୍ମାର୍ଟଫୋନ୍‌କୁ ଛାଡ଼ି ଆଗକୁ ବଢ଼ିବା ଏକପ୍ରକାର ଅସମ୍ଭବ। ପିଲାଙ୍କ ପାଠପଢ଼ାଠୁ ଆରମ୍ଭ କରି ଅଫିସ୍ କାମ ପର୍ଯ୍ୟନ୍ତ ସବୁ କିଛି ଏହା ମାଧ୍ୟମରେ ସାଧନ ହେଉଛି। ତେଣୁ ପିଲାକୁ ସ୍ମାର୍ଟଫୋନ୍ ବ୍ୟବହାର ସମୟରେ ଅଭିଭାବକମାନେ ମନିଟରିଂ କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଏହାସହ କୌଣସି ଜିନିଷ ନ କରିବାକୁ ଯଦି ବାରଣ କରାଯାଏ, ତେବେ ତାକୁ କରିବାକୁ ମନରେ ଆହୁରି ଅଧିକ ଇଚ୍ଛା ବା ଆଗ୍ରହ ଆସେ। ତେଣୁ ତା’କୁ ସଂପୂର୍ଣ୍ଣ ବାରଣ କରିବା ପରିବର୍ତ୍ତେ ପିଲାଙ୍କ ସହ ସାଙ୍ଗ ଭାବେ ମିଶି ଗେମ୍ ଖେଳିବାକୁ ସୀମିତ ସମୟ ଦେବାକୁ ଶ୍ରୀ ରଥ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର