ଭୁବନେଶ୍ବର: ଗୁରୁଙ୍କ ବିନା ଜୀବନ ଅଚିନ୍ତନୀୟ, ଅକଳ୍ପନୀୟ। ଜଣେ ଭଲ ଗୁରୁ ନ ମିଳିଲେ, ମଣିଷ ଜୀବନର ସାର୍ଥକତା ପ୍ରତିପାଦିତ ହୋଇପାରେ ନାହିଁ। ଗୁରୁଙ୍କ ହାତ ଧରି ବାଟ ଚାଲିଲେ, ଜୀବନରେ ବିଫଳତା ପାଖ ମାଡ଼େନା। ପ୍ରତ୍ୟେକ ବ୍ୟକ୍ତିଙ୍କ ସଫଳତା ପଛରେ ତା’ ଗୁରୁଙ୍କ ହାତ ରହିଥାଏ; ଏକଥାକୁ କେହି ଅସ୍ବୀକାର କରିପାରିବେ ନାହିଁ। ପବିତ୍ର ଗୁରୁଦିବସ ଅବସରରେ ଛାତ୍ର ସମାଜକୁ ଉଚିତ ଦିଗ୍ଦର୍ଶନ ଦେଇ ଆସୁଥିବା ସେମିତି କିଛି ଗୁରୁଙ୍କୁ ଆଜି ‘ସମ୍ବାଦ’ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।
ଗୁରୁ ସମାଜର ସବୁଠାରୁ ଦୃଢ଼ ସ୍ତମ୍ଭ
ସମାଜରେ ଗୁରୁ ହିଁ କେବଳ ସତ ଓ ମଜଭୁତ ସ୍ତମ୍ଭ। ସେ ହେଉଛନ୍ତି ଦେଶର ଭବିଷ୍ୟତ ଗଠନର କର୍ଣ୍ଣାଧାର। ଜଣେ ଛାତ୍ର ଯଦି ଗୁରୁଙ୍କୁ ଉଚିତ ସମ୍ମାନ ଦେଇନି, ସେ ଜୀବନରେ କୌଣସି କାର୍ଯ୍ୟ କରିପାରିବ ନାହିଁ। ଆଦିକାଳରୁ ଆମ ଦେଶର ସଂସ୍କୃତିରେ ଗୁରୁ-ଛାତ୍ର ସଂପର୍କ ଖୁବ୍ ମଧୁର।
ବିଷ୍ଣୁମୋହନ ମହାନ୍ତି, ରୟାଲ କଲେଜ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି
ଗୁରୁ ଶିଷ୍ୟ ପରମ୍ପରା ଆମ ସଂସ୍କୃତି
ଆମେ ସମସ୍ତେ ଗୁରୁଶିଷ୍ୟ ପରମ୍ପରା ସହ ଜଡ଼ିତ। ଏହା ଆମର ସଂସ୍କୃତି। ମା’ ହେଉଛନ୍ତି ଆମର ପ୍ରଥମ ଗୁରୁ। ସେ ପିଲାକୁ ଜନ୍ମ ଦେବା ପରେ ଯେଉଁ ଭଳି ଶିଖାଇବେ ସେହି ଭଳି ପିଲା ଆଜୀବନ ବ୍ୟବହାର କରିବ। ତେଣୁ ପ୍ରତିଟି ପିଲାର ସଫଳତାରେ ମାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ।
ବିଥିବାଳା ଆଚାର୍ଯ୍ୟ, ଟିଏସ୍ଜି ଗୁରୁକୁଳ
ଶିକ୍ଷକ ବିଦ୍ୟା ଓ ଜ୍ଞାନ ମଧ୍ୟରେ ଭେଦ ଜାଣିବା ଆବଶ୍ୟକ
ଗୁରୁ-ଶିଷ୍ୟର ପରମ୍ପରା ଆଜିର ନୁହେଁ, କେଉଁ ଆବାହମାନ କାଳର। ଗୁରୁ ଏଭଳି ହେବା ଦରକାର, ଯିଏ ଶିଷ୍ୟଙ୍କୁ ସମାଜରେ ଜଣେ ପ୍ରତିଷ୍ଠିତ ଓ ସାମଜିକ ବ୍ୟକ୍ତି ହେବାରେ ସାହାଯ୍ୟ କରିପାରିବ। ଶିକ୍ଷକମାନେ ବିଦ୍ୟା ଓ ଜ୍ଞାନ ମଧ୍ୟରେ ବିଭେଦ ଜାଣିବା ଆବଶ୍ୟକ। ଶିକ୍ଷକମାନେ ବିଦ୍ୟା ଅପେକ୍ଷା ଜ୍ଞାନକୁ ଅଧିକ ପ୍ରାଥମିକତା ଦେବା ଆବଶ୍ୟକ।
ଚନ୍ଦ୍ରଭାନୁ ଭୂୟାଁ, କ୍ବେଷ୍ଟ
ଗୁରୁ-ଶିଷ୍ୟ ମଧ୍ୟରେ ସ୍ବତନ୍ତ୍ର ଓ ନିବିଡ଼ ସଂପର୍କ ରହିବା ଉଚିତ
ଗୁରୁ-ଶିଷ୍ୟ ମଧ୍ୟରେ ସଂପର୍କ ସ୍ବତନ୍ତ୍ର ଓ ନିବିଡ଼। ଏ ସଂପର୍କ କେବଳ ଶ୍ରେଣୀଗୃହ ମଧ୍ୟରେ ସୀମିତ ନ ରହିବା ଉଚିତ। ଶିକ୍ଷକ ଜଣେ ଛାତ୍ରକୁ ଚରିତ୍ର ଶିକ୍ଷା ଦେବା ସହ ଜୀବନ ମନ୍ତ୍ର ଦେବା ଅବଶ୍ୟକ।
ମେଘନା ସିଂହଦେଓ, ଏକାମ୍ର ବାଟିକା
ଗୁରୁ-ଶିଷ୍ୟ ସଂପର୍କର ଆଧାର ‘ବିଶ୍ବାସ’
ଗୁରୁ-ଶିଷ୍ୟ ସଂପର୍କ ମଧ୍ୟରେ ବିଶ୍ବାସ ରହିବା ନିହାତି ଦରକାର। ବିଶ୍ବାସ ରହିଲେ ଗୁରୁ-ଶିଷ୍ୟ ମଧ୍ୟରେ ରହିଥିବା ଦୂରତା କମ୍ ହୋଇପାରିବ ଓ ଏକ ଉତ୍ତମ, ସୁସ୍ଥ ଓ ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ଗଢ଼ା ଯାଇପାରିବ।
ଦେବାଶିଷ ମହାପାତ୍ର, ଜୁପିଟର ପ୍ଲବିକ୍ ସ୍କୁଲ