ଭୁବନେଶ୍ୱର: ଗ୍ରାମାଞ୍ଚଳରେ ଅଧାରୁ ଅଧିକ (୫୦.୭୮%) ଉଦ୍ୟୋଗୀ ମାଟ୍ରିକ୍ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ମାତ୍ର ୧୭.୯୬% ସ୍ନାତକ ଏବଂ ୨.୩୪% ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରେ ଆବଶ୍ୟକ ଦକ୍ଷତାର ଅଭାବ ରହିଛି। ସ୍ବାବଲମ୍ବୀ ଫାଉଣ୍ଡେସନର ଅଟଳ ଆତ୍ମନିର୍ଭର କେନ୍ଦ୍ର ପକ୍ଷରୁ କୋରାପୁଟ, କଳାହାଣ୍ଡି, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାର ୧୨୮ ଉଦ୍ୟୋଗୀ ଓ ୨୮୪ ସମ୍ଭାବ୍ୟ ଉଦ୍ୟୋଗୀଙ୍କୁ ନେଇ କରାଯାଇଥିବା ଏକ ସର୍ବେକ୍ଷଣରୁ ଏହା ଜଣାପଡ଼ିଛି।
ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୯୧ ଜଣ (୭୧.୦୯%) ଉଦ୍ୟୋଗୀ ଦକ୍ଷତା ବୃଦ୍ଧି ପାଇଁ ଇଚ୍ଛା ପ୍ରକାଶ କରିଥିବା ବେଳେ, ୬୦% ନେଟ୍ୱର୍କିଂ, ୫୧.୫୫% ଆର୍ଥିକ ସହାୟତା ଓ ୬୨.୫% ଉଦ୍ୟୋଗୀ ବଜାର ସହଯୋଗ ଲୋଡ଼ିଥିଲେ। ଅନ୍ୟପକ୍ଷରେ, ୧୬୬ ଜଣ (୫୮.୪୫%) ସମ୍ଭାବ୍ୟ ଉଦ୍ୟୋଗୀ ସହଯୋଗୀ ସଂସ୍ଥାର ସହଯୋଗ ଲୋଡ଼ିଥିବାବେଳେ, ୧୬୦ ଜଣ (୫୬.୩୩%) ଆର୍ଥିକ ସହାୟତା ଏବଂ ୧୫୯ ଜଣ (୫୫.୯୮%) ସେମାନଙ୍କ ଉତ୍ପାଦକୁ ମାର୍କେଟିଂ କରିବା ପାଇଁ ସାହାଯ୍ୟ ଦରକାର ବୋଲି କହିଥିଲେ।
୪୪ ଜଣ (୩୭.୩୭%) ଉଦ୍ୟୋଗୀ ବ୍ୟାଙ୍କରୁ ଋଣ ମିଳିଥିବାବେଳେ କହିଥିବା ବେଳେ ୩୩ ଜଣ (୨୫.୭୮%) ଉଦ୍ୟୋଗୀ ଋଣ ପାଇବାରେ ଅସଫଳ ହୋଇଥିବା କହିଛନ୍ତି। ଏହି ସର୍ବେକ୍ଷଣରେ ଅଂଶଗ୍ରହଣ ୩ ଜଣ (୧୦%) ଉଦ୍ୟୋଗୀ କୌଣସି ପ୍ରକାର ତାଲିମ ନେଇଥିବାବେଳେ ୪୭% ଉଦ୍ୟୋଗୀ କହିଥିଲେ ଯେ ସେମାନଙ୍କ ଉଦ୍ୟୋଗରେ ଦକ୍ଷ କର୍ମଚାରୀଙ୍କ ଘୋର ଅଭାବ ରହିଛି। ଉଦ୍ୟୋଗ ଗୁଡିକ କ୍ଷୁଦ୍ର ଉଦ୍ୟୋଗ ହେବା ସହ ସେଥିରେ ସ୍ୱଳ୍ପ ପୁଞ୍ଜି ବିନିଯୋଗ ଓ ସେଥିରୁ ସ୍ୱଳ୍ପ ଆୟ ହେଉଥିବା ସର୍ବେକ୍ଷଣରୁ ଜଣାପଡ଼ିଛି। ତେବେ କୃଷି ଓ ତତ୍ ସଂକ୍ରାନ୍ତୀୟ ଉଦ୍ୟୋଗ(୩୦) ତଥା ସେବା କ୍ଷେତ୍ରରେ ବିନିଯୋଗ କରିଥିବା ୨୬ ଜଣ ଉଦ୍ୟୋଗୀ ବାର୍ଷିକ ୧ ଲକ୍ଷରୁ ଅଧିକ ଆୟ କରୁଥିବା ଦେଖିବାକୁ ମିଳିଥିଲା। ଉଭୟ ଉଦ୍ୟୋଗୀ ଓ ସମ୍ଭାବ୍ୟ ଉଦ୍ୟୋଗୀମାନେ ଭିତ୍ତିଭୂମି, ଦକ୍ଷତା ତାଲିମ, ଆର୍ଥିକ ଏବଂ ବଜାରରେ ସହଯୋଗ ଆବଶ୍ୟକ ଥିବା କହିଥିବା ବେଳେ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତି ଏବଂ ପ୍ରକଳ୍ପ ଗୁଡ଼ିକର ଠିକ ସମୟରେ ଅନୁମୋଦନ ପାଇଁ ସହଯୋଗ ଲୋଡ଼ିଥିଲେ।
ସ୍ବାବଲମ୍ବୀ ଫାଉଣ୍ଡେସନ ପକ୍ଷରୁ ଆଜି ହୋଟେଲ ସ୍ବସ୍ତି ପ୍ରିମିୟମ୍ରେ ଏକ ସାମ୍ବାଦିକ ସମ୍ମିଳନୀରେ ସର୍ବେକ୍ଷଣ ବିଷୟରେ ଫାଉଣ୍ଡେସନର କର୍ମକର୍ତ୍ତା ଅମିୟ କୁମାର ବେହେରା, ଶିଶିର ସାହୁ, ନିନା ସିଂହ, ରମେଶ ଚନ୍ଦ୍ର ବିଶ୍ବାଳ, ସେବତୀ ସିଂହ, ଜଗନ୍ନାଥ ମିଶ୍ର ପ୍ରମୁଖ ଏହି ସୂଚନା ଦେଇଛନ୍ତି। ଏହି ସର୍ବେକ୍ଷଣରେ ଉଦ୍ୟୋଗୀଙ୍କ ଠାରୁ ପ୍ରଶ୍ନପତ୍ର ମାଧ୍ୟମରେ ତଥ୍ୟ ସଂଗ୍ରହ କରାଯାଇ ଥିଲା। ସାକ୍ଷରତା, ଶ୍ରମଜୀବୀଙ୍କ ଅଂଶଗ୍ରହଣ ଓ ରାଜ୍ୟରେ ସମୁଦାୟ ବେରୋଜଗାରଙ୍କ ସଂଖ୍ୟା ଆଦି ମାଧ୍ୟମିକ ତଥ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ରେକର୍ଡରୁ ସଂଗ୍ରହ କରାଯାଇଥିଲା।