ରାସନ୍ କାର୍ଡ ଅଛି, ଚାଉଳ ଆଣିବାକୁ ପଇସା ନାହିଁ, ଭବିଷ୍ୟତ ଗଢ଼ିବା ବୟସରେ ପରିବାର ପାଇଁ ଦାନା ଯୋଗାଡ଼ୁଛନ୍ତି ମାମାଲି

ଭୁବନେଶ୍ବର: ‘ହେଇ ହେଇ ଭୋଗେଇ ଆଇଲା, ପାଣି ପକାଅ…। ତାକୁ ଘରୁ ବାହାର କର। ସବୁ ବେଳେ ଖାଲି ଘରେ ପଶି ଯାଉଛି…। ଏମିତି ନାନା ରକମର ବାର କଥା। ଯା ପିଣ୍ଡାକୁ ଗଲା, ସିଏ ପଦେ ପଦେ ଶୁଣେଇ ପାଣି ପକେଇ ଘଉଡ଼ାଇଲା। ମାଆକୁ ବି ପାଣି ଦେଖିଲେ ଭୟ ଲାଗେ। ବାବୁ, ତମେ କହୁନ ଯଦି ପେଟ ଚାଖଣ୍ଡକ ନଥାନ୍ତା, ମୋ ମାଆ କାଇଁ କାହା ଘରକୁ ଯାଆନ୍ତା…।’ ଏମିତି ଏକ କରୁଣ କାହାଣୀ ବଖାଣିଛନ୍ତି, କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ବଡ଼ାରୋ ଗ୍ରାମର ୨୧ ବର୍ଷୀୟା ମାମଲି ପଣ୍ଡା। ମାନସିକ ବିକାରଗ୍ରସ୍ତ ମା’ ‌ଭୋଗେଇ ପଣ୍ଡାକୁ ଧରି ମାଗି ଯାଚି ଦିନ କାଟୁଥିବା ମାମାଲିର ଏହି ନିଚ୍ଛକ ସତ କାହାଣୀ କୌଣସି ଉପନ୍ୟାସ ବା ଚଳଚ୍ଚିତ୍ରର କାହାଣୀଠାରୁ କମ୍ ଦୁଃଖଭରା ନୁହେଁ।
୪ ମାସ ତଳେ ମାମାଲିଙ୍କ ବାପା ଅଜୁ ପଣ୍ଡା ଆରପାରିକୁ ଚାଲିଗଲା ପରେ ଦୁଃଖର ପାହାଡ଼ ମା’ଝିଅଙ୍କ ଉପରେ ଲଦି ହୋଇପଡ଼ିଛି। ଦିନକୁ ଦି’ ମୁଠା ଖାଦ୍ୟ ସଂଗ୍ରହ କରିବା ପାଇଁ ସେମାନଙ୍କୁ ନାନା କଷଣ ସହିବାକୁ ପଡ଼ୁଛି। ମା’କୁ ଛାଡ଼ି ଅନ୍ୟ କୋଉଠି କାମ କରି ପେଟକୁ ସେ ଖାଇବା ଯୋଗାଡ଼ କରିପାରନ୍ତେ। ମାତ୍ର ସେତକ ବି ଅସମ୍ଭବ। କାରଣ ଉଭୟ ବାପାମାଆଙ୍କ ମୁଣ୍ଡ ଦୋଷ ଥିବାରୁ ମାମାଲିଙ୍କଠାରେ ମଧ୍ୟ ସ୍ବାଭାବିକ ଭାବେ ସାମାନ୍ୟ ମୁଣ୍ଡ ଦୋଷ ଅଛି। ତେଣୁ ଜଣେ ଅପାଠୋଇ ଓ ମାନସିକ ବିକାରଗ୍ରସ୍ତ ଝିଅକୁ କାମ କୋଉଠୁ ଆସିବ ବୋଲି ଆଲୋଚନା ହୁଏ।

ମାମାଲିଙ୍କ ପଡ଼ୋଶୀ କନକଲତା ସାହୁଙ୍କ କହିବାନୁଯାୟୀ, ମାମାଲି ମୋ ଝିଅ ସାଙ୍ଗରେ ମିଶିକି ପଢ଼ୁଥିଲା। ପରିବାରର ସମସ୍ୟା ଓ ମା’ ଭୋଗେଇର ମାନସିକ ବିକାରଗ୍ରସ୍ତ ଅବସ୍ଥା ଏମିତି ବଢ଼ିଲା ଯେ ବାଧ୍ୟ ହୋଇ ସେ ଅଧାରୁ ପାଠପଢ଼ାରେ ଡୋରି ବାନ୍ଧିଲା। ବାପା ଗାଁ ଶିବ ମନ୍ଦିରରେ ପୂଜକ ଭାବେ କାମ କରୁଥିଲେ। ଯାହା କିଛି ରୋଜଗାର ହେଉଥିଲା, କଷ୍ଟେମଷ୍ଟେ ସେମାନେ ଚଳି ଯାଉଥିଲେ। କିନ୍ତୁ ୪ମାସ ତଳେ ଅଜୁଙ୍କ ଦେହାନ୍ତ ହୋଇଗଲା। ଫଳରେ ସେହି ଦିନଠାରୁ ରୋଜଗାର ପୂରା ବନ୍ଦ। ହାତରେ ପଇସାଟିଏ ନାହିଁ। ତେଣୁ ରାସନ କାର୍ଡ ଥିଲେ ବି ପଞ୍ଚାୟତରୁ ଚାଉଳ ଆଣିବାକୁ ସକ୍ଷମ ହେଉନାହାନ୍ତି। ମା’ ଝିଅଙ୍କୁ ୪ମାସ ହେଲା ସେ ଖାଇବା ପିଇବା ଦେଇ ଚଳାଇ ଆସୁଛନ୍ତି ବୋଲି କନକଲତା କହିଛନ୍ତି। କିନ୍ତୁ ସବୁ ଦିନ ଚଳାଇବା ସମ୍ଭବ ନୁହେଁ। ମାମାଲି ତାଙ୍କ ମା’ଙ୍କୁ ସହାୟତା ଯୋଗାଇ ଦେବାକୁ ସାହାଯ୍ୟ ଭିକ୍ଷା କରିଛନ୍ତି। କେବଳ ଖାଇ ପିଇ ବଞ୍ଚିବା ପାଇଁ କିଛି ଯୋଗାଡ଼ ହୋଇଗଲେ, ସେ ଆଶ୍ବସ୍ତ ହୋଇପାରନ୍ତେ ବୋଲି କହିଛନ୍ତି। ଯେଉଁ ବୟସରେ ମାମାଲି ପାଠପଢ଼ି ନିଜ ଭବିଷ୍ୟତ ଗଢ଼ିବାକୁ ଲାଗିବା କଥା, ସେ ବୟସରେ ମା’ ଭୋଗେଇଙ୍କ ପାଇଁ ପର ପାଖରେ ହାତ ପାତୁଛନ୍ତି। ଯଦି କେହି ବଦାନ୍ୟ ବ୍ୟକ୍ତି ତାଙ୍କୁ ସହଯୋଗ କରିବା ପାଇଁ ଚାହାନ୍ତି, ତେବେ ତାଙ୍କ ମୋବାଇଲ ନମ୍ବର ୭୩୮୧୯୬୮୨୯୫ରେ ଯୋଗାଯୋଗ କରିବାକୁ କନକଲତା ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର