ଗ୍ରାହକଙ୍କୁ ଦରବୃଦ୍ଧି ଆଶଙ୍କା: ଚାଷୀଙ୍କୁ ପ୍ରାପ୍ୟ, ପରିବା ବ୍ୟବସାୟୀଙ୍କୁ ପରିବହନ ଚିନ୍ତା

ଭୁବନେଶ୍ବର: ଲକଡାଉନ୍‌ରେ ସ୍ବାଭାବିକ ରହିବ ପରିବା ବିକ୍ରି କିନ୍ତୁ ଏହି ସମୟରେ ଦଲାଲ ସକ୍ରିୟ ହୋଇପଡ଼ୁଥିବାରୁ ଚାଷୀଙ୍କୁ ଉପଯୁକ୍ତ ପ୍ରାପ୍ୟ ମିଳିବା ନେଇ ଆଶଙ୍କା ଦେଖାଦେଇଛି। ଅନ୍ୟପକ୍ଷରେ ପରିବା ବିକ୍ରେତାଙ୍କୁ ମଧ୍ୟ ପରିବହନ ଚିନ୍ତା ଘାରିଛି। ଗତବର୍ଷ ଭଳି ଚଳିତବର୍ଷ ପାସ୍‌ ବ୍ୟବସ୍ଥା ହୋଇ ନଥିବାରୁ ଗୋଦାମ କର୍ମଚାରୀ, ବିକ୍ରେତା ହଇରାଣ ହେବା ନେଇ ଆଶଙ୍କା କରାଯାଉଛି। ଏହା ଉପରେ ଦୃଷ୍ଟି ଦେବା ପାଇଁ ପ୍ରଶାସନ ନିକଟରେ ଦାବି କରିଛି ୧ ନମ୍ବର ହାଟ ବ୍ୟବସାୟୀ ସଂଘ।

ଅନ୍ୟପକ୍ଷରେ ବିଭିନ୍ନ ସାମଗ୍ରୀ ଦର ମଧ୍ୟ ଅଚାନକ ବୃଦ୍ଧି ପାଇଥିବା ଅଭିଯୋଗ ହୋଇଛି। ଅନୁମାନ ଅନୁସାରେ, ରାଜଧାନୀ ବଜାରରେ ପ୍ରତିଦିନ ଆଳୁକୁ ମିଶାଇ ୨୦୦ରୁ ୨୫୦ଟନ୍‌ ପରିବା ଆବଶ୍ୟକ ହୁଏ। ପ୍ରାୟ ୫ହଜାର ବ୍ୟବସାୟୀ ବିଭିନ୍ନ ବଜାରରେ ବିକ୍ରି କରିଥା’ନ୍ତି। ଏଥି ମଧ୍ୟରେ କେବଳ ୧ନମ୍ବର ବଜାରରେ ସର୍ବାଧିକ ୧୨ଶହ ଅଛନ୍ତି। ବ୍ୟବସାୟୀମାନଙ୍କ କହିବା ଅନୁସାରେ, ପରିବାଗୁଡ଼ିକ ପ୍ରାୟ ପଶ୍ଚିମବଙ୍ଗ, ଛତିଶଗଡ଼, ଝାରଖଣ୍ଡ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ରରୁ ଆସିଥାଏ। କରୋନା ସତ୍ତ୍ବେ ବର୍ତ୍ତମାନ ପର୍ଯ୍ୟନ୍ତ ପରିବା ପରିବହନ ବିଶେଷ ସମସ୍ୟା ହୋଇନାହିଁ। କେବଳ ପଶ୍ଚିମବଙ୍ଗ ନିର୍ବାଚନ ଯୋଗୁଁ ଆଳୁଦର ସାମାନ୍ୟ ବୃଦ୍ଧି ପାଇଥିଲା। ବାଇଗଣ, ଜହ୍ନି, କାକୁଡ଼ି ଆଦି ପରିବା ଆଠଗଡ଼, ବାଙ୍କି, ପୁରୀ, କଟକର ୪୨ମୌଜା, ଯାଜପୁରରୁ ଆସିଥାଏ। ବିଭିନ୍ନ ବଜାରର ଗୋଦାମକୁ ପରିବା ଆସୁଛି। ବୁଧବାରଠାରୁ ଲକ୍‌ଡାଉନ୍‌ ଆରମ୍ଭ ହେଉଛି, ସରକାରଙ୍କ ଘୋଷଣା ଅନୁସାରେ, ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପରିବା ସମେତ ଅତ୍ୟାବଶକ ସାମଗ୍ରୀ ବିକ୍ରିକୁ କଟକଣାମୁକ୍ତ କରାଯାଇଛି। ସେହି ଦୃଷ୍ଟିରୁ ଅନ୍ୟ ବ୍ୟବସାୟ ଯେଉଁଭଳି କ୍ଷତି ସହିବେ ବୋଲି ଆଶଙ୍କା କରାଯାଉଛି, ପରିବା ବ୍ୟବସାୟୀଙ୍କ ପାଇଁ ସେଭଳି ସମସ୍ୟା ହେବ ନାହିଁ। କିନ୍ତୁ ୧୨ଟା ପରେ ବିକ୍ରି କରିସାରିବା ପରେ ଗୋଦାମ କର୍ମଚାରୀ, ଶ୍ରମିକ, ରିଟେଲର୍‌ ଘରକୁ ଗଲା ବେଳେ ପୁଲିସ ସେମାନଙ୍କୁ ନ ଛାଡ଼ିଲେ, ଅସୁବିଧା ହେବ। ଏହାକୁ ନେଇ ଟ୍ରାଫିକ ପୁଲିସ ସହିତ ଆଲୋଚନା ହୋଇଥିବା କହିଛି ପରିବା ବ୍ୟବସାୟୀ ସଂଘ। ପୁଲିସ ସେମାନଙ୍କ ସହିତ କିଭଳି ଆଭିମୁଖ୍ୟ ପୋଷଣ କରୁଛି, ଆସନ୍ତାକାଲି ସ୍ପଷ୍ଟ ହେବ ବୋଲି ସଂଘ କହିଛି।

ଖଣ୍ଡଗିରିର ପରିବା ବିକ୍ରେତା ରମେଶଙ୍କ କହିବା ଅନୁସାରେ, ରାଜଧାନୀ ଅଧିବାସୀଙ୍କୁ ସଂଧ୍ୟା ବଜାର ସହଜ ହୁଏ। ତେଣୁ ସାଧାରଣ ସମୟ ଅପେକ୍ଷା ଲକଡାଉନ୍‌ରେ ସେମାନଙ୍କ ପାଇଁ ବିକ୍ରି ସ୍ବାଭାବିକ ହେବ ନାହିଁ। ଲକ୍‌ଡାଉନ୍‌ରେ ପରିବା ବ୍ୟବସାୟୀ କୌଣସି ପ୍ରକାର ସ୍ଥିତି ସମ୍ଭାଳି ଦେବେ। କିନ୍ତୁ ଚାଷୀଙ୍କ ଅବସ୍ଥା ଦୁର୍ବିଷହ ହେବା ନେଇ ଆଶଙ୍କା କରାଯାଉଛି। ଏହି ସମୟରେ ଦଲାଲମାନେ ସକ୍ରିୟ ହୋଇଯାଆନ୍ତି। ପରିବହନ ସମସ୍ୟା ଯୋଗୁଁ ସେମାନେ ନିଜ ଚାଷ ଜମିରୁ ବିକ୍ରି କରିବାକୁ ପସନ୍ଦ କରନ୍ତି। ଗତବର୍ଷ କମ୍‌ ଦରରେ ବ୍ୟବସାୟୀ ତାଙ୍କଠାରୁ କିଣି ନେଇଥିଲେ। ଏପରିକି ଅନେକ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇଥିଲେ। ଚଳିତ ବର୍ଷ ମଧ୍ୟ ଗତବର୍ଷର ଦୁଃଖ ପୁନାବୃତ୍ତି ହେବାର ଆଶଙ୍କା ରହିଛି।

କଳାଝରି ଗାଁର ସୁଶୀଳ ମହାଭୋଇ କହିଛନ୍ତି, ସେମାନେ ପରିବା ନେଇ ମଣ୍ଡିକୁ ଯାଆନ୍ତି। ଦଲାଲ ତାଙ୍କଠାରୁ ପରିବା ନେଇ ବ୍ୟବସାୟୀଙ୍କୁ ଦିଅନ୍ତି। ଅନେକ ସମୟରେ ଦଲାଲମାନେ ଜାଣିଶୁଣି ସେମାନଙ୍କ ପରିବା ଉଠାନ୍ତି ନାହିଁ। ଘଣ୍ଟା-ଘଣ୍ଟା ଅପେକ୍ଷା କରାନ୍ତି। ଏଥିଯୋଗୁଁ ସେମାନେ ବାଧ୍ୟ ହୋଇ କମ୍‌ ମୂଲ୍ୟରେ ବିକ୍ରି କରନ୍ତି। ଆଜି ମଧ୍ୟ ସେହିଭଳି ସ୍ଥିତି ହେଲା। ସୁଶୀଲ ୪୦ ପେଟି ଝୁଡ଼ଙ୍ଗ ନେଇ ବଜାରକୁ ଯାଇଥିଲେ। ମାତ୍ର ପେଟି ପିଛା ମାତ୍ର ୫୦ଟଙ୍କା ବିକ୍ରି ହେଲା। କିନ୍ତୁ ବଜାରରେ କେଜି ପିଛା ୪୦ରୁ ୫୦ଟଙ୍କା ଅର୍ଥାତ୍‌ ପେଟି ପିଛା ୨୦୦ ଟଙ୍କା‌ରେ ବିକ୍ରି ହୋଇଥିବ।
ଲକ୍‌ଡାଉନ୍‌ ସମୟରେ ଏହା ଆହୁରି ଜଟିଳ ସ୍ଥିତି ଉତ୍ପନ୍ନ କରିବ। ଦଲାଲଙ୍କୁ ନିୟନ୍ତ୍ରଣ ପାଇଁ ପ୍ରଶାସନ ବିଶେଷ ଦୃଷ୍ଟି ଦେବା ଉଚିତ। ଅନ୍ୟପକ୍ଷରେ ଲକଡାଉନ୍‌ରେ ଅତ୍ୟାବଶକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ସରକାରଙ୍କ ଘୋଷଣା ସତ୍ତ୍ବେ ଲୋକଙ୍କ ଶଙ୍କା ଲାଗି ରହିଛି। ୨ଦିନ ଧରି ବଜାରରୁ ଆବଶ୍ୟକତାଠାରୁ ଅନେକ ଅଧିକ ଜିନିଷ କ୍ରୟ କରି ନେଇଥିବାରୁ ଅନେକ ଗ୍ରାହକ ଦୋକାନକୁ ଗଲା ବେଳକୁ ଜିନିଷ ନପାଇ ନିରାଶ ହୋଇ ଫେରିଥିଲେ। ଏହି ସମୟରେ କିଛି ଅସାଧୁ ବ୍ୟବସାୟୀ ଜାଣିଶୁଣି କୃତ୍ରିମ ଅଭାବ ତିଆରି କରି ଦରଦାମ୍‌ ବୃଦ୍ଧି କରୁଥିବା ନେଇ ମଧ୍ୟ ଅଭିଯୋଗ ହେଉଛି। ବିଭିନ୍ନ ସ୍ଥାନରେ ଅତ୍ୟାବଶକ ସାମଗ୍ରୀର ହୋର୍ଡିଂ ମଧ୍ୟ ହୋଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର