ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଞ୍ଜ କଳା ମଣ୍ତପରେ ଦୁଇଦିନିଆ ରାଜ୍ୟସ୍ତରୀୟ ଲୋକକଳା ଦିବସ ଓ ରଜ ମହୋତ୍ସବ ଆଜି ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର ଯୋଗ ଦେଇଥିଲେ। ଓଡ଼ିଶାରେ ଲୋକକଳା ପରମ୍ପରା ଏବେ ମଧ୍ୟ ଅକ୍ଷୁଣ୍ଣ ରହିଥିବା ବେଳେ ଗଣପର୍ବ ରଜ ମୌଳିକତା ହରାଇନାହିଁ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ। ଅନ୍ୟତମ ଅତିଥି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଲେ ଯେ ଆଧୁନିକତାର ଚାକଚକ୍ୟ ଭିତରେ ଲୋକକଳା ମୌଳିକତା ଅକ୍ଷୁଣ୍ଣ ରଖିବାରେ ସଫଳ ହୋଇଛି।

Advertisment

ଲୋକକଳାର ସୁରକ୍ଷା କରିବା ସହ ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ରୀତିମତ ପ୍ରୟାସ ହେବା ଆବଶ୍ୟକ ରହିଛି। କଳାକାରମାନଙ୍କ ପ୍ରତିଭା ଚିହ୍ନଟ କରି ସେମାନଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ଗ୍ରାମାଞ୍ଚଳ ତଥା ବ୍ଲକ୍‌ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରେ ଲୋକକଳା ଦିବସ ପାଳନ ନିମନ୍ତେ ପ୍ରୋତ୍ସାହିତ କରିବାରେ ସଂସ୍କୃତି ବିଭାଗର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ସତ୍ୟବ୍ରତ ସାହୁ ବିଭାଗର ବିଭିନ୍ନ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରିଥିଲେ। କଳାକାରମାନଙ୍କ ସ୍ବାର୍ଥରକ୍ଷା କରିବା ନିମନ୍ତେ ବିଭାଗ କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷ ଲେନିନ ମହାନ୍ତି ନିଜର ମତାମତ ରଖିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଦିଲୀପ ରାଉତରାୟ ସ୍ବାଗତ ଭାଷଣ ଦେଇଥିବା ବେଳେ ଉପନିର୍ଦ୍ଦେଶିକା ସୁଚିସ୍ମିତା ମନ୍ତ୍ରୀ ଧନ୍ୟବାଦ ‌ଦେଇଥିଲେ। ଶେଷରେ ସମ୍ବଲପୁର ‘ଲହରୀ’ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ଲୋକନୃତ୍ୟ, କଟକର ପଦ୍ମଶ୍ରୀ ଉତ୍ସବ ଚରଣ ଦାସଙ୍କ ଦ୍ବାରା ଘୋଡ଼ାନାଚ ପରିବେଷଣ କରାଯାଇଥିଲା। ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।