ଚନ୍ଦ୍ରଶେଖରପୁର: ଭିତରେ ଯେତିକି ଅଳିଆ, ବାହାରେ ବି ସେତିକି। ଦିନକୁ ଦିନ ପରିମାଣ ବି ବଢ଼ି ଚାଲିଛି। ରାସ୍ତାର ପାଖାପାଖି ଦୁଇ ଲେନ୍କୁ ମାଡ଼ି ପାହାଡ଼ ଉଚ୍ଚର ଅଳିଆ ଗଦା ହୋଇଗଲାଣି। ଗନ୍ଧ ଏମିତି ଯେ ସେ ବାଟ ଦେଇ ଯିବା ତ ଦୂରର କଥା, ସ୍ଥାନୀୟ ଲୋକ କବାଟ, ଝରକା ବି ଖୋଲି ପାରୁନାହାନ୍ତି। ବର୍ଷାରେ ଆବର୍ଜନାରୁ ପାଣି ନିଗିଡ଼ି ଆସି ରାସ୍ତାରେ ଭାସୁଛି। ଗତ କିଛି ଦିନ ହେବ, ସୈନିକ ସ୍କୁଲ ପଛରେ ଥିବା ଟିଟିଏସ୍ (ଟେମ୍ପରାରି ଟ୍ରାଞ୍ଜିଟ୍ ଷ୍ଟେସନ୍)ର ଏଭଳି ଅବସ୍ଥା ଲୋକଙ୍କୁ ନାକରେ କନ୍ଦାଇଲାଣି। ଏଠାରୁ ଅଳିଆ ଭୁଆସୁଣି ଡମ୍ପିଂୟାର୍ଡକୁ ଯାଉଥିଲେ ବି ଟିଟିଏସ୍ ଉପରେ ଦିନକୁ ଦିନ ଅଳିଆ ବୋଝ ବଢ଼ି ଚାଲିଛି। ସରକାରଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ବେ ସହରରେ ଥିବା ଏମ୍ସିସିଗୁଡ଼ିକ ଶତପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରୁ ନଥିବାରୁ ଏଭଳି ଅବସ୍ଥା ଉପୁଜିଛି। ଏମିତି ସ୍ଥିତି ଲାଗି ରହିଲେ, ଭୁଆସୁଣି ଗ୍ରାମବାସୀଙ୍କୁ ସରକାର ଦେଇଥିବା ପ୍ରତିଶ୍ରୁତି ଧାର୍ଯ୍ୟ ସମୟ ମଧ୍ୟରେ ରକ୍ଷା କରିପାରିବେ ତ ବୋଲି ପ୍ରଶ୍ନ ସୃଷ୍ଟି ହେଲାଣି।
ସୂଚନାଯୋଗ୍ୟ, ନିକଟ ଅତୀତରେ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ଭୁଆସୁଣି ଡମ୍ପିଂୟାର୍ଡ ସମସ୍ୟାର ସାମୟିକ ସମାଧାନ ହୋଇଛି। ଆସନ୍ତା ବର୍ଷ ମେ’ ସୁଦ୍ଧା ଭୁଆସୁଣିକୁ ଅଳିଆ ଯିବ ନାହିଁ ବୋଲି ସରକାର ପ୍ରତିଶ୍ରୁତି ଦେଇଥିବାରୁ ଗ୍ରାମବାସୀ ଏବେ ଅଳିଆ ଗାଡ଼ିକୁ ଡମ୍ପିଂୟାର୍ଡ ଭିତରକୁ ଛାଡ଼ୁଛନ୍ତି। ହେଲେ ବର୍ତ୍ତମାନର ଟିଟିଏସ୍ ଅବସ୍ଥାକୁ ଦେଖିଲେ ଯାହା ଅନୁମାନ କରାଯାଉଛି ଯେ ଯେଉଁ ଟାର୍ଗେଟ୍ ନେଇ ସରକାର ଚାଲିଛନ୍ତି, ତାହା ମେ’ ସୁଦ୍ଧା ସମ୍ଭବ ହେବ ନାହିଁ। ଭୁଆସୁଣିରେ ଗଦା ହୋଇଥିବା ଆବର୍ଜନାକୁ ବାୟୋମାଇନିଂ ଜରିଆରେ ପରିଚାଳନା ହେବାକୁ ରହିଥିବା ବେଳେ ଏଠାରେ ଏକ ମେଗା ଏମ୍ସିସି ପ୍ରତିଷ୍ଠା କରାଯାଇ ଏହାକୁ ପରିଚାଳନା ଯୋଜନା କରାଯାଇଛି। ହେଲେ ଏସବୁ କେବେ ହେବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଅପରପକ୍ଷେ, ଟିଟିଏସ୍ରେ ଆବର୍ଜନା ଗଦା ହେଉଥିବାରୁ ଏଠାରେ ଏବେ କବାଡ଼ିଆଙ୍କ ଭିଡ଼ ଜମିଛି। ଏଠାରୁ ପ୍ଲାଷ୍ଟିକ୍ ଓ ଅନ୍ୟାନ୍ୟ ପଦାର୍ଥ ସଂଗ୍ରହ କରି ରାସ୍ତା କଡ଼ରେ ଅସ୍ଥାୟୀ ଗୋଦାମରେ ଭର୍ତ୍ତି କରୁଛନ୍ତି। ପୂର୍ବରୁ ଦୁଇଟି କବାଡ଼ିଆ ଏଠାରେ ଗୋଦାମ କରିଥିବା ବେଳେ ଏବେ ୭ଟି ହେଲାଣି। ଅଭିଯୋଗ ହେବା ପରେ ନିକଟ ଅତୀତରେ ବିଏମସି କମିସନର ବିଜୟ ଅମୃତା କୁଲାଙ୍ଗେ ଟିଟିଏସ୍ ଯାଞ୍ଚ କରିବାକୁ ଆସି କବାଡ଼ିଆଙ୍କୁ ହଟାଇବା ପାଇଁ ଜେଡ୍ଡିସି ପୁରନ୍ଦର ନନ୍ଦଙ୍କୁ ଆଦେଶ ଦେଇଥିଲେ। ହେଲେ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଅନ୍ୟପଟେ ଆବର୍ଜନାକୁ ନେଇ ଅନ୍ୟ କେଉଁଠି ପକାଇବାକୁ ଜାଗା ନାହିଁ। ନୂଆ ସଂସ୍ଥାଙ୍କୁ ଆବର୍ଜନା କେବଳ ଏମ୍ସିସିକୁ ନିଆଯିବାକୁ କୁହାଯାଇଥିଲେ ମଧ୍ୟ ଦୈନିକ ବାହାରୁଥିବା ଆବର୍ଜନା ପରିଚାଳନା କରିବାରେ ଏମ୍ସିସିଗୁଡ଼ିକ ଅକ୍ଷମ ଥିବାରୁ ସେମାନେ ଏଠାରେ ହିଁ ଗଦା କରୁଛନ୍ତି।