ପରିବା ଗୋଦାମ ସ୍ଥାନାନ୍ତର ବିରୋଧରେ ବଢ଼ୁଛି ଅସନ୍ତୋଷ

ଖଣ୍ଡଗିରି, ୧୬।୨(ଇମିସ): ଏକ ନମ୍ବର ହାଟସ୍ଥିତ ପରିବା ଗୋଦାମ ସବୁକୁ ପାତ୍ରପଡ଼ା ସ୍ଥାନାନ୍ତର ହେବା ନିଷ୍ପତ୍ତି ବିରୋଧରେ ଅସନ୍ତୋଷ ବଢ଼ୁଛି। ପାତ୍ରପଡ଼ା ଭଗବାନପୁର ମୌଜା କଳିଙ୍ଗବିହାର ବାସିନ୍ଦାମାନେ ଏହି ପ୍ରସ୍ତାବକୁ ବିରୋଧ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ରାଜଧାନୀ ଭିତରେ ଟ୍ରାଫିକ୍ ସମସ୍ୟା ଦୂର କରିବାକୁ ଯାଇ ସେମାନଙ୍କୁ ସମସ୍ୟାରେ ପକାଇବା ନିଷ୍ପତ୍ତି ଯୁକ୍ତିଯୁକ୍ତ ନୁହେଁ ବୋଲି ଦାବି କରି ସେମାନେ ରାଜରାସ୍ତାକୁ ଆସିବାକୁ ଅଣ୍ଟା ଭିଡ଼ୁଥିବା ସୂଚନା ମିଳିଛି।
କଳିଙ୍ଗବିହାର କେ-୯ ‘ଏ’ ଓ ‘ବି’ର ବାସିନ୍ଦାମାନଙ୍କ ଅଭିଯୋଗ ଅନୁସାରେ ୨୦ ବର୍ଷ ପୂର୍ବେ ବିଡିଏର ପ୍ଲାନିଂ ଦେଖି ସେମାନେ ଜାଗା କିଣିଥିଲେ। କଲୋନିରେ ପାର୍କ, କଲ୍ୟାଣ ମଣ୍ଡପ, ଲାଇବ୍ରେରି, ଖେଳପଡ଼ିଆ, ବରିଷ୍ଠ ନାଗରିକଙ୍କ ଅବସର ବିନୋଦନ ଲାଗି ଘର ଆଦି ରହିବା ଭଳି ଅନେକ ବ୍ୟବସ୍ଥା ଥିଲା। କିନ୍ତୁ ଏବେ ସେସବୁ ସୁବିଧା ସାତ ସପନ। ପରିତାପର କଥା ସେସବୁ ସୁବିଧା ପାଇଁ ଛଡ଼ାଯାଇଥିବା ସ୍ଥାନକୁ ବିଡିଏ ଫ୍ଲାଟ୍‌ କରି ବିକିଦେଇଛି। ସେହିଭଳି ଦୀର୍ଘ ବର୍ଷ ପରେ ବି ଏଠାରେ ଡ୍ରେନ୍‌ ସୁବିଧା ହୋଇନାହିଁ। ସ୍ବେରେଜ୍ ବ୍ୟବସ୍ଥା ନଥିବାରୁ ସେମାନେ ନିଜ ଖର୍ଚ୍ଚରେ ପାଇଖାନା ସଫା କରାଉଛନ୍ତି। କୌଣସି ସୁବିଧା ନଥାଇ ବି ସେମାନେ ୨୦୧୫ ମସିହାରୁ ହୋଲ୍‌ଡିଂ ଟ୍ୟାକ୍ସ ଦେଇ ଚାଲିଛନ୍ତି। ଏତେ ସମସ୍ୟାରେ ପକାଇବା ପରେ ବି ବିଏମ୍‌ସିର ମନ ଶାନ୍ତି ହୋଇନାହିଁ। ଏବେ ପ୍ରତିଷ୍ଠା ହୋଇଥିବା କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ସେମାନଙ୍କ ସ୍ବାଭାବିକ ଜୀବନଯାତ୍ରାକୁ ପ୍ରଭାବିତ କରୁଛି। ଏହି କେନ୍ଦ୍ରରୁ ବାହରୁଥିବା ମଇଳା ଗନ୍ଧ ବଡ଼ ଅସହ୍ୟ ହୋଇପଡ଼ୁଛି। ସେଥିରେ ପୁଣି ଯୋଡ଼ି ହେବାକୁ ଯାଉଛି ପରିବା ଗୋଦାମ। ସ୍ଥାନୀୟ ଲୋକଙ୍କ କହିବ‌ା କଥା ୧୦ ଏକର ଜଙ୍ଗଲକୁ କାଟି ପରିବା ଗୋଦାମ କରିବା ନିଷ୍ପତି ଗ୍ରହଣଯୋଗ୍ୟ ନୁହେଁ। ଏହି ଗୋଦାମ ପ୍ରତିଷ୍ଠା ହେଲେ, ପ୍ରତିଦିନ ଶହଶହ ଟ୍ରକ୍‌ ଓ ଭାରଯାନ ଚଳାଚଳ କରିବ। ଫଳରେ ଏଠାରେ ବାସ କରୁଥିବା ବରିଷ୍ଠ ନାଗରିକମାନେ ଅସୁବିଧାରେ ପଡ଼ିବେ। ତେଣୁ କଲୋନିବାସୀଙ୍କ ହିତ ଦୃଷ୍ଟିରୁ ଅନ୍ୟ କୌଣସି ବିକଳ୍ପ ନିଷ୍ପତ୍ତି ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର