କେବେ ତୁଟିବ ଅଡ଼ୁଆ? ଦୈନିକ ଆବର୍ଜନା‌ର ହିସାବ ନାହିଁ

କେତେ ପ୍ରତିଶତ ପୃଥକ୍‌ ହୋଇ ସଂଗ୍ରହ ହେଉଛି କେହି ଜାଣି ନାହାନ୍ତି

ଭୁବନେଶ୍ବର :ଆବର୍ଜନାକୁ ନେଇ ବିଏମ୍‌ସି ଚିନ୍ତିତ ବୋଲି କହୁଛି। ମେୟର, କମିସନର ନିଜେ କ୍ଷେତ୍ର ପରିଦର୍ଶନ କରିବା ସହ ପୂରା ବିଏମ୍‌ସି କେବଳ ଆବର୍ଜନା ପଛରେ ପଡ଼ିଥିବା ଅନୁମାନ ହେଉଛି। ପରିମଳକୁ ନେଇ ସର୍ବାଧିକ ସମୀକ୍ଷା ଓ କାର୍ଯ୍ୟାନୁଷ୍ଠାନ ହେଉଛି। ଏବେ ୩୭ ନୂଆ ଏସ୍‌ଆଇ(ସାନିଟାରି ଇନ୍‌ସ୍‌ପେକ୍ଟର) କାର୍ଯ୍ୟରେ ଯୋଗ ଦେବା ପରେ ପ୍ରତ୍ୟେକ ୱାର୍ଡରେ ଏବେ ଜଣେ ଲେଖାଏଁ ଏସ୍‌ଆଇ ହୋଇଛନ୍ତି। ପରିମଳ ଉପବିଭାଗରେ ଏବେ ଜଣେ ସହକାରୀ କମିସନର ମଧ୍ୟ ଦାୟିତ୍ବ ନେଇଛନ୍ତି। ଯଦି ବିଏମ୍‌ସିର ସମସ୍ତ ଉପବିଭାଗକୁ ହିସାବକୁ ନିଆଯାଏ ତେବେ ପରିମଳ ଉପବିଭାଗରେ ସବୁଠାରୁ ଅଧିକ କର୍ମଚାରୀ ରହିଛନ୍ତି। ସଚେତନତା କାର୍ଯ୍ୟକ୍ରମ ଆୟୋଜନରେ ଏହି ଉପବିଭାଗରେ ସର୍ବାଧିକ ଟଙ୍କା ଖର୍ଚ୍ଚ ହୋଇଛି। ହେଲେ ଏଠାରେ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ ରହିଛି। ଦୈନିକ ସଂଗ୍ରହ ହେଉଥିବା ଆବର୍ଜନା ପରିମାଣ କେତେ କାହା ପାଖରେ ହିସାବ ନାହିଁ। ପୂର୍ବରୁ ଯେଉଁ ହିସାବ ଥିଲା ଦିନକୁ ୫୫୦ ଟନ୍‌ ସେହି ହିସାବକୁ ଧରି ବିଏମ୍‌ସି ଚାଲିଛି। କିନ୍ତୁ ଏବେ ଜନସଂଖ୍ୟା ସାଙ୍ଗକୁ ଆବର୍ଜନା ପରିମାଣ ବହୁତ ବଢ଼ିଗଲାଣି। ଠିକ୍‌ ସେହିଭଳି କେତେ ଲୋକ ପୃଥକ୍‌ ପୃଥକ୍‌ କରି ଆବର୍ଜନା ଦେଉଛନ୍ତି ତାହାର ହିସାବ ମଧ୍ୟ ବିଏମ୍‌ସି ପାଖରେ ନାହିଁ। ଏଣୁ କେବଳ ଉପର ଠାଉରିଆ ଭାବରେ ବିଏମ୍‌ସିର ଆବର୍ଜନା ପରିଚାଳନା ଚାଲିଛି।

ବିଏମ୍‌ସି ଯେତେବେଳେ କଠିନ ବର୍ଜ୍ୟବସ୍ତୁ ପରିଚାଳନା କରିବାକୁ ଯୋଜନା କଲା ସେତେବେଳେ ଦିନକୁ ୫୫୦ ଟନ୍‌ ଆବର୍ଜନା ବାହାରୁଥିବା ହିସାବ କରାଯାଇଥିଲା। ଏହା ଅନୁମାନ କରାଯାଇନଥିଲା ବରଂ ଟିଟିଏସ୍‌ରେ ଗଦା ହେଉଥିବା ଆବର୍ଜନା ଓଜନ ହୋଇ ଯାଉଥିବାରୁ ସେଥିରୁ ହିସାବ ମିଳିଥିଲା। ସେହି ଅନୁସାରେ ଏମ୍‌ସିସି ତିଆରି କରିବାକୁ ଯୋଜନା କରିଥିଲା। କିନ୍ତୁ ଏହା ପରେ ଆବର୍ଜନା ପରିମାଣ ବଢ଼ିଗଲା। ଏମ୍‌ସିସି ନିଜ କ୍ଷମତା ଅନୁସାରେ କାମ କରୁନଥିଲା। ଏମ୍‌ସିସିକୁ ଯେଉଁ ଆବର୍ଜନା ଗଲା ତାହା ଓଜନ ହେଲା ନାହିଁ। ନୂଆ ସଂସ୍ଥା ଯେଉଁ ଟେଣ୍ଡର ନେଲେ ସେମାନଙ୍କୁ ଓଜନ ହିସାବରେ ଟଙ୍କା ଦିଆଗଲା ନାହିଁ। ଏଣୁ ଆବର୍ଜନା ଓଜନ ହେବା ବା କେତେ ପରିମାଣର ବାହାରୁଛି ତାହା ହିସାବ କରିବାକୁ ବ୍ୟବସ୍ଥା ରହିଲା ନାହିଁ। ଏବେ ଏଜେନ୍‌ସିମାନେ ଯେଉଁ ହିସାବ ଦେଉଛନ୍ତି ବିଏମ୍‌ସି ସେହି ହିସାବକୁ ମାନି ନେଉଛି। କିନ୍ତୁ ଯେଉଁଠି ୮ରୁ ୧୦ ଲକ୍ଷ ଜନସଂଖ୍ୟା ହିସାବରେ ଆବର୍ଜନାକୁ ଆକଳନ କରାଯାଉଥିଲା ସେଠାରେ ୧୦ରୁ ୧୩ ଲକ୍ଷ ପର୍ଯ୍ୟନ୍ତ ଜନ ସଂଖ୍ୟା ବଢ଼ିଗଲାଣି। ଯେଉଁଥିପାଇଁ ଆବର୍ଜନା ଏବେ ‘ଘର ବୁଡ଼ି ପାଣି ଆଣ୍ଠୁଏ’ ଭଳି ପରିସ୍ଥିତି ହେଲାଣି।

ସେହିଭଳି କେତେ ଲୋକ ପୃଥକ୍‌ ପୃଥକ୍‌ କରି ଆବର୍ଜନା ଦେଉଛନ୍ତି ସେ ହିସାବ ମଧ୍ୟ କାହା ପାଖରେ ନାହିଁ। ଏକ ଘରୋଇ ସର୍ଭେ ମୁତାବକ ୭୮ ପ୍ରତିଶତ ଲୋକ ଆବର୍ଜନା ପୃଥକ୍‌ କରୁନାହାନ୍ତି। ଆବର୍ଜନା ଘର ଘର ବୁଲି ସଂଗ୍ରହ କରୁଥିବା ଗାଡ଼ିର କର୍ମଚାରୀମାନେ ମଧ୍ୟ ଏହାର ହିସାବ ରଖୁନାହାନ୍ତି। ଏହି ଗାଡ଼ିକୁ ଏନ୍‌ଜିଓ ପରିଚାଳନା କରୁଛି। ଏଣୁ କେତେ ଲୋକ ଆବର୍ଜନା ପୃଥକ୍‌ କରୁଛନ୍ତି ତାହା ଜାଣିବା ପାଇଁ ବିଏମ୍‌ସିକୁ ଏନ୍‌ଜିଓ ଉପରେ ନିର୍ଭର କରିବାକୁ ପଡ଼ୁଛି।
ଏଣେ ପରିମଳ ଉପବିଭାଗରେ କର୍ମଚାରୀଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଏବେ ୩୭ ଜଣ ଏସ୍‌ଆଇଙ୍କୁ ବିଏମ୍‌ସି ନିଯୁକ୍ତି ଦେଇଛି। ଏମାନଙ୍କୁ ମଧ୍ୟ ‘ଅଲ୍‌ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲୋକାଲ୍‌ ସେଲ୍ଫ ଗଭର୍ଣ୍ଣମେଣ୍ଟ’ ସଂସ୍ଥା ହିଁ ଯୋଗାଇଛି। ପୂର୍ବରୁ ୫୭ ଡିଇଓଙ୍କୁ ଏହି ସଂସ୍ଥା ନିଯୁକ୍ତି ଦେଇ ଚର୍ଚ୍ଚାକୁ ଆସିଥିଲା। ଏହି ସଂସ୍ଥାକୁ କିଏ ନିୟୋଜିତ କରିଛି? ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଯୋଗ୍ୟତା କଣ? ଏସବୁ ଏବେ ବିବାଦକୁ ଆସିଛି। ପରିମଳ ବ୍ୟବସ୍ଥା ସୁଧାରିବା ଆଳରେ ଏଭଳି ନିଯୁକ୍ତି ଦିଆଯାଇଛି। ଏସ୍‌ବିଏ ସେଲ୍‌ ଦାୟିତ୍ବରେ ଥିବା ଅଧିକାରୀ କ୍ଷେତ୍ର ସ୍ତରକୁ ଯାଆନ୍ତି ନାହିଁ। ଏସ୍‌ଆଇଙ୍କ ପାଖରେ ଆବର୍ଜନାର ହିସାବ ନାହିଁ। କମିସନର କେବଳ ଟ୍ବିଟ୍‌ କରି ଆବର୍ଜନା ସଫା ହେଉଥିବା ଦେଖାଉଛନ୍ତି। ହେଲେ ଟିଟିଏସ୍‌ ପୂର୍ଣ୍ଣ ହୋଇ ଅଳିଆ ରାସ୍ତା ଉପରେ ଗଦା ହେଲାଣି। ଏମ୍‌ସିସି ଏଯାବତ୍‌ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ପାରିନି। ଅବସ୍ଥା କେବେ ସୁଧୁରୁଛି ତାହା ଦେଖିବାକୁ ବାକି ରହିଛି।

ସମ୍ବନ୍ଧିତ ଖବର