ବଡ଼ ଲୋକଙ୍କୁ ଉତ୍ତର ନାହିଁ: ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ମହଙ୍ଗା ପଡ଼ିଲା

ଜଣଙ୍କର ଚାକିରି ନାହିଁ, ଜଣଙ୍କୁ ଦରମା ମିଳୁନି

ଭୁବନେଶ୍ବର: କଥାରେ ଅଛି ‘ବଡ଼ ଲୋକଙ୍କୁ ଉତ୍ତର ନାହିଁ।’ ଯେଉଁଠି ଉତ୍ତର ଦେଲେ ସମସ୍ୟା ଅଛି ସେଠାରେ ଯଦି ତାଙ୍କୁ ଅଭିଯୁକ୍ତ କଲ ତେବେ ଅବସ୍ଥା କ’ଣ ହୁଏ ତାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଖୋଦ୍‌ ରାଜଧାନୀରେ। ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରି ଫସି ଯାଇଛନ୍ତି ଦୁଇଜଣ ମହିଳା କର୍ମଚାରୀ। ଜଣଙ୍କୁ ଚାକିରିରୁ ବାହାର କରି ଦିଆଯାଇଥିବା ବେଳେ ଜଣଙ୍କର ୪ ମାସ ହେବ ଦରମା ବନ୍ଦ ରହିଛି। ପ୍ରମାଣ ଥିବାରୁ ‌ଜଣେ ଅଭିଯୁକ୍ତ ଅଧିକାରୀଙ୍କ ଉପରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଆଉ ଜଣଙ୍କୁ ସଂସ୍ଥା ସମ୍ପୃକ୍ତ ପଦରୁ ହଟାଇ ଦେଇଛି। ହେଲେ ବଡ଼ ଅଫିସରଙ୍କ ବିରୋଧରେ ମୁହଁ ଖୋଲି ଏମାନେ ଦଣ୍ଡ ପାଇଛନ୍ତି। କରୋନା ବିପର୍ଯ୍ୟୟରେ ଚାକିରି ଚାଲି ଯାଇଥିବାରୁ ଜଣେ ମାନସିକ ଦୁଶ୍ଚିନ୍ତାର ଶିକାର ହୋଇଥିବା ବେଳେ ଅନ୍ୟ ଜଣେ ଦରମା ନ ପାଇ ଚିନ୍ତାରେ ପଡ଼ିଛନ୍ତି। ସେତିକିରେ ଦୁଃଖ ଯାଇ ନାହିଁ, ଏଥିପାଇଁ ଅନେକ ସମୟରେ ଅଜଣା ଫୋନ୍‌ କଲ୍‌ରେ ଧମକ ଆସୁଥିବା ସେମାନେ ଅଭିଯୋଗ କରିଛନ୍ତି।

ତତ୍‌କାଳୀନ ଆୟୂଷ ନିର୍ଦ୍ଦେଶକ ତଥା ବରିଷ୍ଠ ଓଏଏସ୍‌ ଅଫିସର ବିଭୁପ୍ରସାଦ ଷଡ଼ଙ୍ଗୀ ଜଣେ ଠିକା ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ହ୍ବାଟ୍‌ସ୍‌ଆପ୍‌ରେ ଚାଟିଂ ଓ ଫୋନ୍‌ କଲ ରେକର୍ଡିଂରେ ବିଭୁ ପ୍ରସାଦଙ୍କ ବିରୋଧରେ ଢେର ପ୍ରମାଣ ରହିଥିଲା। ଯେଉଁଥିପାଇଁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଗଲା। ଜାମିନ ପରେ ତାଙ୍କ ପକ୍ଷ ରଖିବାକୁ ବିଭାଗୀୟ ହାରାସମେଣ୍ଟ କମିଟି ତାଙ୍କୁ ସୁଯୋଗ ଦେଲା। ହେଲେ ସେ କମିଟି ଆଗରେ ହାଜର ହେଲେ ନାହିଁ। ଏଣୁ ତାଙ୍କୁ ନିଲମ୍ବିତ କରାଯିବା ସହ ସରକାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଲେ। ଏହାକୁ ବିରୋଧ କରି ସେ ହାଇକୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଫୋନ୍‌କଲ୍‌ ରେକର୍ଡିଂ ତାଙ୍କର ନୁହେଁ କିମ୍ବା ଫୋନ୍‌ ନମ୍ବର ମଧ୍ୟ ତାଙ୍କର ନୁହେଁ ବୋଲି ଫାଙ୍କି ଦେଇଛନ୍ତି। ତେବେ ବଡ଼ କଥା ହେଉଛି ଯେଉଁ ସଂସ୍ଥା ଅଭିଯୋଗକାରିଣୀଙ୍କୁ ଚାକିରି ଦେଇଥିଲା ସେ ସଂସ୍ଥାକୁ ବ୍ଲାକ୍‌ ଲିଷ୍ଟେଡ୍‌ କରିବାକୁ ସେ ସରକାରଙ୍କୁ ସୁପାରିସ କରି ଚିଠି ଲେଖିବା ସହ ଭିଜିଲାନ୍ସ ତଦନ୍ତ ପାଇଁ ମଧ୍ୟ ଚିଠି ଲେଖିଛନ୍ତି। ଯାହାକୁ ଆଧାର କରି ଏହି ଠିକା କର୍ମଚାରୀ(ଅଭିଯୋଗକାରିଣୀ)ଙ୍କ ଦରମା ବନ୍ଦ କରି ଦିଆଯାଇଛି। କରୋନା ଭଳି ସଙ୍କଟ ସମୟରେ ୪ ମାସ ଧରି ତାଙ୍କର ଦରମା ବନ୍ଦ ରହିଛି। ସଂସ୍ଥାକୁ ବ୍ଲାକ୍‌ ଲିଷ୍ଟେଡ୍‌ କରିବାକୁ ସେ ଚିଠି ଲେଖିଥିବାରୁ ଆଗକୁ ଚାକିରି ଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ପୀଡ଼ିତା ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି।

ସେହିଭଳି ପ୍ରମୁଖ ଆମ୍ବୁଲାନ୍ସ ସେବାର ଏକ କଲ୍‌ ସେଣ୍ଟର ‘ଜିକିତ୍ସା ହେଲ୍ଥ କେୟାର’ରେ ଜଣେ ଯୁବତୀ କାମ କରୁଥିଲେ। କିଛି ଦିନ କାମ କରିବା ପ‌ରେ ତାଙ୍କୁ ଉଚ୍ଚପଦସ୍ଥ ଅଧିକାରୀମାନେ ମାନସିକ ନିର୍ଯାତନା ଦେବା ଅଭିଯୋଗ ଆସିଥିଲା। ଏକୁଟିଆ ବେଳେ ରୁମ୍‌କୁ ଡାକିବା, କାମ କରିବା ବେଳେ ପାଖରେ ବସି କଥା ହେବା, ପ୍ରତିବାଦ କଲେ ମିଛ ଅଭିଯୋଗ ସଂସ୍ଥାର ମୁଖ୍ୟଙ୍କୁ ପଠାଇବା ଭଳି ଯୁବତୀ ଅଭିଯୋଗ କରିଥିଲେ। ଏହି ସବୁ କାମ ସଂସ୍ଥାର ଏଚ୍‌ଆର ମ୍ୟାନେଜର, ମ୍ୟାନେଜର ଓ ଆସିଷ୍ଟାଣ୍ଟ ମ୍ୟାନେଜର କରୁଥିବା ସମ୍ପୃକ୍ତ କର୍ମଚାରୀ ଗତ ଡିସେମ୍ବର ୮ ତାରିଖରେ ମହିଳା ଥାନାରେ ଅଭଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ମହିଳା ଥାନା ପୁଲିସ ଏକ ମାମଲା ରୁଜୁ କରିଥିଲେ ମଧ୍ୟ କାହାରିକୁ ଗିରଫ ନ କରିବାରୁ ସେମାନେ ଆଗୁଆ ଜାମିନ ପାଇବାରେ ସକ୍ଷମ ହୋଇଥିଲେ। ଏ ଯାବତ୍‌ ଚାର୍ଜସିଟ୍‌ ମଧ୍ୟ ଦାଖଲ ହୋଇ ନାହିଁ। ବିବାଦ ପାଇଁ ସଂସ୍ଥା ଏଚ୍‌ଆର ମ୍ୟାନେଜରଙ୍କୁ ସମ୍ପୃକ୍ତ ପଦରୁ ହଟାଇ ଦେଇଥିଲେ ମଧ୍ୟ ସେ ସେଠାରେ ହିଁ କାମ କରୁଥିଲେ। ଯୁବତୀଙ୍କ ନାମରେ ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରାଯାଇ ଗତ ମାର୍ଚ୍ଚ ମାସରେ ତାଙ୍କୁ ଚାକିରିରୁ ବାହାର କରି ଦିଆଯାଇଛି। ଏହି ଦୁଇଟି ଘଟଣା ଠିକା କର୍ମଚାରୀଙ୍କୁ ଅତ୍ୟାଚାର ସହି ମୁଣ୍ଡ ପୋତି କାମ କରିବାକୁ ବାଧ୍ୟ କରିଥିବା ବେଳେ ଉତ୍ସୃଙ୍ଖଳ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ସୁହାଇଛି। ଅନେକ ସରକାରୀ କାର୍ଯ୍ୟାଳୟ‌ରେ ବିଭାଗୀୟ ହାରାସ୍‌ମେଣ୍ଟ କମିଟି ମଧ୍ୟ କାମ କରୁନଥିବା ଅଭିଯୋଗ ଆସିଛି।

ସମ୍ବନ୍ଧିତ ଖବର