ଜଟଣୀ: ଜଟଣୀ ଅଞ୍ଚଳରେ ବ୍ରାଉନ୍ସୁଗାର୍, ମଦ, ଗଞ୍ଜେଇ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ଏହି ନିଶା କାରବାର ଯୋଗୁ ଦିନକୁ ଦିନ ଏହି ଅଞ୍ଚଳରେ ଅପରାଧ ମଧ୍ୟ ବଢ଼ୁଛି। ଚୋରି, ଛିନ୍ତାଇ, ଗଣ୍ଡଗୋଳ ଆଦି ନିତିଦିନିଆ ଘଟଣା ହୋଇଗଲାଣି। ଏହିସବୁ ଘଟଣାକୁ ନେଇ ପ୍ରତିଦିନ ଥାନାର ଦ୍ୱାରସ୍ଥ ହେଉଛନ୍ତି ସାଧାରଣ ଲୋକେ। ତେବେ ବର୍ଷ ଶେଷ ଆଡ଼କୁ ଜଟଣୀ ଥାନାରେ ୪୮୨ଟି ମାମଲା ପଞ୍ଜୀକୃତ ହୋଇଥିବା ବେଳେ ସେଥିରୁ କେବଳ ୨୦୦ରୁ ଅଧିକ ଏହି ସମ୍ବନ୍ଧୀୟ ମାମଲା ରୁଜୁ ହୋଇଛି। ସେହିପରି ଇନ୍ଫୋଭ୍ୟାଲି ଥାନାରେ ୨୯୦ଟି ମାମଲାରୁ ୧୦୦ରୁ ଅଧିକ ଏହି ଅପରାଧିକ ମାମଲା ରୁଜୁ ହୋଇଛି। ଦେଖିବାକୁ ଗଲେ ଅଧିକାଂଶ ମାମଲାରେ ନିଶାକୁ ନେଇ ଘଟଣା ଘଟିଥିବା ଜଣାପଡ଼ିଛି। ଅନ୍ୟପଟେ ନିଶାଦ୍ରବ୍ୟର ଅବାଧ ବିକ୍ରି ରୋକିବାକୁ ଅବକାରୀ ବିଭାଗ ଓ ପୁଲିସ ପ୍ରଶାସନ ସେଭଳି କିଛି ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି।
ଜଟଣୀ ଓ ଇନଫୋଭ୍ୟାଲି ଥାନା ଅଞ୍ଚଳରେ ପ୍ରତିଦିନ ଚୋରି ଓ ଲୁଟ୍ ଘଟଣା ଘଟୁଛି। ଅଧିକାଂଶ ଘଟଣାରେ ଅଭିଯୁକ୍ତମାନେ ନିଶା ସେବନ ପାଇଁ ଚୋରି ଓ ଅପରାଧ ଘଟାଉଛନ୍ତି। ପୁଲିସ ଓ ଅବକାରୀ ବିଭାଗ ବଡ଼ ବଡ଼ ନିଶା ବେପାରୀଙ୍କୁ ଧରିବାରେ ବିଫଳ ହେଉଥିବା ବେଳେ ଥାନାରେ କେବଳ ଅବକାରୀ ମାମଲା ରୁଜୁ କରିବା ପାଇଁ ଛୋଟ ବେପାରୀକୁ ଧରି ବାଃ ବାଃ ନେଉଛି। ହେଲେ ବଡ଼ ବ୍ୟବସାୟୀକୁ ଧରିବାକୁ ସାହସ ଜୋଟାଇ ପାରୁନି ପୁଲିସ।
ଜଟଣୀ ଥାନା ଅଞ୍ଚଳର ହରିଭାଇନା ଛକ ନିକଟ ଓ ଭେଣ୍ଡିଂ ଜୋନ୍, ପୌରପାଳିକା ରାସ୍ତା ଗ୍ୟାସ୍ ଏଜେନ୍ସି ନିକଟ, କୁଦିଆରୀ ଭୋଇ ସାହି, ତରାବୋଇ ଭୋଇ ସାହି, ଗୋଲେଇ ମାର୍କେଟ୍ସ୍ଥିତ ସାଇ ମନ୍ଦିର ନିକଟ, ସୀତାରାମ ଛକ ଓଭରବ୍ରିଜ୍ ତଳେ (ଫଳ ଦୋକାନ ପଛ), ଷଣ୍ଢପୁର ଭୋଇ ସାହି, ଆଇଆଇଟି ପଛ ଅଞ୍ଚଳ, ବାଲିଛକ ମୁଣ୍ଡିଆ ସାହି, ଫକଡ଼ ବସ୍ତି, ବାଚ୍ଛରା ହରିଜନ ବସ୍ତି, ରଥିପୁର, କନ୍ତିଆ, ନିରଞ୍ଜନପୁର ସମେତ ଆହୁରି ଅନେକ ସ୍ଥାନରେ ଦେଶୀ ବିଦେଶୀ ମଦ ସାଙ୍ଗକୁ ଅନ୍ୟ ନିଶାଦ୍ରବ୍ୟ କାରବାର ଚାଲିଛି। ସେହିପରି ଇନ୍ଫୋଭ୍ୟାଲି ଥାନାର ଗଙ୍ଗପଡ଼ା, ଅରିସଲ୍, ଯାଆଁଳା, ତଳଖେତା, ମଦନପୁର ଆଦି ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି। ସବୁଠୁ ବଡ଼ କଥା ହେଉଛି ନିଶା ସେବନରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନର ଛାତ୍ର ଓ ବେକାରୀ ଯୁବକ ପଡୁଛନ୍ତି। ଅପରାଧିକ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଧିକାଂଶ କଲେଜ ଛାତ୍ର ଥିବା ପରେ ଜଣାପଡ଼ୁଛି। ନିଶା ବ୍ୟବସାୟୀ ଶିକ୍ଷାନୁଷ୍ଠାନ ପାଖରେ ନିରାପଦ ଭାବେ ବେପାର କରୁଥିବା ଅଭିଯୋଗ ହୋଇଛି। ତେଣୁ ଛାତ୍ରମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ହେଉଛନ୍ତି। ଅନ୍ୟପଟେ ଉଭୟ ଥାନା ଅଞ୍ଚଳରେ ଗତ ତିନିମାସ ଭିତରେ ୧୪୦ରୁ ଅଧିକ ଲୁଟ୍ ପାଟ୍ ମାମଲା ଘଟିଥିବା ବେଳେ ଅଧିକାଂଶ ମାମଲାରେ ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନି। ସ୍ଥାନୀୟ ବାସିନ୍ଦା ରତ୍ନାକର ବେହେରା କହିଛନ୍ତି ଯେ, ଜଟଣୀ ଏବେ ନିଶା କାରବାରର ଚରାଭୁଇଁ ପାଲଟିଛି। କିନ୍ତୁ ପୁଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବାାରୁ ବେପାରୀଙ୍କ ଉତ୍ପାତ ବଢ଼ୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/04/untitled-13-2025-11-04-06-43-19.jpg)