ଭୁବନେଶ୍ବର: ‘କେତେ ଲୋକ ଓଡ଼ିଆ ବ୍ରାଣ୍ଡକୁ ଭଲ ପାଆନ୍ତି’ ଶୀର୍ଷକ ଅଧିବେଶନରେ ଅପ୍ନାପନ୍ ବିଭରେଜ୍ର ପ୍ରତିଷ୍ଠାତା ବନସ୍ମିତା ପତି କହିଥିଲେ, ସାଧାରଣ ବ୍ୟକ୍ତିଙ୍କ ଆବଶ୍ୟକତାକୁ ବହୁଳ ମାତ୍ରାରେ ପୂରଣ କରି ପାରିଥିବା ଜିନିଷ ହିଁ ବ୍ରାଣ୍ଡ। ସ୍ଥାନୀୟ ଓ ଅନ୍ତର୍ଜାତୀୟ ଉତ୍ପାଦ ଭିତରେ କିଛି ଫରକ୍ ନାହିଁ। ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ମିଳିଲେ, ସେମାନେ ଆହୁରି ଆଗକୁ ଯାଇପାରିବେ। ଗୀତା ଇଣ୍ଡଷ୍ଟ୍ରିଜ୍ର ପରିଚାଳନା ନିର୍ଦ୍ଦେଶକ ରିଷି ସରାଫ କହିଥିଲେ, ଓଡ଼ିଶା କୃଷି ପ୍ରଧାନ ରାଜ୍ୟ ଥିଲା। ଏବେ ସବୁ କ୍ଷେତ୍ରରେ ପ୍ରମାଣିତ କରିବା ପାଇଁ ଆଗକୁ ବଢ଼ୁଛି। ଠିକ୍ ପ୍ରଚାରପ୍ରସାର ହୋଇପାରିଲେ ବ୍ୟବସାୟ ଭଲ ହୋଇପାରିବ। ‘ପରିଚୟ’ର ସ୍ବତ୍ବାଧିକାରୀ ମାନସ ରଞ୍ଜନ ମଲ୍ଲିକ କହିଥିଲେ, ନିଜ ବ୍ରାଣ୍ଡକୁ ଭଲ କରି ତିଆରି କରି ପାରିଲେ, ସବୁଠି ଚାଲିବ। କନକ ନ୍ୟୁଜ୍ର ପ୍ରଡ୍ୟୁସର ମାନସ ଦାସ ଏହି ଅଧିବେଶନକୁ ପରିଚାଳନା କରିଥିଲେ।
ରେରା ଆସିବା ପରେ ଗ୍ରାହକଙ୍କ ସ୍ବାର୍ଥରକ୍ଷା ହୋଇପାରିଛି
ଜେଡ୍ ଇଷ୍ଟେଟ୍ର ପରିଚାଳନା ନିର୍ଦେଶକ ତପନ ମହାନ୍ତି କହିଥିଲେ, ବ୍ୟବସାୟର କୌଣସି ସଫଳ ମନ୍ତ୍ର ନାହିଁ। ରାତାରାତି ସଫଳତା ମିଳିବ ନାହିଁ। ଯାହା କରିବେ ଭଲ ପାଇ କରିବେ। କାମ ପ୍ରତି ଶୃଙ୍ଖଳା, କାମକୁ ନିଶା କରିବା ସହ ସୃଜନଶୀଳ, ଗ୍ରାହକଙ୍କ ପ୍ରତି ଯତ୍ନଶୀଳ ହେବାକୁ ପଡ଼ିବ। ରିଅଲ୍ ଇଷ୍ଟେଟ୍ ବ୍ୟବସାୟର ସିଙ୍ଗିଲ ୱିଣ୍ଡୋ ସିଷ୍ଟମ୍ ଜରିଆରେ ଆଜି ବି କ୍ଲିୟରାନ୍ସ ମିଳି ପାରୁନାହିଁ। ଏଥିପାଇଁ ସମସ୍ୟା ହେଉଛି। କିନ୍ତୁ ରେରା ଆସିବା ପରେ ଗ୍ରାହକଙ୍କ ସ୍ବାର୍ଥ ରକ୍ଷା ହୋଇପାରୁଛି। ଭଲ ବ୍ୟବସାୟୀଙ୍କୁ ମଧ୍ୟ ପ୍ରୋତ୍ସାହନ ମିଳୁଛି। ନିର୍ମାଣ କ୍ଷେତ୍ରରେ ସବୁ ପ୍ରକାର ଶ୍ରମିକଙ୍କ ପାଇଁ ମୁଖ୍ୟତଃ ପଶ୍ଚିମବଙ୍ଗ ଏବଂ ବିହାର ଶ୍ରମିକଙ୍କ ଉପରେ ନିର୍ଭର କରିବାକୁ ପଡ଼ୁଛି। ଓଡ଼ିଆ ଶ୍ରମିକ କେବଳ ପାଇପ୍ ଶ୍ରମିକ କ୍ଷେତ୍ରରେ ନାଁ କରିଛନ୍ତି। ଅନ୍ୟ କ୍ଷେତ୍ରରେ ମଧ୍ୟ ଓଡ଼ିଆ ଶ୍ରମିକ କିଭଳି ଆସିବେ, ତାକୁ ଗୁରୁତ୍ବ ଦେବାକୁ ପଡ଼ିବ। ଶ୍ରୀ ମହାନ୍ତିଙ୍କ ସହ କନକ ନ୍ୟୁଜ୍ର ମୁଖ୍ୟ ନ୍ୟୁଜ୍ ପ୍ରଡ୍ୟୁସର ସଂଗ୍ରାମ ଷଡ଼ଙ୍ଗୀ ଆଲୋଚନା କରିଥିଲେ।