ତୁଟିଲାନି ଭୁଆସୁଣି ବିବାଦ, ପୁଣି ଆଲୋଚନା ବିଫଳ

ଦୁଇଦିନ ପରେ ନିଷ୍ପତ୍ତି ଜଣାଇବେ ଦାରୁଠେଙ୍ଗବାସୀ, କୁଆଡ଼େ ଯିବ ଅଳିଆ?

ଭୁବନେଶ୍ବର: ଦାରୁଠେଙ୍ଗସ୍ଥିତ ଭୁଆସୁଣି ଡମ୍ପିଂୟାର୍ଡକୁ ଆବର୍ଜନା ନେବାକୁ ବିଏମ୍‌ସି ଯେଉଁ ଆଶା କରିଥିଲା, ତାହା ଫସର ଫାଟିଛି। ଆଜି ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ହୋଇଥିବା ଆଲୋଚନା ଫେଲ୍‌ ମାରିଛି। ବୈଠକରେ ଦୀର୍ଘ ଦେଢ଼ଘଣ୍ଟା ଧରି କଥା କଟାକଟି ପରେ ଗ୍ରାମସଭା କରି ଦୁଇ ଦିନ ପରେ ନିଷ୍ପତ୍ତି ଶୁଣାଇବାକୁ ଦାରୁଠେଙ୍ଗ ପଞ୍ଚାୟତବାସୀ କହିଛନ୍ତି। ଫଳରେ ଆବର୍ଜନାକୁ ନେଇ ବିଏମ୍‌ସିର ପୁଣି ଥରେ ଚିନ୍ତା ବଢ଼ିଛି। ଏହି ଦୁଇ ଦିନ ଆବର୍ଜନା କୁଆଡ଼େ ନେବେ, ସେନେଇ ଅଧିକାରୀ ମାନସମନ୍ଥନ ଆରମ୍ଭ କରିଛନ୍ତି।

ତେବେ କେବଳ ଦୁଇ ଦିନ ନୁହେଁ, ବରଂ ଦୁଇ ଦିନ ପରେ ଆବର୍ଜନା ଦାରୁଠେଙ୍ଗକୁ ଯିବ ବୋଲି ନିଶ୍ଚିତ ହୋଇନାହିଁ। କାରଣ ନିକଟ ଅତୀତରେ ବିଏମ୍‌ସି ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ସହ ଆଲୋଚନା କରିଥିଲା। ସେମାନେ ଦୁଇ ଦିନ ପ‌ରେ ନିଷ୍ପତ୍ତି ଶୁଣାଇବେ ବୋଲି କହିଥିଲେ। ଦୁଇ ଦିନ ପରେ ସେମାନେ ମେଲ୍‌ ଜରିଆରେ ବିଏମ୍‌ସିକୁ ନିଷ୍ପତ୍ତି ଜଣାଇଥିଲେ। ଗ୍ରାମସଭାରେ ଆଲୋଚନା ପରେ କୌଣସି ପରିସ୍ଥିତିରେ ଆବର୍ଜନା ପକାଇବାକୁ ଦିଆଯିବନାହିଁ ବୋଲି ସେମାନେ ଚିଠିରେ ଲେଖିଥିଲେ। ଯାହାକୁ ନେଇ ବିଏମ୍‌ସି କ୍ଷୁବ୍ଧ ହୋଇଥିଲା। ସେମାନଙ୍କ ସହ ପୁଣି ଥରେ ଆଲୋଚନା କରିବାକୁ ଆଜି ବିଏମ୍‌ସି ଡାକିଥିଲା।

ପୂର୍ବରୁ ସେମାନେ ଠିକ୍‌ ଏହି ଭଳି (ଦୁଇ ଦିନ ପରେ ଜଣାଇବୁ) କହି ପରେ ମନା କରିଦେଇଥିବାରୁ ଏଥର ମଧ୍ୟ ନକାରାତ୍ମକ ଉତ୍ତର ଆସିବା ଆଶଙ୍କା ପ୍ରକାଶ ପାଇଛି। ଏଣୁ ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ଭରସା କରି ବସି ରହିବା ଉଚିତ୍‌ ହେବ ନାହିଁ ବୋଲି କେତେକ ବରିଷ୍ଠ ଅଧିକାରୀ ବିଏମ୍‌ସିକୁ ପରାମର୍ଶ ଦେଇଛନ୍ତି।

ତେବେ ଦାରୁଠେଙ୍ଗବାସୀଙ୍କ ଉପରେ ବିଏମ୍‌ସିର ପୁରା ଭରସା ରହିଥିବା କହିଛନ୍ତି ମେୟର ସୁଲୋଚନା ଦାସ। ସେ କହିଛନ୍ତି ଆଜି ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ହୋଇଛି। ଆମର ଆଶା ସକରାତ୍ମକ ଉତ୍ତର ଆସିବ। ନିଶ୍ଚିତ ଭାବେ ଦୁଇ ଦିନ ପରେ ଭୁଆସୁଣିକୁ ଆବର୍ଜନା ଯିବ। ପଞ୍ଚାୟତବାସୀ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ଦୁଇ ଦିନ ପରେ ଭଲ ଖବର ମିଳିବ ବୋଲି ସେ କହିଛନ୍ତି। ଜଟଣୀ ବିଧାୟକ ସୁର ରାଉତରାୟ ମଧ୍ୟ କହିଛନ୍ତି ଯେ ବିଭିନ୍ନ ସମୟରେ ଉପେକ୍ଷିତ ହୋଇଥିବାରୁ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ମନରେ କ୍ଷୋଭ ରହିଥିଲା। ସେଥିପାଇଁ ସେମାନେ ଜିଦ୍‌ରେ ଥିଲେ। ତେବେ ଏଥର ସେମାନେ ସହଯୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି।

ଏଣୁ ଖୁସି ଖବର ମିଳିବ ବୋଲି ସେ ମଧ୍ୟ ଆଶ‌ାବାଦୀ ଅଛନ୍ତି। ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ କହିଛନ୍ତି, ଆଜି ବୈଠକରେ ସେମାନେ ତାଙ୍କ କଥା କହିଛନ୍ତି। ଆମେ ଆମ କଥା କହିଛୁ। ତାଙ୍କ ପାଇଁ ଅଳିଆ ଆଜି ଟେନ୍‌ସନ୍‌ ହୋଇଛି। ଆମକୁ ଅଳିଆ ୧୪ ବର୍ଷ ଧରି ଟେନ୍‌ସନ୍‌ ଦେଉଛି। ଏଣୁ ଆଜି କୌଣସି ନିଷ୍ପତ୍ତି ହୋଇନାହିଁ। ଆମ ସହିତ ଆହୁରି ହଜାର ହଜାର ଲୋକ ଅଛନ୍ତି ଯେଉଁମାନେ ଡମ୍ପିଂୟାର୍ଡ ଯୋଗୁ ପ୍ରତି ମୁହୂର୍ତ୍ତରେ କଷ୍ଟ ପାଉଛନ୍ତି। ସେମାନଙ୍କ ସହ ଆଲୋଚାନା କରି ଆମେ ଦୁଇ ଦିନ ପରେ ନିଷ୍ପତ୍ତି ଶୁଣାଇବୁ। ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଯୋଗ ଦେଇ ଅତି କମ୍‌ରେ ୪ ମାସ ଆବର୍ଜନା ପକାଇବାକୁ ସୁଯୋଗ ଦେବାକୁ ଦାରୁଠେଙ୍ଗବାସୀଙ୍କୁ ଅନୁରୋଧ କରିଥିଲେ।
ଏବେ ସମସ୍ତେ ଦାରୁଠେଙ୍ଗବାସୀଙ୍କ ଉତ୍ତରକୁ ଅପେକ୍ଷା କରିଥିବା ବେଳେ ମୁଣ୍ଡ ଉପ‌ରେ ସ୍ବାୟତ୍ତ ଶାସନ ଦିବସ ରହିଛି। ବିଏମ୍‌ସି ଉତ୍ସବ ମୁଖର ହେବାକୁ ଯାଉଥିବା ବେଳେ କୁଢ଼କୁଢ଼ ଆବର୍ଜନା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଏଣୁ ଆବର୍ଜନାକୁ ଲୁଚାଇବାକୁ ପ୍ରୟାସ ଆରମ୍ଭ ହୋଇଛି। ଚିଲିପୋଖରୀ ନିକଟରେ ଏକ ଅସ୍ଥାୟୀ ଡମ୍ପିଂୟାର୍ଡରେ ପାହାଡ଼ ଭଳି ଅଳିଆ ଗଦା ହୋଇଥିବା ବେଳେ ପୁରୀ ବାଇପାସ୍‌ରେ ମଧ୍ୟ ରାତିଅଧିଆ ଡମ୍ପିଂ ଆରମ୍ଭ ହୋଇଛି। ଆଜି କ୍ୟାପିଟାଲ୍‌ ହସ୍‌ପିଟାଲ ପଛରେ ଏକ ଗାଡ଼ି ଆବର୍ଜନା ଗଦା କରୁଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି।
କେଉଁଠି ଆବର୍ଜନା‌ ଗଦା ହେବ ସେ ନେଇ ମାନସମନ୍ଥନ ହେବା ପରେ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଠିକାସଂସ୍ଥାମାନେ ମଧ୍ୟ ଜାଣି ନାହାନ୍ତି କେଉଁଠି ଆବର୍ଜନା ଗଦା କରିବେ। ତେବେ ସହର ବାହାରେ ବା ଭିତରେ ଏଭଳି ଜାଗାରେ ଗଦା କର ଯେଭଳି ଦିଶିବ ନାହିଁ ବୋଲି ଆଦେଶ ହୋଇଥିବା ଜଣାପଡ଼ିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଟିଟିଏସ୍‌ରେ ଜେସିବି ଜରିଆରେ କିଛି ଜାଗା ଖାଲି କରାଯାଇଛି। ଆସନ୍ତାକାଲି କେତେ ଜାଗା ହେଉଛି ଦେଖାଯିବ। ଏହା ପରେ କ’ଣ କରାଯିବ, ତାହା ଉପରେ ଆଲୋଚନା ହେବ। ଆଜି ବୈଠକରେ ବିଭିନ୍ନ ଗ୍ରାମର ପ୍ରତିନିଧିଙ୍କ ସହ ଭୁବନେଶ୍ବର ଡିସିପି ପ୍ରତୀକ ସିଂ ଓ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର