ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ଅଧୀନ ହୀରାପୁର ଗ୍ରାମରେ ରହିଛି ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଚଉଷଠିଯୋଗିନୀ ପୀଠ। କିନ୍ତୁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଏଠାକୁ ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଏହି ପୀଠକୁ ସଂଯୋଗ କରୁଥିବା ସଡ଼କର ଉନ୍ନତି କରାଯାଉ ନାହିଁ। ଏକ ଦୁର୍ବଳ ସେତୁ ଦେଇ ପର୍ଯ୍ୟଟକମାନେ ଏଠାକୁ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ହୀରାପୁରକୁ ଭୁବନେଶ୍ବର ସହ ସଂଯୋଗ କରୁଥିବା ପୁରୀ କେନାଲବନ୍ଧରେ ଥିବା ସେତୁରେ ଯାତ୍ରୀଙ୍କ ନିରାପତ୍ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ବହୁ ଦିନରୁ ଏହି ସେତୁ ସଂପୂର୍ଣ୍ଣ ବିପଦସଙ୍କୁଳ ହୋଇପଡ଼ିଥିଲେ ମଧ୍ୟ ଏହାର ମରାମତି ଉପରେ ନଜର ଦିଆଯାଉ ନାହିଁ।
୬୦ ଫୁଟ ଲମ୍ବ ଓ ୧୦ ଫୁଟ ଚଉଡ଼ା ବିଶିଷ୍ଟ ଏହି ସେତୁର ଅଧିକାଂଶ ସ୍ଥାନର ଉଭୟ ପାର୍ଶ୍ବ କଂକ୍ରିଟ ବାଡ଼ା ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। ସେତୁର ମଧ୍ୟଭାଗରେ କଂକ୍ରିଟ ଖାଇ ଲୁହାଛଡ଼ ଦିଶିଲାଣି। ଖାଲି ସେତିକି ନୁହେଁ, ସେତୁସାରା କଂକ୍ରିଟ୍ ଖାଇଯିବା ଦ୍ବାରା ଛୋଟବଡ଼ ଗର୍ତ୍ତ ହୋଇ ଗଲାଣି। ବର୍ଷା ସମୟରେ ଏହି ସେତୁ ଉପରେ ପାଣି ଜମି ରହୁଛି। ସେହିପରି ସେତୁର ତଳପାର୍ଶ୍ବ ୩ଟି ପିଲାର୍ ଓ ତଳ ମୂଳଦୁଆ କଂକ୍ରିଟ ଖାଇ ଦୁର୍ବଳ ହୋଇପଡ଼ିଲାଣି। ସ୍ଥାନୀୟ ଲୋକେ ବାରମ୍ବାର ଏ ନେଇ ଖୋର୍ଧା ଜିଲ୍ଲାପାଳ, ବାଲିପାଟଣା କେନାଲ ସବ୍ଡିଭିଜନ ଓ ଭୁବନପୁର ସେକ୍ସନ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଛନ୍ତି। ହେଲେ ସେତୁ ମରାମତି ଦିଗରେ କିଛି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ହୀରାପୁର ଛକ ନିକଟରେ ଥିବା ଏହି ଅଣଓସାରିଆ ସେତୁ ଦେଇ ସ୍ଥାନୀୟ ଲୋକଙ୍କ ସମେତ ପର୍ଯ୍ୟଟକମାନେ ଦୁଇଚକିଆ ଓ ଚାରିଚକିଆ ଯାନରେ ଚଉଷଠୀ ଯୋଗିନୀ ପୀଠ ବୁଲିବାକୁ ଆସିଥାନ୍ତି। ଏହାଛଡ଼ା ସଟ୍କଟ୍ ରାସ୍ତା ଯୋଗୁ ବହୁ ଯାତ୍ରୀ ଏହିବାଟେ ପୁରୀ କଟକ ଓ ଭୁବନେଶ୍ବର ଯାଇଥାନ୍ତି। ସେତୁଟି ବହୁ ପୁରୁଣା ହୋଇଯାଇଥିବାରୁ କେତେବେଳେ ଏହା ଭୁଶୁଡ଼ି ପଡ଼ି ଧନଜୀବନ ହାନି ନଘଟିବ ତାହା କହି ହେଉ ନାହିଁ। ଜଳସେଚନ ନିର୍ବାହୀ ଯନ୍ତ୍ରୀ ଐତିହ୍ୟସ୍ଥଳୀ ନିକଟସ୍ଥ ଉକ୍ତ ସେତୁ ମରାମତି ନେଇ ଦାବି ହେଉଛି।