ଭୁବନେଶ୍ବର: ଦରମା ବାବଦ ବକେୟା ୪ଲକ୍ଷ ଟଙ୍କା ପାଇଁ ୧୬ବର୍ଷ ଧରି ବିଏମ୍ସି ଅଫିସ୍ ଦୌଡ଼ିଲେ। କିନ୍ତୁ ଜୀବନ ଚାଲିଗଲା ସିନା ଟଙ୍କା ମିଳିଲାନି। ବିଏମ୍ସି ଦ୍ବାରା ଏମିତି ପ୍ରତାରିତ ହୋଇଥିବା ଜଣେ କର୍ମଚାରୀ ହେଲେ, ରବିନାରାୟଣ ଦାଶ। ଆଜି ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି। ରବିନାରାୟଣଙ୍କ ପରିବାରଲୋକଙ୍କ ଅଭିଯୋଗ ହେଲା, ୨୦୦୬ ମସିହାରେ ବିଏମ୍ସିରୁ ଅବସର ନେବା ପରେ ତାଙ୍କୁ ପେନସନ୍ କିମ୍ବା ଦରମା ବାବଦ ବକେୟା ରାଶି ଦିଆଯାଇ ନଥିଲା।
ବକେୟା ଥିଲା ୪ଲକ୍ଷ, ୮ବର୍ଷ ଦୌଡ଼ିବା ପରେ ପାଇଥିଲେ ପେନ୍ସନ୍
ରବି ଏନେଇ ବାରମ୍ବାର ବିଏମ୍ସିକୁ ଦୀର୍ଘ ୮ ବର୍ଷ ଦୌଡ଼ିବା ପରେ ୨୦୧୪ ମସିହାରେ ତାଙ୍କୁ ପେନସନ୍ ମିଳିଥିଲା। କିନ୍ତୁ ବେକୟା ୪ଲକ୍ଷ ଟଙ୍କା ଦିଆଯାଇନଥିଲା। ଆଜି ହେବ, କାଲି ହେବ, ଫାଇଲ୍ ଅଫିସର୍ଙ୍କ ପାଖକୁ ଯାଇଛି, ଫାଇଲ୍ ହଜି ଯାଇଛି ଆଉଥରେ କାଗଜପତ୍ର ଦିଅ; ଆଦି ବିଭିନ୍ନ କଥା କହି ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ପ୍ରତିଥର ଅଫିସ୍ରୁ ଘଉଡ଼ାଇ ଦେଉଥିଲେ। ସେ ଶଯ୍ୟାଶାୟୀ ହୋଇପଡ଼ିବାରୁ ତାଙ୍କ ପରିବାରଲୋକ ମଧ୍ୟ ଅଫିସ୍ ଦୌଡ଼ିଲେ। କିନ୍ତୁ କିଛି ଫଳ ମିଳିଲାନି। ଶେଷରେ ଆଜି ରବିନାରାୟଣଙ୍କ ମୃତ୍ୟୁ ହୋଇଯାଇଛି।
ଖାଲି ରବିନାରାୟଣ ନୁହନ୍ତି, ଶରତ ପ୍ରଧାନ, ମୃତ ସୀତାକାନ୍ତ ରାଉତରାୟଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ ପୁରାତନ କର୍ମଚାରୀ ବିଏମ୍ସି ପ୍ରତାରଣାର ଆଉ କିଛି ଉଦାହରଣ। ଅବସର ପରେ ଏହି କର୍ମଚାରୀମାନେ ବିଏମ୍ସି ଅଫିସ୍କୁ ଲଗାତାର ଦୌଡ଼ୁଥିଲେ ହେଁ ସେମାନଙ୍କ ପ୍ରାପ୍ୟ କିମ୍ବା ପେନସନ୍ ଠିକ୍ ସମୟରେ ମିଳିପାରୁନାହିଁ। ପେନ୍ସନ୍ ତାଙ୍କ ହାତରେ ନଥିବା ଦର୍ଶାଇ ଅନେକ ସମୟରେ କର୍ତ୍ତୃପକ୍ଷ ସରକାରଙ୍କ ସ୍ପଷ୍ଟୀକରଣ ଲୋଡ଼ନ୍ତି। କମିସନର ପେନ୍ସନ୍ ମଞ୍ଜୁର କରିବା ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷ ହୋଇଥିବା ସରକାର ସ୍ପଷ୍ଟ କରିବା ପରେ ମଧ୍ୟ କର୍ମଚାରୀଙ୍କୁ ଜାଣିଜାଣି ହଇରାଣ କରାଯାଉଥିବା ଅଭିଯୋଗ ହୋଇ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/31-8.jpg)