ଭୁବନେଶ୍ବର: କିଛି ବର୍ଷ ହେଲା ଭୁବନେଶ୍ବର ପୂର୍ବଭାରତର ‘ଶିକ୍ଷା ହବ୍’ ପାଲଟିଛି। ପିଲାମାନେ ଏଠାକୁ ଉଚ୍ଚଶିକ୍ଷା ପାଇଁ କେବଳ ଆସୁଛନ୍ତି ତାହା ନୁହେଁ, ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ପାଇଁ ମଧ୍ୟ ଭୁବନେଶ୍ବର ଏବେ ଭରସାର କେନ୍ଦ୍ର ପାଲଟିଛି। ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରୁ ପିଲାମାନେ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ଏଠାକୁ ଆସୁଛନ୍ତି। ଏହାକୁ ଲକ୍ଷ୍ୟରଖି ରାଜଧାନୀରେ ବିଭିନ୍ନ ପ୍ରକାର କୋଚିଂ ସେଣ୍ଟର୍ ମଧ୍ୟ ଖୋଲିଛି। ଜାତୀୟସ୍ତରରେ ବହୁ ନାମିଦାମୀ କୋଚିଂ ଅନୁଷ୍ଠାନ ଭୁବନେଶ୍ବରରେ କେନ୍ଦ୍ର ଖୋଲିଛନ୍ତି। ଭୁବନେଶ୍ବର ସହରରେ ମିଳୁଥିବା ଭଲ ଶାନ୍ତ ପରିବେଶ, କମ୍ ଅପରାଧ ମାତ୍ରା ସହିତ ଦେଶର ଅନ୍ୟ ବଡ଼ ସହର ତୁଳନାରେ କମ୍ ଘରଭଡ଼ା ଓ ଖାଇବା ଖର୍ଚ୍ଚ କାରଣରୁ ପିଲାଙ୍କ ସହିତ ଅଭିଭାବକମାନଙ୍କର ମଧ୍ୟ ପ୍ରଥମ ପସନ୍ଦ ପାଲଟିଛି। ଏପରିକି ସିଭିଲ୍ ସର୍ଭିସ୍ ପରୀକ୍ଷା ପ୍ରସ୍ତୁତି ପାଇଁ ଦିଲ୍ଲୀ ଯିବା ଏକଦା ଅତ୍ୟାବଶ୍ୟକ ବୋଲି ଚିନ୍ତା କରା ଯାଉଥିବାବେଳେ ଏବେ ସେଥିପାଇଁ ଓଡ଼ିଆ ପିଲାମାନେ ଭୁବନେଶ୍ବରକୁ ବାଛୁଛନ୍ତି। କିନ୍ତୁ ଏହି ପିଲାଙ୍କ ପାଇଁ ଯଥେଷ୍ଟ ଉଚ୍ଚମାନର ଲାଇବ୍ରେରି ଏଠାରେ ନଥିବା ସେମାନେ ଅଭିଯୋଗ କରୁଛନ୍ତି।
ସରକାରୀ ଉଦ୍ୟମରେ ବହୁ ପୁରାତନ ରାଜ୍ୟ ପାଠାଗାରଟିଏ ଅଛି। ଏହାବାଦ୍ ସଂସ୍କୃତି ବିଭାଗ ପକ୍ଷରୁ ବାପୁଜୀନଗରରେ ଆଉ ଏକ ପାଠାଗାର ଖୋଲାଯାଇଛି। ଜୟଦେବଭବନରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଏକ ପାଠାଗାର ଅଛି। ସେହିପରି ଭୁବନେଶ୍ବର ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ପକ୍ଷରୁ ସହିଦନଗରରେ ମଧ୍ୟ ପାଠାଗାର ଖୋଲାଯାଇଛି। ଦୈନିକ ଖବରକାଗଜ ସହିତ ଏହି ଲାଇବ୍ରେରିଗୁଡ଼ିକୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ କିଛି ପତ୍ରିକା ଆସୁଛି ସତ, କିନ୍ତୁ ବିଭିନ୍ନ ବିଷୟର ମୂଳବହିଗୁଡ଼ିକର ଘୋର ଅଭାବ ରହିଛି। ଏହି ଲାଇବ୍ରେରିଗୁଡ଼ିକରେ ଗଳ୍ପ ଉପନ୍ୟାସ ଆଦି ତ ରହିଛି, କିନ୍ତୁ ବଦଳୁଥିବା ପାଠ୍ୟକ୍ରମ ଅନୁସାରେ ବହିର ଘୋର ଅଭାବ ରହିଛି। ଉଲ୍ଲେଖନୀୟ କଥା ହେଉଛି, ଲାଇବ୍ରେରିକୁ ବର୍ତ୍ତମାନ ଗପ ଉପନ୍ୟାସ ବହି ପଢ଼ିବାଲାଗି କ୍ବଚିତ୍ ଲୋକ ଯାଉଛନ୍ତି। ସେଠାକୁ ଯାଉଥିବା ଲୋକଙ୍କ ଭିତରୁ ପ୍ରାୟ ସମସ୍ତେ ଛାତ୍ର ଛାତ୍ରୀ। କିନ୍ତୁ ଲାଇବ୍ରେରିରେ ସେମାନଙ୍କ ଦରକାରରେ ଆସୁଥିବା ଖବରକାଗଜ ଓ ପତ୍ରିକା ବ୍ୟତୀତ ଆଉ ବିଶେଷକିଛି ନାହିଁ। ଏହି ଅଭାବକୁ ଖୁବ୍ ସହଜରେ ଓ କମ୍ ଖର୍ଚ୍ଚରେ ପୂରଣ କରିହେବ, କିନ୍ତୁ ସେ ଦିଗରେ କାହାର ଦୃଷ୍ଟି ବା ନିଷ୍ଠା ନାହିଁ।
ପୁଣି ରାଜ୍ୟ ପାଠାଗାର ସମେତ ଅନ୍ୟ ପ୍ରମୁଖ ଲାଇବ୍ରେରିରେ ବସି ପଢ଼ିବାଲାଗି ଯେତିକି ସିଟ୍ ରହିଛି, ତାହା ଯଥେଷ୍ଟ ହେଉନି। ଲାଇବ୍ରେରି ଖୋଲିବା ସାଙ୍ଗେ ସାଙ୍ଗେ ନଗଲେ ସିଟ୍ ମିଳୁନି। ଛୋଟିଆ ମେସ୍, ଘରୋଇ ହଷ୍ଟେଲ ବା କୌଣସି ସଂପର୍କୀୟଙ୍କ ଘରର ଗହଳି ଭିତରେ ରହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ପିଲାଏ ଦିନବେଳା ଅନ୍ତତଃ ଲାଇବ୍ରେରିରେ ଶାନ୍ତିରେ ବସି ପଢ଼ିବାର ସୁବିଧା ଆଶା କରନ୍ତି। କିନ୍ତୁ ସେ ସୁଯୋଗ ମଧ୍ୟ ସମସ୍ତଙ୍କୁ ମିଳୁନାହିଁ।
ଆଉ ଗୋଟିଏ ବଡ଼ ସମସ୍ୟା ହେଉଛି ଲାଇବ୍ରେରିଗୁଡ଼ିକର ଅବସ୍ଥିତି। ଉପରୋକ୍ତ ଲାଇବ୍ରେରିଗୁଡ଼ିକ ରାଜଧାନୀର କେନ୍ଦ୍ରସ୍ଥଳୀରେ ରହିଛି। ସହରର କେନ୍ଦ୍ରସ୍ଥଳରେ ଭଡ଼ାଘରେ ରହିବା ଆର୍ଥିକ ଦୃଷ୍ଟିରୁ ଖର୍ଚ୍ଚବହୁଳ। ସେଥିପାଇଁ ଅନେକ ଛାତ୍ରଛାତ୍ରୀ ପଟିଆ, ଖଣ୍ଡଗିରି, ଲୁଇସ୍ ରୋଡ୍, ଭିଏସ୍ଏସ୍ନଗର, ଡୁମୁଡୁମା ଆଦି ଅଞ୍ଚଳର ମେସ୍ ବା ଘରୋଇ ହଷ୍ଟେଲରେ ରହୁଛନ୍ତି। ସେମାନଙ୍କ ପାଇଁ ଲାଇବ୍ରେରିଗୁଡ଼ିକର ଦୂରତା ବହୁତ ଅଧିକ ହୋଇ ଯାଉଛି।