ପୁରୁଣା ଭୁବନେଶ୍ବର: ରାଜଧାନୀର ଅନ୍ୟତମ ନିର୍ଭରଶୀଳ ସରକାରୀ ଡାକ୍ତରଖାନା ବିଏମ୍ସି ହସ୍ପିଟାଲରେ ଚାଲିଛି ବିଭିନ୍ନ ଔଷଧ କମ୍ପାନିର ମେଡିସିନି ରିପ୍ରେଜେଣ୍ଟେଟିଭ୍(ଏମ୍ଆର୍)ଙ୍କ ରାଜ୍। ଡାକ୍ତରମାନଙ୍କୁ ପ୍ରଲୋଭିତ କରି ସେମାନେ ନିଜ ନିଜ କମ୍ପାନିର ଔଷଧ ବିକ୍ରି ବଢ଼ାଇବାରେ ଲାଗିଛନ୍ତି। ଏମିତିକି ହସ୍ପିଟାଲରେ ଥିବା ନିରାମୟ କେନ୍ଦ୍ରର କିଛି କର୍ମଚାରୀଙ୍କୁ ବି ସେମାନେ କରାୟତ୍ତ କରିନେବାରେ ସକ୍ଷମ ହୋଇଛନ୍ତି। ଫଳରେ କିଛି ଡାକ୍ତର ନିରାମୟ କେନ୍ଦ୍ରରେ ଥିବା ଔଷଧ ଲେଖୁନାହାନ୍ତି। ଯେଉଁ କିଛି ଡାକ୍ତର ଚିଠାରେ ସରକାରୀ ଔଷଧ ଲେଖୁଛନ୍ତି, ସେହି ଔଷଧ ନିରାମୟ କେନ୍ଦ୍ରରେ ଥିଲେ ବି ଏମ୍ଆର୍ଙ୍କ ପ୍ରଲୋଭନର ଶିକାର ହୋଇଥିବା କର୍ମଚାରୀ ରୋଗୀଙ୍କୁ ନାହିଁ ବୋଲି କହି ଖାଲି ହାତରେ ଫେରାଇ ଦେଉଛନ୍ତି। ତେଣୁ ବିଏମ୍ସି ହସ୍ପିଟାଲ୍ରେ ଏମ୍ଆର୍, କିଛି ଅସାଧୁ ଡାକ୍ତର ଓ କର୍ମଚାରୀଙ୍କୁ ନେଇ ଚାଲିଥିବା ମଧୁଚନ୍ଦ୍ରିକା ଯୋଗୁ ଶହଶହ ରୋଗୀ ଆର୍ଥିକ ଶୋଷଣର ଶିକାର ହେଉଛନ୍ତି।
ସୋମବାର ବିଏମ୍ସି ହସ୍ପିଟାଲ୍ରେ ଏଭଳି ଏକ ଚିତ୍ର ନଜରକୁ ଆସିଥିଲା। କବିତା ମଲ୍ଲିକ ଲମ୍ବା ଧାଡ଼ିରେ ଠିଆ ହୋଇ ଦୀର୍ଘ ସମୟ ଅପେକ୍ଷା କରିବା ପରେ ଓପିଡି ପଞ୍ଜୀକରଣ କେନ୍ଦ୍ରରୁ ଟିକେଟ୍ ସଂଗ୍ରହ କରିଥିଲେ। ଏହାପରେ ଡାକ୍ତରଙ୍କ ଚାମ୍ବର ସମ୍ମୁଖରେ ବି ତାଙ୍କୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିଲା। ତେବେ ପ୍ରାୟ ଘଣ୍ଟାକ ପରେ ସେ ଡାକ୍ତରଙ୍କୁ ଭେଟିଥିଲେ। ଚିଠାରେ ଡାକ୍ତର ୬ ପ୍ରକାର ଔଷଧ ଲେଖିଦେଇ ନିରାମୟ କେନ୍ଦ୍ରରୁ ମିଳିବ ବୋଲି କହିଥିଲେ। କିନ୍ତୁ କବିତା ନିରାମୟ କେନ୍ଦ୍ରରୁ ମାତ୍ର ୩ଟି ଔଷଧ ପାଇଥିଲେ ଏବଂ ବାକି ତିନିଟି ବାହାରୁ କିଣିବାକୁ କେନ୍ଦ୍ର କର୍ମଚାରୀ ତାଙ୍କୁ କହିଥିଲେ। କବିତା ପ୍ରତିବାଦ କରିଥିଲେ। ଡାକ୍ତର ତ କହିଲେ ନିରାମୟରୁ ମିଳିବ, ଆପଣ କ’ଣ ପାଇଁ ଦେଉନାହାନ୍ତି ବୋଲି ପ୍ରଶ୍ନ କଲେ।
ବଡ଼ କାଇଦାରେ ନିରାମୟ କେନ୍ଦ୍ର କର୍ମଚାରୀ ବୁଝାଇ କହିଲେ, ଡାକ୍ତର କ’ଣ ଜାଣୁଛନ୍ତି, ଏଠି ଷ୍ଟକ୍ରେ କ’ଣ ଅଛି, କ’ଣ ନାହିଁ। ତିନିଟି ଔଷଧ ଥିଲା ବୋଲି ତ ଦିଆଗଲା। ବିଚାରୀ କବିତା ଆଉ ଯୁକ୍ତି ନ କରି ଫେରିଥିଲେ ଏବଂ ଔଷଧ ଦୋକାନରୁ ବାକିତକ କିଣିଥିଲେ। ବୁଝୁବୁଝୁ ଜଣାପଡ଼ିଲା ଯେ କବିତା ବାହାରୁ କିଣିଥିବା ଔଷଧ ଦାମିକା। ତେଣୁ ନିରାମୟ କେନ୍ଦ୍ରର କର୍ମଚାରୀ ତାଙ୍କୁ ଭୁଆଁ ବୁଲାଇ ଦେଇଥିଲା ବୋଲି ସେ ଜାଣିଲେ ବି ମୁଣ୍ଡରେ ହାତ ଦେବା ଛଡ଼ା ତାଙ୍କର କିଛି କରିବାର ନଥିଲା। ସେହିପରି ଅନ୍ୟ ଜଣେ ରୋଗୀ ଆରୋହୀ ପଣ୍ଡା ଓପିଡି କାଉଣ୍ଟରରୁ ଟିକେଟ୍ ନେବା ପରେ ଡାକ୍ତରଙ୍କ ଚାମ୍ବର ସମ୍ମୁଖରେ ଦୀର୍ଘ ସମୟ ଅପେକ୍ଷା କରିଥିବା କହିଥିଲେ। ଉକ୍ତ ଡାକ୍ତର ରୋଗୀ କମ ଦେଖୁଥିଲେ ଏବଂ ଏମ୍ଆର୍ଙ୍କ ସହ ବେଶି ସମୟ କଥା ହେଉଥିଲେ ବୋଲି ଶ୍ରୀ ପଣ୍ଡା କହିଥିଲେ। ତାଙ୍କୁ ଡାକ୍ତର ଯେଉଁ ଚିଠା ଦେଲେ, ସେସବୁ ଔଷଧ ତାଙ୍କୁ ବାହାରୁ କିଣିବାକୁ ପଡ଼ିଥିଲା। ଶ୍ରୀ ପଣ୍ଡାଙ୍କ ଭଳି ଅଭିଯୋଗ ଆଣିଥିଲେ ଅନ୍ୟ ଜଣେ ରୋଗୀ ପ୍ରଭାକର ବରାଳ। ଭାତ ହାଣ୍ଡିରୁ ଗୋଟିଏ ଚିପିବା ଭଳି ଏହି ତିନିଜଣଙ୍କ ଉଦାହରଣ ବିଏମ୍ସି ହସ୍ପିଟାଲରେ ଏମ୍ଆର୍ଙ୍କ ରାଜୁତି ଜଳଜଳ କରି ଦେଖାଇ ଦେଉଛି।
କେବଳ ରୋଗୀଙ୍କ ସମସ୍ୟା ଏତିକିରେ ସରୁନି। ଏହି ହସ୍ପିଟାଲ୍ ଉପରେ ପୁରୁଣା ଭୁବନେଶ୍ବର ସମେତ ସୁନ୍ଦରପଦା, ବୀରବନ୍ଧ, ବୋତଣ୍ଡା, ଭୀମଟାଙ୍ଗୀ, ପୋଖରୀପୁଟ, କପିଳେଶ୍ବର, ଓରକଳ, ଶିଶୁପାଳଗଡ଼, ପିପିଲି, ନୂଆଗାଁ, ଉତ୍ତରା, ବାଳକାଟି ଆଦି ଅଞ୍ଚଳର ଲୋକମାନେ ନିର୍ଭର କରିଥାନ୍ତି। ପ୍ରତିଦିନ ହଜାରରୁ ଅଧିକ ରୋଗୀ ଏଠାକୁ ଆସୁଛନ୍ତି। ମାତ୍ର ଗୋଟିଏ ଓପିଡି କାଉଣ୍ଟର କରାଯାଇଛି। ମହିଳାମାନଙ୍କ ପାଇଁ ଅଲଗା କାଉଣ୍ଟର କରାଯାଇନାହିଁ। ଫଳରେ ପଞ୍ଜୀକରଣ କେନ୍ଦ୍ରରୁ ଟିକେଟ୍ ନେବା ପାଇଁ ଘଣ୍ଟାଏରୁ ଅଧିକ ସମୟ ଲାଗି ଯାଉଛି। ଏହାପରେ ଡାକ୍ତରଙ୍କୁ ଘେରି ରହିଥିବା ମାଳମାଳ ଏମ୍ଆର୍ଙ୍କ ପାଇଁ ରୋଗୀ ପୁଣି କଷ୍ଟ ଭୋଗୁଛି। ଏଠାରେ ଫାଟକଠାରୁ ଆରମ୍ଭ କରି ଡାକ୍ତରଙ୍କ ଚାମ୍ବର ଯାଏ ସୁରକ୍ଷା କର୍ମୀ ଜଗିଛନ୍ତି। ସିସିଟିଭି କ୍ୟାମେରା ବି ଲାଗିଛି। ତଥାପି ଏମ୍ଆର୍ମାନେ ବେଧଡ଼କ ବୁଲୁଛନ୍ତି। ଏନେଇ ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମ୍ଓ) ଜିତେନ୍ଦ୍ର ବେବର୍ତ୍ତା କହିଛନ୍ତି ଯେ ଏମ୍ଆର୍ମାନେ ହସ୍ପିଟାଲ୍ ଭିତରକୁ କିଭଳି ନ ଆସିବେ, ସେଥିପ୍ରତି ଦୃଷ୍ଟି ଦିଆଯିବ।