ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜ ମନ୍ଦିର ଯାଞ୍ଚ ହେବ। ଏଥିପାଇଁ ସାଟେଲାଇଟ୍‌ ମାଧ୍ୟମରେ ଡିଜିପିଏଫ୍‌ ପ୍ରକ୍ରିୟାରେ ମନ୍ଦିରର ଡ୍ରୋନ୍‌ ସର୍ଭେ କରାଯାଇ ହାଇ ରିଜୋଲ୍ୟୁସନ୍‌ର ଫଟୋ ଉଠାଯିବ। ମନ୍ଦିର ଭିତର ପାର୍ଶ୍ବର ଥ୍ରିଡି ଲେଜର୍‌ ସ୍କାନିଂ ହେବ। ମନ୍ଦିରର ସୁରକ୍ଷା ଯାଞ୍ଚ ପାଇଁ ମନ୍ଦିର ଭିତରେ ୨୫୦ ଫୁଟର ଉଚ୍ଚ ଏବଂ ୫୦ ଟନ୍‌ ଓଜନ ବହନ କରୁଥିବା ଏକ କ୍ରେନ୍‌ ଏଏସ୍‌ଆଇ ପକ୍ଷରୁ ରଖାଯିବ। ଏଥିସହ ପାଣି ଗଳୁଥିବା ସ୍ଥାନକୁ ଚିହ୍ନଟ କରାଯାଇ ମରାମତି କରାଯିବ। ଲିଙ୍ଗରାଜ ମନ୍ଦିର ପରିସରରେ ଥିବା ସମସ୍ତ ମନ୍ଦିରର ରକ୍ଷଣାବେକ୍ଷଣ କରାଯିବ। ‌ଲିଙ୍ଗରାଜଙ୍କ ରୋଷଘର ମଧ୍ୟ ମରାମତି କରାଯିବ। ୨୦୨୩ ଅଗଷ୍ଟରେ ଏଏସ୍‌ଆଇ ପକ୍ଷରୁ କିଛି ଏମିତି ଯୋଜନା ହୋଇଥିଲା। ହେଲେ ଏଯାଏ କିଛି କାମ ହୋଇପାରିନାହିଁ। ବଡ଼ କଥା ହେଲା, ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ଅଧିକାରୀ ଏନେଇ କିଛି ଜାଣି ନଥିବା କହିବା ଅନେକଙ୍କୁ ଚକିତ କରିଛି।

Advertisment

ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଭିତରେ ଏକାଧିକ ସ୍ଥାନରେ ପାଣି ଗଳୁଛି। ଭିତର ଓ ବାହାରେ ପଥର ନଷ୍ଟ ହେଉଛି। ମନ୍ଦିର ଭିତର କେଉଁ ଅବସ୍ଥାରେ ଅଛି ତାହା ବାହାରୁ ଜଣାପଡ଼ୁନାହିଁ। ତେଣୁ ତୁରନ୍ତ ଲିଙ୍ଗରାଜ ମନ୍ଦିରର ଭିତର ଓ ବାହାର ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ ସହ ମନ୍ଦିର ସରଂକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବହୁ ଦିନ ଧରି ଦାବି ହେଉଛି। ବାରମ୍ବାର ଦାବି ପରେ ଦୁଇ ବର୍ଷ ତଳେ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସ୍ଥିତି ଅନୁଧ୍ୟାନ ପାଇଁ ଏଏସ୍ଆଇର ନିର୍ଦ୍ଦେଶକ (ସଂରକ୍ଷଣ) ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ମନ୍ଦିର ଯାଞ୍ଚ ସହ ଆବଶ୍ୟକ ପଦେକ୍ଷପ ନିଆଯିବ ବୋଲି କହିଥିଲେ। ହେଲେ ଦୁଇ ବର୍ଷ ପରେ ବି ଗୋଟେ ହେଲେ କାମ ଆରମ୍ଭ ହୋଇନାହିଁ। ହଜାର ବର୍ଷ ପୁରୁଣା ଲିଙ୍ଗରାଜ ମନ୍ଦିର କଳିଙ୍ଗ ପଞ୍ଚରଥ ଶୈଳୀରେ ତିଆରି ହୋଇଛି। ଲିଙ୍ଗରାଜ ମନ୍ଦିର ପରିସରରେ ପାଖାପାଖି ଶହେ ଛୋଟବଡ଼ ମନ୍ଦିର ରହିଛି। ଯାହା କି ବିଶ୍ବରେ ବିରଳ। ଏହି ସବୁ ମନ୍ଦିର ଏଏସ୍ଆଇ ଅଧୀନରେ ରହିଛି। ରକ୍ଷଣାବେକ୍ଷଣ ଠିକ୍‌ ଭାବେ  କରାଯାଉ ନଥିବାରୁ ଲିଙ୍ଗରାଜ ମନ୍ଦିର ସହ ଅନ୍ୟସବୁ ମନ୍ଦିର ସ୍ଥିତି ବିଗିଡ଼ିବାରେ ଲାଗିଛି। ମୁଖ୍ୟ ମନ୍ଦିରର ବାହାର କାରୁକାର୍ଯ୍ୟ ଲିଭିଗଲାଣି। ଏକାଧିକ ସ୍ଥାନରୁ ପଥର ଭାଙ୍ଗିଗଲାଣି। ଅଧିକାଂଶ ମନ୍ଦିରରେ ପାର୍ଶ୍ବଦେବଦେବୀ ନାହାନ୍ତି। କିଛି ମନ୍ଦିରରେ ପଥର ଫାଟ ଦେଖାଯାଉଛି। ବର୍ଷା ହେଲେ ଜଗମୋହନ, ଅରଗଳି ଓ ନାଟମଣ୍ଡପରେ ପାଣି ଗଳୁଛି। ବେଢ଼ାରେ ଥିବା ମା’ ପାର୍ବତୀଙ୍କ ମନ୍ଦିର ସମେତ ପ୍ରାୟ ସବୁ ମନ୍ଦିରରେ ପାଣି ଗଳୁଛି। 

ରୋଷଘର ବହୁବର୍ଷ ହେବ ମରାମତି ନହେବାରୁ ସେଠାରେ ରୋ‌ଷେଇ ହୋଇପାରୁନାହି। ଡ୍ରେନେଜ୍‌ ସମସ୍ୟାର ସମାଧାନ ହେଉନଥିବାରୁ ସାମାନ୍ୟ ବର୍ଷା ହେଲେ ସିଂହଦ୍ବାର ଓ ବୃଷଭ(ନନ୍ଦୀ)ଘର ଭିତରେ ଥିବା ପାହାଚ ଓ ଗଣେଶ ମନ୍ଦିରରେ ପାଣି ଜମୁଛି। ଏସବୁ ସମସ୍ୟାର ସମାଧାନ ପାଇଁ ସେବାୟତ ଦାବି କରିଛନ୍ତି। ଏଏସ୍‌ଆଇ ଭୁବନେଶ୍ବର ମଣ୍ଡଳ ମୁଖ୍ୟ ନନ୍ଦ କିଶୋର ସ୍ବାଇଁ କହିଛନ୍ତି ପୂର୍ବରୁ କ’ଣ ନିଷ୍ପତ୍ତି ସେ ସମ୍ପର୍କରେ ମୋ ପାଖରେ ସୂଚନା ନାହିଁ। ଯେଉଁ ସ୍ଥିତିରେ ମନ୍ଦିର ଅଛି ତାକୁ ‌କିଭଳି ରକ୍ଷଣାବେକ୍ଷଣ କରାଯିବ ତାହା ହେଉଛି ଏଏସ୍‌ଆଇର ଦାୟିତ୍ବ। ତେଣୁ ଲିଙ୍ଗରାଜ ମନ୍ଦିରରେ ପାଣି ଗଳୁଥିବା ସ୍ଥାନକୁ ମରାମତି କରାଯିବ। ଖୁବ୍‌ ଶୀଘ୍ର ରୋଷଘର କାମ ଆରମ୍ଭ ହେବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି।