ଖଣ୍ଡଗିରି: ୩ ବର୍ଷ ହେଲା ଓଭରହେଡ୍ ଟାଙ୍କି ପାଇଁ ଆବଦେନ ହୋଇଛି। ହେଲେ ଅନୁମତି ମିଳିପାରୁନି। ଫଳରେ ବିଏମ୍ସିର ୩୭ ଓ ୩୮ ନମ୍ବର ୱାର୍ଡ ଅନ୍ତର୍ଗତ ନୂଆପଲ୍ଲୀ ଅଞ୍ଚଳର ୨୨ହଜାର ଗ୍ରାହକଙ୍କ ପାନୀୟ ଜଳ ସମସ୍ୟା ଲାଗିରହିଛି। ଘରକୁ ପାଣି ପାଇପ୍ ସଂଯୋଗ ହୋଇଥିଲେ ମଧ୍ୟ ଆବଶ୍ୟକ ପରିମାଣର ପାଣି ମିଳୁନାହିଁ। ତେଣୁ ଗତ ୨ ମାସ ହେଲା ଲୋକଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ହେଉଛି। ରାଜଧାନୀର ବହୁ ଅଞ୍ଚଳରେ ଅମୃତ ଯୋଜନାରେ ୨୪ ଘଣ୍ଟିଆ ଜଳ ଯୋଗାଣ ହେଉଥିଲେ ବି ନୂଆପଲ୍ଲୀ ଭଳି ଅଞ୍ଚଳରେ ଏହି ଯୋଜନା ସ୍ବପ୍ନ ପାଲଟିଛି। ଓଭର୍ହେଡ୍ ପାଣି ଟାଙ୍କି ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲେ ବି ଫାଇଲ୍ ସେମିତି ଅଲୋଡ଼ା ଅବସ୍ଥାରେ ପଡ଼ିରହିଛି ବୋଲି ଅଭିଯୋଗ ହୋଇଛି।
ନୂଆପଲ୍ଲୀର ମଙ୍ଗଳାମନ୍ଦିର ଅଞ୍ଚଳ, ମେଟ୍ରୋସିଟି ସାମ୍ନା ଅଞ୍ଚଳ, ବନଦୁର୍ଗା ଲେନ୍, ନିରୁପମା ଆପାର୍ଟମେଣ୍ଟ ଲେନ୍ ଭଳି ଅଞ୍ଚଳରେ ଘରକୁ ପାଇପ୍ ସଂଯୋଗ ହୋଇଛି। କିନ୍ତୁ ଲୋକମାନେ ଆବଶ୍ୟକ ପରିମାଣର ପାଣି ପାଇପାରୁନାହାନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ ୧ଟା ଯାଏଁ ଜଳଯୋଗାଣ ହେଉଛି ବୋଲି ରେକର୍ଡ କହୁଥିଲେ ବି କେତେବେଳେ ପାଣି ୨୦ ମିନିଟ୍ ଆସୁଛି ତ କେତେବେଳେ ୧୫ ମିନିଟ୍ ଆସୁଛି ବୋଲଇ ଲୋକେ ଅଭିଯୋଗ କରିଛନ୍ତି। ଅଧିକାଂଶ ସମୟରେ ପାଇପ୍ରେ ଜଳ ପ୍ରବାହ ଏତେ କମ୍ ହେଉଛି ଯେ ବାଲ୍ତିଏ ପାଣି ଭରିବା ପୂର୍ବରୁ ଜଳଯୋଗାଣ ବନ୍ଦ ହୋଇଯାଉଛି। ବାରମ୍ବାର ଅଭିଯୋଗ ହେବା ପରେ ଗତ ବର୍ଷ ୱାଟ୍କୋ କର୍ତ୍ତୃପକ୍ଷ ଅସ୍ଥାୟୀ ବ୍ୟବସ୍ଥା କରି ଟ୍ୟାଙ୍କର୍ ଯୋଗେ ଜଳଯୋଗାଣ କରିଥିଲେ। କିନ୍ତୁ ସବୁ ଲୋକ ବାହାରକୁ ଆସି ଟ୍ୟାଙ୍କରରୁ ଜଳ ବୋହିବା ସମ୍ଭବ ହେଲାନାହିଁ। ଆପାର୍ଟମେଣ୍ଟ ବାସିନ୍ଦାମାନେ ଟ୍ୟାଙ୍କର୍ରୁ ପାଣି ବୋହି ପାରିଲେନି।
ଚଳିତ ବର୍ଷ ଟ୍ୟାଙ୍କର ମଧ୍ୟ ପ୍ରଦାନ କରାଯାଇନାହିଁ। ଅଭିଯୋଗ ଅନୁଯାୟୀ ପିଏଚ୍ଡି ବିଭାଗ ହାତରୁ ୱାଟ୍କୋକୁ ପାନୀୟ ଜଳ ଯୋଗାଣ ଦାୟିତ୍ବ ଦିଆଯିବା ପରଠାରୁ ଏହି ଅବବ୍ୟସ୍ଥା ଦେଖାଯାଇଛି। ସୁବିଧା ପାଇବା ବଦଳରେ ଲୋକେ ଅଧିକ ହନ୍ତସନ୍ତ ହେଉଛନ୍ତି। ପୂର୍ବରୁ କୁଆଖାଇରୁ ଏହି ଅଞ୍ଚଳକୁ ପାଣି ଯୋଗାଇ ଦିଆଯାଉଥିଲା। କିନ୍ତୁ ୪ବର୍ଷ ତଳେ ଜୟଦେବବିହାର ଛକରୁ ଏହି ଲାଇନ୍ କାଟି ସିଆର୍ପି ଆଡୁ ଆସୁଥିବା ନରାଜ ପାଣି ଲାଇନ୍ ସହିତ ଏହି ଅଞ୍ଚଳକୁ ଯୋଡ଼ି ଦିଆଗଲା। ସେବେଠାରୁ ଏହି ସମସ୍ୟା ଲାଗିରହିଛି। ଏନେଇ ୨୦୨୨ ମସିହାରେ ୱାଟ୍କୋ ସାଧାରଣ ପ୍ରଶାସନ ବିଭାଗ(ଜିଏ)କୁ କସ୍ତୁରବା ପଡ଼ିଆରେ ଟାଙ୍କି ନିର୍ମାଣ କରିବାକୁ ଚିଠି ଲେଖିଥିଲେ। ଏପର୍ଯ୍ୟନ୍ତ ଜିଏ ପକ୍ଷରୁ ଅନୁମତି ମିଳି ପାରିନାହିଁ।
ଏ ସମ୍ପର୍କରେ ୩୭ ନମ୍ବର କର୍ପୋରେଟର ବନ୍ଦିତା ପାଲ୍ କହିଛନ୍ତି, ଓଭର୍ହେଡ୍ ପାଣି ଟାଙ୍କି ନିର୍ମାଣ କରିବାକୁ ଗତ ତିନିବର୍ଷ ହେଲା ପ୍ରସ୍ତାବ ଦିଆଯାଇଛି । ୱାଟ୍କୋ ଜିଏକୁ ଚିଠି ଲେଖି ଜାଗା ମାଗିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଅନୁମତି ମିଳି ପାରିନାହିଁ। ତେଣୁ ପାଣି ଅସୁବିଧା ଲାଗି ରହିଛି। ଭୋଇସାହି ଓ ସୁଶୀଳା ଆପାର୍ଟମେଣ୍ଟ ପଛ ଅଞ୍ଚଳ, ବାଲୁଙ୍କେଶ୍ୱର ମନ୍ଦିର ପାଖ ଅଞ୍ଚଳ ଅଧିକ ପ୍ରଭାବିତ ହେଉଛନ୍ତି। ତତ୍କାଳୀନ ସରକାର ୨୪ ଘଣ୍ଟା ପାଣି ଯୋଗାଇବାକୁ କଥା ଦେଇ ଜାଣିଶୁଣି ଟାଙ୍କି ନିର୍ମାଣ ପାଇଁ ଅନୁମତି ଦେଇନଥିଲେ। ଏବେ ସରକାରୀ ବାବୁଙ୍କ ଉଦାସିନତା ଯୋଗୁ ସାଧାରଣ ଲୋକଙ୍କୁ ହଇରାଣ ହେବାକୁ ପଡୁଛି।