ଭୁବନେଶ୍ବର: ରାଜଧାନୀରେ କଳେବର ଯେତିକି ବଢ଼ୁଛି, ନିଯୁକ୍ତି ସୁଯୋଗ ମଧ୍ୟ ସେତିକି ବଢ଼ୁଛି। ସହରରେ ବିଭିନ୍ନ ସରକାରୀ ସୁଯୋଗ ଯାହା ହେଉଛି ତା’ ସହିତ ବେସରକାରୀ ସଂସ୍ଥା ମଧ୍ୟ ତାଙ୍କର କାର୍ଯ୍ୟାଳୟ ଖୋଲୁଛନ୍ତି। ସହର ଭିତରେ ଓ ଉପକଣ୍ଠରେ ବି ଶିଳ୍ପାଞ୍ଚଳ ଗଢ଼ିଉଠିଛି। ଯେହେତୁ ଏଠାରେ ନିଯୁକ୍ତିର ଯଥେଷ୍ଟ ସୁଯୋଗ ରହିଛି, ତେଣୁ ସାରା ରାଜ୍ୟରେ ସମସ୍ତଙ୍କ ନଜର ଏବେ ରାଜଧାନୀ ଉପରେ। ଏହି ନିଯୁକ୍ତି ସୁଯୋଗରେ ଝିଅମାନଙ୍କର ମଧ୍ୟ ଏକ ବଡ଼ ଭାଗୀଦାରିତା ରହିଛି। ବିଭିନ୍ନ ସଂସ୍ଥା ମହିଳା କର୍ମଚାରୀଙ୍କୁ ରଖୁଛନ୍ତି। ତେଣୁ ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ମହିଳା ଏଠାକୁ କାମ କରିବାକୁ ଆସୁଛନ୍ତି। କିନ୍ତୁ ଏହି କର୍ମଜୀବୀ ମହିଳାଙ୍କ ପାଇଁ ରହିବା ଏବଂ ନିରାପତ୍ତା ଏକ ବଡ଼ ପ୍ରସଙ୍ଗ ଭାବେ ଉଭା ହୋଇଛି।

Advertisment

ରାଜଧାନୀରେ ଘରଭଡ଼ାର ଦର ଏତେ ଅଧିକା ଯେ ଯେଉଁମାନେ କମ୍ ଦରମାରେ ଚାକିରି କରୁଛନ୍ତି ସେମାନେ ବହୁଦିନ ଯାଏ ଏଠାରେ ତିଷ୍ଟି ରହିପାରୁ ନାହାନ୍ତି। ତା’ ସହିତ କର୍ମଜୀବୀ ମହିଳାଙ୍କ ପାଇଁ ନିରାପତ୍ତା ମଧ୍ୟ ଆଉ ଏକ ପ୍ରମୁଖ ସମସ୍ୟା। ଏହାକୁ ନଜରରେ ରଖି ବହୁବର୍ଷ ତଳେ ସରକାର କର୍ମଜୀବୀ ମହିଳା ନିବାସ ଯୋଜନା ଆରମ୍ଭ କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଭୁବନେଶ୍ବରରେ ଏତେ ନିଯୁକ୍ତି ସୃଷ୍ଟି ହେଉଥିଲେ ବି ଗୋଟିଏ ହିଁ କର୍ମଜୀବୀ ମହିଳା ନିବାସ ଅଛି। କର୍ମଜୀବୀ ମହିଳାଙ୍କ ସଂଖ୍ୟା ମଧ୍ୟ ଆଶାତୀତ ଭାବେ ବଢ଼ୁଛି। ବିଭିନ୍ନ ସମୟରେ କର୍ମଜୀବୀ ମହିଳା ନିବାସ ଅଧିକ କରିବାକୁ ଦାବି ହେଉଥିଲେ ବି ସରକାର ପ୍ରତିଶ୍ରୁତି ଦେଇଛନ୍ତି ଓ ଘୋଷଣା କରିଛନ୍ତି। କିନ୍ତୁ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ୟୁନିଟ୍‌-୫ରେ ଗୋଟିଏ ନିବେଦିତା କର୍ମଜୀବୀ ମହିଳା ନିବାସ ଅଛି। ସେଠାରେ ୧୩୯ଟି ସିଟ୍‌ ରହିଛି। କିନ୍ତୁ ସେଠାରେ ସମସ୍ତଙ୍କୁ ସୁଯୋଗ ଦେବା ସମ୍ଭବ ହେଉନାହିଁ। ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି ଯେ, ସହର ଭିତରେ ରସୁଲଗଡ଼, ମଞ୍ଚେଶ୍ବର ଦୁଇଟି ଶିଳ୍ପାଞ୍ଚଳ ଅଛି। ଏହି ଶିଳ୍ପାଞ୍ଚଳକୁ ଆଖି ଆଗରେ ରଖି ସରକାର ଗୋଟିଏ କର୍ମଜୀବୀ ମହିଳା ହ‌ଷ୍ଟେଲ କରିଥିଲେ। କିନ୍ତୁ ସେ ବହୁତ ଦିନର ପୁରୁଣା କୋଠା ହେବାପରେ ସରକାର ତାହା ବନ୍ଦ କରିଦେଲେ। ଏହାପରେ କହିଲେ ଯେ ଏଠାରେ ଗୋଟିଏ କର୍ମଜୀବୀ ମହିଳା ନିବାସ କରିବେ। କିନ୍ତୁ ତାହା କାର୍ଯ୍ୟକାରୀ ହେଲାନି, ପୁରୁଣାଟି ମଧ୍ୟ ବନ୍ଦ ହୋଇଗଲା। ଯେହେତୁ ମଞ୍ଚେଶ୍ବର ଓ ରସୁଲଗଡ଼ ଶିଳ୍ପାଞ୍ଚଳରେ ବହୁ ସଂଖ୍ୟାରେ କର୍ମଜୀବୀ ମହିଳା ରହନ୍ତି, ସେଥିପାଇଁ ଶିଳ୍ପାଞ୍ଚଳ ପାଖରେ ହିଁ ଏହା ଖୋଲାଯାଇଥିଲା। ଏହି ଦୁଇଟି ଶିଳ୍ପାଞ୍ଚଳ ବାଦ୍‌ ପୁଣି ସହରର ଉପକଣ୍ଠରେ ଏକାଧିକ ଶିଳ୍ପାଞ୍ଚଳ ଗଢ଼ି ଉଠିଛି। ଏହା ସହିତ ଖୋର୍ଦ୍ଧାର ମଝିରେ ମଝିରେ ଅନେକ ଶିଳ୍ପାଞ୍ଚଳ ଦିନକୁ ଦିନ ବଢ଼ୁଛି। ବିଧାନସଭାରେ ଏସମ୍ପର୍କରେ ବାରମ୍ବାର ଦାବି କରାଯାଇଛି। କିନ୍ତୁ ସରକାର ଶିଳ୍ପାଞ୍ଚଳ ଗଢ଼ୁଛନ୍ତି ସତ, ସେଠାରେ କାମ କରୁଥିବା ମହିଳାମାନଙ୍କ କଥା ଚିନ୍ତା କରୁନାହାନ୍ତି। ଏହାକୁ ନେଇ ଛୋଟଛୋଟ ଶିଳ୍ପସଂସ୍ଥା କାମ କରୁଥିବା ବହୁ କର୍ମଜୀବୀ ମହିଳା ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏନେଇ ଘରୋଇ କମ୍ପାନିରେ କାମ କରୁଥିବା ଜଣେ ମହିଳା ବୈଶାଖୀ ପଣ୍ଡା କହନ୍ତି, ‘ଗ୍ରାଜୁଏସନ୍‌ ପରେ ନିଜେ କିଛି କରିବା ଆଶାରେ କେନ୍ଦ୍ରାପଡ଼ାରୁ ରାଜଧାନୀକୁ ଆସିଲି। ଖୋଜାଖୋଜି କରି ଚାକିରିଟିଏ ମିଳିଗଲା। କିନ୍ତୁ ଘର ଭଡ଼ା ଖୋଜି ଖୋଜି ନୟାନ୍ତ ହୋଇଗଲି। ଶେଷରେ ଚିନ୍ତା କଲି ପ୍ରାଇଭେଟ୍‌ ହ‌ଷ୍ଟେଲ୍‌ରେ ରହିବି। ଅତି କଷ୍ଟରେ ଖୋଜାଖୋଜି ପରେ ଗୋଟିଏ ପ୍ରାଇଭେଟ୍‌ ହ‌ଷ୍ଟେଲ୍‌ ମିଳିଲା, କିନ୍ତୁ ୪ହଜାର ଟଙ୍କା କହିଲା। ବାଧ୍ୟ ହୋଇ ସେଠି ଏବେ ରହିଛି। ଯାହା ଦରମା ପାଇଲେ ତ ଘରଭଡ଼ା ଆଉ ଖାଇବା ଖର୍ଚ୍ଚରେ ଯାଉଛି। ଆଉ କଣ ବଞ୍ଚୁଛି ଯେ ସଞ୍ଚୟ କରିବି! ତେଣୁ ଏହି ମାସରେ ଚାକିରି ଛାଡ଼ି ଗାଁକୁ ଚାଲିଯିବି।’’