ଭୁବନେଶ୍ବର: ଖବରକାଗଜ, ଟିଭି ଡିବେଟ୍, ସାମାଜିକ ଗଣମାଧ୍ୟମ ଓ ଚା’ ଖଟିଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କ ପର୍ଯ୍ୟନ୍ତ ସବୁଠି ‘ମହିଳା ସଶକ୍ତୀକରଣ’ ଏବେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଛି। ମହିଳାଙ୍କ ସୁରକ୍ଷା ଓ ଅଧିକାରକୁ ନେଇ ଗର୍ଜନ ତର୍ଜନ ହେଉଛି। ରାଜଧାନୀ ଭୁବନେଶ୍ବରକୁ ଏକ ମହିଳା ଅନୁକୂଳ ସହରରେ ପରିଣତ କରିବାକୁ କମିସନରେଟ୍ ପୁଲିସ ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ବାହାବା ଗୋଟାଇଛି। ୨୦୦୮ ମସିହାରୁ କମିସନରେଟ୍ ପୁଲିସ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ ନିର୍ଭୟା, ଶକ୍ତି, ପିଙ୍କ୍ ଅଟୋ, ଆଇ କ୍ଲିକ୍ ବା ସ୍ବତନ୍ତ୍ର ପୁଲିସ ଅଫିସର (ଏସ୍ପିଓ) ଭଳି ଯୋଜନା ମହିଳାଙ୍କ ସୁରକ୍ଷାର କଥା କହୁଛି। କିନ୍ତୁ ଏ ସମସ୍ତ ଯୋଜନା କେବଳ ପ୍ରଚାର ସର୍ବସ୍ବ ହୋଇଯାଇଛି। ଏ ସବୁ ଗୋଟିଏ ପରେ ଗୋଟିଏ ଫେଲ୍ ମାରିଛି। ରାଜରାସ୍ତାରେ ମହିଳାଟିଏ ଆଜି ବି ନିଜକୁ ସୁରକ୍ଷିତ ମଣୁନାହିଁ।
କମିସନରେଟ୍ ପୁଲିସର ଦ୍ବାଦଶ ପ୍ରତିଷ୍ଠା ଦିବସରେ ୨୦୨୦ ଜାନୁଆରି ୩ ତାରିଖରେ ରାଜଧାନୀର ୩୦ ଅନୁଷ୍ଠାନରୁ ୨୪୬ଜଣ ଯୁବତୀଙ୍କୁ ଏସ୍ପିଓ ଭାବେ ନିଯୁକ୍ତି ଦିଆଯାଇଥିଲା। ସ୍କୁଲ ଓ କଲେଜ ଛାତ୍ରୀ ତଥା କର୍ମକ୍ଷେତ୍ରରେ ମହିଳାମାନେ ନିର୍ଯାତନାର ଶିକାର ହେଲେ ଏସ୍ପିଓମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ଷମତାସୀନ ହୋଇଥିଲେ। ସୋସିଆଲ ମିଡିଆରେ ନିର୍ଯାତନାର ଶିକାର ପୀଡ଼ିତାଙ୍କୁ ନ୍ୟାୟ ଦେବାପାଇଁ ଏମାନେ ଅଧିକୃତ ଥିଲେ। ଏଭଳି ଏକ ଅଭିନବ ପଦକ୍ଷେପ ପାଇଁ କମିସନରେଟ୍ ପୁଲିସ ବାହାବା ନେଲା। ଛାତ୍ରୀମାନେ ଉତ୍ସାହିତ ହେଲେ, ମହିଳାମାନେ ବି ଆଶ୍ବସ୍ତ ହେଲେ। କିନ୍ତୁ ସେମାନଙ୍କୁ ଅଧିକ କ୍ଷମତା ଓ ଶାରୀରିକ ତାଲିମ ନ ଦେବା ଫଳରେ ଏହି ଯୋଜନା କୋମାକୁ ଚାଲିଯାଇଛି। ମହିଳାଙ୍କ ସୁରକ୍ଷା ପାଇଁ ଏତେ ସଂଖ୍ୟକ ଏସ୍ପିଓ ରାଜଧାନୀରେ ଅଛନ୍ତି ସେ ନେଇ ଅନେକ ମହିଳାଙ୍କ ଧାରଣ ନଥିବା ବେଳେ ଏସ୍ପିଓମାନେ ମଧ୍ୟ ନିଜ କ୍ଷମତା ସମ୍ପର୍କରେ ଅଜ୍ଞ ଅଛନ୍ତି।
୨୦୧୪ ଜୁନ୍ ୧୪ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ ‘ପିଙ୍କ୍ ଅଟୋ ଯୋଜନା’। ମହିଳାଯାତ୍ରୀଙ୍କୁ ପରିବହନ କରିବା ପାଇଁ ଏହି ଅଟୋ ପ୍ରାଧାନ୍ୟ ଦେବାକୁ ବ୍ୟବସ୍ଥା ଥିଲା। ହେଲେ ଏବେ ଯୋଜନା ବାଟ ହୁଡ଼ିଛି। ରାସ୍ତାରେ ଆଉ ପିଙ୍କ୍ ଅଟୋ ଦେଖିବାକୁ ମିଳୁନି। ‘ପିଙ୍କ୍ ଅଟୋ’ ବୋଲି ଲେଖାଥିଲେ ମଧ୍ୟ ମହିଳା ଯାତ୍ରୀଙ୍କୁ ଆଉ ପ୍ରାଧାନ୍ୟ ଦିଆଯାଉନି। ସେତେବେଳେ ଅଟୋ ଚାଳକଙ୍କ ପାଇଁ ଯାବତୀୟ କଟକଣା ସହ ସ୍ବତନ୍ତ୍ର ପିଙ୍କ୍ ଅଟୋ ଟିକଟ୍ କାଉଣ୍ଟର ମଧ୍ୟ ଖୋଲା ଯାଇଥିଲା। ତତ୍କାଳୀନ କମିସନର ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ବଦଳିବା ପରେ ‘ପିଙ୍କ୍ ଅଟୋ ଯୋଜନା’ ସେକାଳ ପଖାଳ ଭଳି ହୋଇଯାଇଛି।
୨୦୧୫ ମସିହାରେ ଦିଲ୍ଲୀ ଢାଞ୍ଚାରେ କମିସନରେଟ୍ ପୁଲିସ ପକ୍ଷରୁ ଆରମ୍ଭ ହୋଇଥିଲା ‘ମୋ ସାଥୀ ଆପ୍’। ଏହି ଆପକୁ ଡାଉନଲୋଡ୍ କରି ଏଥିରେ ନିଜର ବିବରଣୀ ୩ଜଣ ସମ୍ପର୍କୀୟଙ୍କ ବିବରଣୀ ଦାଖଲ କରିବାକୁ ପଡ଼ୁଥିଲା। କୌଣସି ସ୍ଥାନରେ କେହି ଅସଦାଚରଣର ଶିକାର ହେଲେ ମୋବାଇଲ ଫୋନ୍ ବଟନକୁ ୫ ଥର ଦବାଇବା ପରେ ମୋବାଇଲରେ ଅଟୋମେଟିକ୍ ୩୦ ସେକେଣ୍ଡର ଭିଡିଓ ଓ ଅଡିଓ ରେକର୍ଡ ହୋଇଯାଉଥିଲା। ସେହି ରେକର୍ଡିଂ ପୁଲିସ୍ କଣ୍ଟ୍ରୋଲ ରୁମ୍ ଓ ଯୁବତୀଙ୍କ ସମ୍ପର୍କୀୟଙ୍କ ପାଖକୁ ଆପେ ଚାଲି ଯାଉଥିଲା। ମୋବାଇଲ୍ ଲୋକେସନ ଆଧାରରେ ପୁଲିସ ପୀଡ଼ିତାଙ୍କ ପାଖରେ ପହଞ୍ଚି ଯାଉଥିଲା। ୭ ହଜାରରୁ ଅଧିକ ଯୁବତୀ ଓ ମହିଳା ଏହାକୁ ଡାଉନଲୋଡ୍ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଆପ୍କୁ ‘ସହାୟତା’ ଆପ୍ ସହ ମିଶାଇ ଦିଆଯାଇଥିଲେ ମଧ୍ୟ ଏ ବାବଦରେ ଅନେକ ସଚେତନ ନାହାନ୍ତି। ଫଳରେ ଏହାର ବ୍ୟବହାର କମି ଯାଇଛି।
ଥାନାକୁ ନ ଆସି ଘରେ ବସି ଅନ୍ଲାଇନ୍ରେ ଏତଲା ଦେବା ପାଇଁ ‘ଆଇ କ୍ଲିକ୍’ ଯୋଜନା ହୋଇଥିଲା। ଏକ ସ୍ବତନ୍ତ୍ର କିଓସ୍କରେ ଏହି ଏତଲା ଦେବା ପାଇଁ ବ୍ୟବସ୍ଥା ହୋଇଥିଲା। ସହିଦ ନଗରରେ ଏକ ଏଟିଏମ୍ରେ ଏହି ମେସିନ୍ ଲାଗିଥିଲା। ହେଲେ ସେଚତନତା ଅଭାବରୁ ଏହା ସଫଳ ହୋଇପାରିଲାନି।
ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି, ଏସ୍ପିଓମାନଙ୍କ ରୀତିମତ ନିଯୁକ୍ତି ଦିଆଯିବା ସହ ସେମାନଙ୍କୁ ନେଇ ଏକ ହ୍ବାଟ୍ସ୍ଆପ୍ ଗ୍ରୁପ୍ ତିଆରି ହୋଇଛି। ମହିଳାଙ୍କୁ ନେଇ କିଛି ବି ସମସ୍ୟା ହେଲେ ଏହି ଗ୍ରୁପ୍ ଦ୍ବାରା ସେମାନେ ଯୋଗାଯୋଗ କରନ୍ତି। ନିୟମିତ ବ୍ୟବଧାନରେ ସେମାନଙ୍କୁ ନେଇ ବୈଠକ ଓ ଆଲୋଚନା କରାଯାଉଛି। ୧୧୨ ଜରୁରିକାଳୀନ ନମ୍ବର ଦ୍ବାରା ସମସ୍ତ ମହିଳା ତ୍ବରିତ ସେବା ପାଇ ଯାଉଥିବାରୁ ‘ମୋ ସାଥୀ ଆପ୍’ର ଚାହିଦା କମିଯାଇଛି। ମହିଳାମାନେ ୧୧୨ ଦ୍ବାରା ଅଧିକ ଉପକୃତ ହୋଇପାରୁଛନ୍ତି। ପିଙ୍କ୍ ଅଟୋ କିଛି ଦିନ ଭଲ ଭାବେ କାର୍ଯ୍ୟ କରିବା ପରେ, ଏହାକୁ ନେଇ କିଛି ବାସ୍ତବ ସମସ୍ୟା ଦେଖାଗଲା। ଯଦି ଅଟୋ ଚାଳକଟିଏ ଜଣେ ମହିଳା ଯାତ୍ରୀ ପାଏ, ସେ ପୁରୁଷଙ୍କୁ ବସାଇ ପାରିଲା ନାହିଁ। ଫଳରେ ଅଟୋ ଭଡ଼ା ବାବଦକୁ ମିଳୁଥିବା ଟଙ୍କା ଅଟୋ ଚାଳକଙ୍କୁ ସୁହାଇଲା ନାହିଁ। ପୁଣି ଯଦି ଜଣେ ମହିଳାଙ୍କ ସହ ପୁରୁଷ ସମ୍ପର୍କୀୟ ଥିବେ ତାଙ୍କ ସହ ଯିବା ମଧ୍ୟ ମହିଳାଙ୍କ ପାଇଁ ସମ୍ଭବ ହେଲା ନାହିଁ। ଏସବୁ କାରଣ ଯୋଗୁଁ ପିଙ୍କ୍ ଅଟୋ ଆପେ ବନ୍ଦ ହୋଇଯାଇଥିବା ବେଳେ ଆଗକୁ ଏହାକୁ ନୂଆ ରୂପରେ ଆଣିବାର ଯୋଜନା ଅଛି ବୋଲି ଶ୍ରୀ ସିଂ କହିଛନ୍ତି।