୧୮୧୭ ମସିହା। ଇଂରେଜମାନଙ୍କ ବିରୋଧରେ ପାଇକମାନଙ୍କ ସଶସ୍ତ୍ର ବିଦ୍ରୋହର ସମୟ। ଖୋର୍ଦ୍ଧା ରାଜାଙ୍କ ସେନାନାୟକ ବକ୍ସି ଜଗବନ୍ଧୁ ବିଭିନ୍ନ ଗଡ଼ର ପାଇକଙ୍କୁ ଏକାଠି କରି ବରୁଣେଇ ପାହାଡ଼ରେ ଇଂରେଜମାନଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଲେ। ବକ୍ସିଙ୍କ ଡାକରାରେ ଶରାଖିଆଗଡ଼ ଓ ଭଅଁରାଗଡ଼ରୁ ବି ପାଇକମାନେ ଧନୁ-ତୀର, ଢାଲ-ତରବାରି ଧରି ଯୁଦ୍ଧ କରିବାକୁ ଛୁଟି ଆସିଥିଲେ। କିନ୍ତୁ ଇଂରେଜମାନଙ୍କ କୁଟିଳ ରଣନୀତି ଓ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଆଗରେ ପାଇକଙ୍କ ପରାକ୍ରମ ବେଶି ସମୟ ତିଷ୍ଠି ପାରିଲା ନାହିଁ। ତେଣୁ ପରାସ୍ତ ହେବା ପରେ କିଛି ପାଇକ ଖଣ୍ଡଗିରି ପାଦଦେଶରେ ଥିବା ଘଞ୍ଚ ଜଙ୍ଗଲକୁ ପଳାଇ ଆସିଥିଲେ। ସେଠାରେ ଏକ ପୋଖରୀ ଖୋଳି ତା’ କଡ଼ରେ କୋଚିଲା ଗଛର ଶୁଖିଲା ଡାଳ ସବୁ ପୋତିଲେ। ସେହି ବିନା ପାଣି ପୋଖରୀରେ କିଛି ଦିନ ପର୍ଯ୍ୟନ୍ତ ସମସ୍ତେ ଆତ୍ମଗୋପନ କରି ରହିଲେ। ପରେ ସେହି ପାଇକମାନେ ଆଉ ନିଜ ଗାଁକୁ ନ ଯାଇ ସେହିଠାରେ ହିଁ ବସତି ସ୍ଥାପନ କରି ରହିଲେ। ସେହି ଦିନଠୁ ଏ ଗାଁର ନାମ ‘ପୋଖରୀପୁଟ’ ହୋଇଛି ବୋଲି କୁହାଯାଏ। କିନ୍ତୁ ଏ ସଂପର୍କରେ ସେମିତି କିଛି ଲିପିବଦ୍ଧ ଇତିହାସ ନାହିଁ କିମ୍ବା ଐତିହାସିକମାନେ ବି ଏ କଥାକୁ ଦୃଢ଼ତାର ସହ ଦାବି କରିପାରନ୍ତି ନାହିଁ। ୭୦ରୁ ୮୦ବର୍ଷ ବୟସରେ ଉପନୀତ ଗାଁର କିଛି ପୁରୁଖା ଲୋକ ତାଙ୍କ ବାପ-ଜେଜେଙ୍କଠାରୁ ଗାଁର ଏଭଳି ଇତିହାସ ସଂପର୍କରେ ଶୁଣିଥିବା କହନ୍ତି।
ଘାରୁଥିଲା ବନ୍ୟଜନ୍ତୁଙ୍କ ଭୟ
ଗଁା ଚାରିପଟେ ସେତେବେଳେ ଘଞ୍ଚ ଜଙ୍ଗଲ ଥିବାରୁ ପ୍ରତି ମୁହୂର୍ତ୍ତରେ ଲୋକଙ୍କୁ ବନ୍ୟଜନ୍ତୁଙ୍କ ଭୟ ଘାରୁଥିଲା। ଦିନବେଳା ବି ଲୋକେ ଘରୁ ବାହାରିଲେ ଜନ୍ତୁ ଶିକାର ପାଇଁ ବ୍ୟବହୃତ ଅସ୍ତ୍ରଶସ୍ତ୍ର ସାଙ୍ଗରେ ନେଇ ଯାଉଥିଲେ। ସଞ୍ଜ ନଇଁଲେ ଘରର ତାଟିକବାଟ ପଡ଼ି ଯାଉଥିଲା। ରାତିରେ ଲଣ୍ଠନ ଓ ଡିବିର ଆଲୁଅ ସାହାଭରସା ଥିଲା। ବନ୍ୟଜନ୍ତୁଙ୍କ ଭୟ ଏତେ ଥିଲା ଯେ ରାତିରେ ଦେହ ଖରାପ ହେଲେ ବି ଲୋକେ ଘରୁ ବାହାରୁନଥିଲେ। ଗାଁରୁ ଭୀମଟାଙ୍ଗି ଦେଇ ପୁରୁଣା ଭୁବନେଶ୍ବର ଓ ଜାଗମରା ଯିବା ପାଇଁ ଜଙ୍ଗଲ ଅତିକ୍ରମ କରିବାକୁ ପଡ଼ୁଥିଲା।
ସିମେଣ୍ଟ୍ ଚଟାଣ ବଖାଣୁଛି ଉଡ଼ାଜାହାଜ ପଡ଼ିଆର ସ୍ମୃତି
ଭୁବନେଶ୍ବର ବିମାନବନ୍ଦର ହେବା ଆଗରୁ ବ୍ରିଟିସ୍ ଅମଳରେ ଗାଁର ଏକ ଖୋଲା ଜାଗାରେ ଉଡାଜାହଜ ଅବତରଣ କରୁଥିଲା। ଗାଁର ଉତ୍ତରରେ ୧୬ଟି ଉଡ଼ାଜାହାଜ ରହିବା ପାଇଁ ଏକ ଜାହାଜସ୍ଥଳ ତିଆରି ହୋଇଥିଲା। ଦୁଇ ପାର୍ଶ୍ବରେ ୨୫ ଫୁଟ୍ ଉଚ୍ଚର ମାଟି କାନ୍ଥ ଥିଲା। ମଝିରେ ଲୁହା ରଡ୍ରେ ଗାତ ହୋଇ ଖୁଣ୍ଟ ପୋତା ହୋଇଥିଲା। ସେଥିରେ ଉଡ଼ାଜାହାଜଗୁଡ଼ିକ ବନ୍ଧା ହେଉଥିଲା। ଏବେ ସେ ସ୍ଥାନରେ ସେ କାନ୍ଥ ଓ ଗାତ ନାହିଁ। କିନ୍ତୁ ଜାହାଜ ଓହ୍ଲାଇବା ପାଇଁ ସେତେବେଳର ସେ ଶକ୍ତ ସିମେଣ୍ଟ ଚଟାଣ ଏବେ ବି ତା’ ଅସ୍ତିତ୍ବ ବଜାୟ ରଖିଛି।
୧୯୭୦ରେ ଏଜି କଲୋନି
୧୯୭୦ ମସିହାରେ ଗାଁର ବାଉଁଶ ତୋଟାକୁ କାଟି ସେଠି ଏଜି କଲୋନି ପ୍ରତିଷ୍ଠା ହେଲା। ସେତେବେଳେ ସରକାରୀ କ୍ବାର୍ଟର୍ର ବ୍ୟବସ୍ଥା ନଥିଲା। ତେଣୁ ଏଜି ଅଫିସ୍ରେ ଚାକିରି କରୁଥିବା ଲୋକ ଏହି ଗାଁର ଜାଗା କିଣି ଏଜି କଲୋନି ପ୍ରତିଷ୍ଠା କରି ରହିଲେ। ପରେ ଅନାବାଦୀ ଜାଗାରେ ହାଉସିଂବୋର୍ଡ ପକ୍ଷରୁ ଅନ୍ତନ ବିହାର ଫେଜ୍-୧ରୁ ୩ ପର୍ଯ୍ୟନ୍ତ ନିର୍ମାଣ ହେଲା। ୧୨ଶହ ବର୍ଗଫୁଟ୍ର ଏହି ଘରର ଦାମ ୯୦ ମସିହାରେ ୮ଲକ୍ଷ ୫୦ ହଜାର ଟଙ୍କା ଥିଲା। ବର୍ତ୍ତମାନ ତାହା ଦେଢ଼ କୋଟିରୁ ଅଧିକ ହେବ।
ଢିଙ୍କିରେ କୁଟା ହେଉଥିଲା ଧାନ
ସେତେବେଳେ ଧାନ ମିଲ୍ର ସୁବିଧା ନଥିଲା। ଲୋକେ ବିଲରୁ ଧାନ ଅମଳ କରି ଆଣିବା ପରେ ଘରଣୀମାନେ ତାକୁ ବଡ଼ବଡ଼ ହାଣ୍ଡିରେ ଉଷେଁଇ ଦିନେ-ଦୁଇ ଦିନ ଖରା ଦେଉଥିଲେ। ପରେ ତାକୁ ଢିଙ୍କିରେ କୁଟା ହୋଇ ସେଥିରୁ ଚାଉଳ ବାହାର କରାଯାଉଥିଲା। ସେତେବେଳେ ଥରକରେ ଏତେ ଅମଳ ହେଉଥିଲା ଯେ ଲୋକଙ୍କର ବର୍ଷଯାକର ଆବଶ୍ୟକତା ସେଥିରୁ ପୂରଣ ହୋଇଯାଉଥିଲା। ସମସ୍ତଙ୍କର ଯୌଥ ପରିବାର ଥିଲା। ରସ, ପିତ୍ତଳ କି କଂସାର ହାଣ୍ଡି ବିଶେଷକରି କାହା ଘରେ ନଥିଲା। ଜାଗମରାରୁ କୁମ୍ଭାରମାନେ ବିକ୍ରି କରିବାକୁ ଆଣୁଥିବା ମାଟି ହାଣ୍ଡିରେ ଭାତ, ତିଅଣ ରନ୍ଧା ହେଉଥିଲା।
ବେକେ ପାଣିରେ ବସ୍ତାନି ମୁଣ୍ଡାଇ ଯାଉଥିଲେ
୫୦ବର୍ଷ ତଳେ ଗାଁରେ ଶିକ୍ଷା ବ୍ୟବସ୍ଥାର ଚିତ୍ର ଆଦୌ ଭଲ ନଥିଲା। ପିଲାମାନେ ସୁନ୍ଦରପଦା ନଚେତ୍ ଯଦୁପୁର ଗାଁକୁ ପଢ଼ିବା ପାଇଁ ଯାଉଥିଲେ। ଖରା ଓ ଶୀତଦିନେ ବେଶି ଅସୁବିଧା ହେଉ ନଥିଲା। କିନ୍ତୁ ବର୍ଷା ୪ ମାସତକ ପିଲା ବଡ଼ ଅସୁବିଧାରେ ସ୍କୁଲ ଯାଉଥିଲେ। ବେକେ ପାଣିରେ ବସ୍ତାନି ମୁଣ୍ଡାଇ ସ୍କୁଲ ଯିବାକୁ ପଡ଼ୁଥିଲା। ସତ୍ୟପ୍ରିୟ ମହାନ୍ତି ମନ୍ତ୍ରୀ ଥିବା ବେଳେ ତାଙ୍କ ଉଦ୍ୟମରେ ୧୯୫୬ ମସିହାରେ ଗାଁର ନିମ୍ନ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା ହେଲା। ଏଠି ପିଲା ତୃତୀୟ ପର୍ଯ୍ୟନ୍ତ ପଢ଼ିଲେ। ସେଠୁ ପାସ୍ କଲା ପରେ ବିଏମ୍ ହାଇସ୍କୁଲକୁ ଯାଉଥିଲେ। ଉଚ୍ଚଶିକ୍ଷା ପାଇଁ ବିଜେବି ଓ ରେଭେନ୍ସାକୁ ଯାଉଥିଲେ। ଗାଁର ପ୍ରଥମ ଗ୍ରାଜୁଏଟ୍ ହେଲେ ଇଂ ଡମ୍ବୁରଧର ସାମନ୍ତରାୟ। ପରେ ବ୍ରଜମୋହନ ପାତ୍ର ଓ କ୍ଷେତ୍ରମୋହନ ପାତ୍ର ଆଦି ଲୋକମାନେ ଗାଁର ଶିକ୍ଷିତ ଲୋକ ଭାବେ ଗଣା ହେଉଥିଲେ।
୩ ଟଙ୍କାରେ ସେରେ ମାଉଁସ
ବର୍ତ୍ତମାନର ୯ ନମ୍ବର ମୁଖ୍ୟ କେନାଲ ସେତେବେଳର ପ୍ରାକୃତିକ ନାଳ ଥିଲା। ଗାଁ ପୋଖରୀ ଥିଲେ ହେଁ ଲୋକ ଏ ନାଳରେ ସ୍ନାନ, ଶୌଚାଦି କରୁଥିଲେ। ତାକୁ ଲୋକ ଯୋର ବୋଲି କହୁଥିଲେ। ସେଥିରୁ ବର୍ଷକ ବାରମାସ ମାଛ ଧରା ହେଉଥିଲା। ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବି ସେ କେନାଲ ପାଣି ଶୁଖୁ ନଥିଲା। ବିଶେଷ ଦିନମାନଙ୍କରେ ଯଦୁପୁରରୁ କିଛି ମୁସଲମାନ୍ ଆସି ଗାଁରେ ଛେଳି କାଟୁଥିଲେ। ସେତେବେଳେ କେଜିର ପ୍ରଚଳନ ନଥିବାରୁ ‘ସେର’ରେ ମାଂସ ବିକ୍ରି ହେଉଥିଲା। ସେରେ ମାଂସ ୩ରୁ ୪ ଟଙ୍କାରେ ମିଳି ଯାଉଥିଲା।
ଦଶହରା, ଖୁଦରକୁଣି ଧୁମ୍ଧାମ୍ରେ ପାଳନ ହେଉଥିଲା
ଗାଁରେ ଖଣ୍ଡାୟତଙ୍କ ସଂଖ୍ୟା ବେଶି ଥିବାରୁ ଦଶହରାରେ ଖଣ୍ଡା ପୂଜା ଉତ୍ସବ ବେଶ୍ ଧୁମ୍ଧାମ୍ରେ ପାଳନ ହେଉଥିଲା। ରଜ, କୁମାର ପୂର୍ଣ୍ଣିମା ଓ ଖୁଦରକୁଣି ଆଦି ଗାଁର ବିଶେଷ ପର୍ବ ଥିଲା। ଖୁଦରକୁଣି ଶେଷ ପାଳିରେ ଗାଁ ପିଲାଙ୍କ ଦ୍ବାରା ମେଳଣ ପଡ଼ିଆରେ ଡ୍ରାମା ହେଉଥିଲା। ସେହିଭଳି ଗାଁରେ ଦୋଳପର୍ବ ମଧ୍ୟ ଜାମଜକମରେ ହେଉଥିଲା। ହେଲେ କିଛି ବର୍ଷ ହେଲା ତାହା ବନ୍ଦ ହୋଇଯାଇଥିଲା। ଏବେ ପୁଣିଥରେ ଆରମ୍ଭ ହୋଇଛି। ଜାଗମରାକୁ ଦୋଳରେ ଠାକୁର ଭୋଗ ଖାଇବାକୁ ଯାଉଛନ୍ତି।
୯୦ ମସିହାରେ ବଦଳିଲା ଗାଁର ଦୃଶ୍ୟପଟ୍ଟ
୬୦ ବର୍ଷ ତଳ ଓ ଏବେର ପୋଖରୀପୁଟ୍ ଭିତରେ ଆକାଶ-ପାତାଳ ଫରକ୍। ସେତେବେଳେ ଗାଁସାରା ଲୋକଙ୍କ ଆଟୁ ଦୋପରୀ ଘର ଥିଲା। ଗାଁ ରାସ୍ତା ଖାଲୁଆ ମାଟି ରାସ୍ତା, ବର୍ଷା ଦିନେ ଶଗଡ଼ ଅଣେଇ ହୋଇ ପଡ଼ୁଥିଲା। ପୂର୍ବ ଦିଗରେ ସୁନ୍ଦରପଦା ଦେଇ ଲିଙ୍ଗରାଜ ମନ୍ଦିର ଯିବାକୁ ଶଗଡ଼ ଗୁଳା ରାସ୍ତା ଥିଲା। ସେହିପରି ଲୋକେ ଭୀମଟାଙ୍ଗି ଓ ପୁନାମା ଗେଟ୍ ଦେଇ ଭୁବନେଶ୍ବର ସହର ଭିତରକୁ ଆସୁଥିଲେ। ପଶ୍ଚିମରେ ଗାଁ ମଶାଣି ଓ ଧାନ ଗହୀର ସବୁ ଥିଲା। ୮୦ ଦଶକ ବେଳକୁ ଗାଁରେ ବିଜୁଳିବତି ଜଳିଲା, ରାସ୍ତାଘାଟର ବି ଉନ୍ନତୀକରଣ ହେଲା। ଲୋକେ ଚାଷବାସ ବ୍ୟତୀତ ବ୍ୟବସାୟ, ବାଣିଜ୍ୟରେ ମନୋନିବେଶ କଲେ। ୯୦ ମସିହା ବେଳକୁ ଲୋକେ ଚାଳଘର ଭାଙ୍ଗି କୋଠାଘର ଗଢ଼ିଲେ। ତେବେ ୧୯୭୫ରେ ସାମନ୍ତରା ପରିବାରର କଡ଼ିବରଗା ଛାତଘର ଥିଲା।