ଭୁବନେଶ୍ବର: ୧୬ ନମ୍ବର ଜାତୀୟ ରାଜପଥ ପଳାସୁଣି ଛକରେ ଲଗାତାର ଦୁର୍ଘଟଣା ଘଟିଲା। ଗତ ମାସରେ ହିଁ ଘଟିଥିବା ଦୁଇ ଦୁଇଟି ଦୁର୍ଘଟଣାରେ ଦୁଇ ଜଣଙ୍କ ଜୀବନ ଚାଲିଗଲା। ତେଣୁ ତତ୍ପର ହୋଇପଡ଼ିଲେ ବିଭାଗୀୟ ଅଧିକାରୀ ଓ ନେତା। ନିଦ ଭାଙ୍ଗିବା ଭଳି ଉଠିପଡ଼ି ପାଟି କଲେ। ଖୁବ୍ ଶୀଘ୍ର ସେଠାରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯିବ ବୋଲି ଘୋଷଣା କଲେ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏନ୍ଏଚ୍ଏଆଇ ଅଧିକାରୀଙ୍କ ସହିତ ଜାଗା ପରିଦର୍ଶନ କଲେ।
କୁହାଗଲା, ପଳାସୁଣି ଛକରେ ଫୁଟ୍ଓଭର୍ ବ୍ରିଜ୍ ନିର୍ମାଣ ପାଇଁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହେବ। ପରିଚାଳନା ପାଇଁ ଦୁଇ ଜଣ ଅପରେଟର୍ଙ୍କୁ ନିଯୁକ୍ତ କରାଯିବ। ସେତେବେଳେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଏହି ପ୍ରୟାସକୁ ସବୁମହଲରେ ବିଶେଷକରି ସାମାଜିକ ଗଣମାଧ୍ୟମରେ ପ୍ରଶଂସା କରାଗଲା। ମାତ୍ର ଏବେ ଆଉ କିଛି ସୋରଶବ୍ଦ ନାହିଁ। ଏଯାଏ ଆରମ୍ଭ ହେଲାନି ଫୁଟ୍ଓଭର୍ବ୍ରିଜ୍ କାମ। ଲୋକେ ଆଗରୁ ଯେମିତି ଚାତକ ଭଳି ଅନେଇଥିଲେ, ଏବେ ସେମିତି ଦିନ ଗଣୁଛନ୍ତି। ଫୁଟ୍ଓଭର ବ୍ରିଜ୍ ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି। ବୋଧ ହୁଏ, ଦୁର୍ଘଟଣାରେ ଆଉ କିଛି ଜୀବନ ଯିବା ପର୍ଯ୍ୟନ୍ତ ଅପେକ୍ଷା କରାଯାଇଛି ବୋଲି ଚର୍ଚ୍ଚା ଜୋର୍ ଧରିଲାଣି। ପଳାସୁଣି ଛକ ସମେତ ସତ୍ସଙ୍ଗବିହାର ଓ ନୂଆପଲ୍ଲୀ କ୍ରାଉନ୍ ହୋଟେଲ୍ ନିକଟରେ କେବେ ଫୁଟ୍ଓଭର୍ ବ୍ରିଜ୍ ନିର୍ମାଣ ହେବ, ତାକୁ ନେଇ ସ୍ଥାନୀୟ ବାସିନ୍ଦା ପ୍ରଶ୍ନ ଉଠାଇଛନ୍ତି।
ନାହିରେ ତେଲ ପକାଇ ବସିଛି ରାଜ୍ୟ ସରକାର
ଆଜ୍ଞା, ଆମେ ସାଧାରଣ ଲୋକ ହେଲୁ ବୋଲି କ’ଣ ଆମ ଜୀବନର କିଛି ମୂଲ୍ୟ ନାହିଁ। ପ୍ରତ୍ୟେକ ଦିନ ପିଲାଙ୍କୁ ବସ୍ ପାଖକୁ ଛାଡ଼ିବାକୁ ଆସୁଛୁ। ପିଲାର ବସ୍ ଆସିବାର ଅଧଘଣ୍ଟା ଆଗରୁ ଆସି ବସ୍କୁ ଅପେକ୍ଷା କରି ରହୁଛୁ। କାଳେ ବସ୍ ଆଗ ଆସିଯିବ, ପିଲା ରାସ୍ତା ପାର୍ ହୋଇ ପାରିବନି, ସେହି ଚିନ୍ତାରେ ଦିନସାରା ରହିବାକୁ ପଡ଼ୁଛି। ଏଇ ନିକଟରେ ଦୁଇ ଜଣ ଲୋକଙ୍କ ମୃତ୍ୟୁ ପରେ ଆମ ଚିନ୍ତା ଆହୁରି ବଢ଼ି ଯାଇଛି। ଆଉ କେତେ ଦିନ ଡରି ମରି ବଞ୍ଚିବୁ? ଜାତୀୟ ରାଜପଥ କେନ୍ଦ୍ର ସରକାରଙ୍କର। ଏଠି ସାଂସଦ ବିଜେପିର ଅଛନ୍ତି। ଖାଲି ଘୋଷଣା କରି ଚାଲିଯାଉଛନ୍ତି। ରାଜ୍ୟ ସରକାର ବି ନାହିରେ ତେଲ ଦେଇ ଶୋଇ ଯାଉଛନ୍ତି। ଏଥିରେ ତାଙ୍କର ଯେମିତି କିଛି ଭୂମିକା ନାହିଁ! ତେଣୁ କାହାକୁ ଦୋଷ ଦେବୁ। ଭାଗ୍ୟକୁ ଆଦରି ରହୁଛୁ।
ଇତିଶ୍ରୀ ନାୟକ, ଅଭିଭାବକ
ଫୁଟ୍ଓଭର୍ ବ୍ରିଜ୍ ପାଇଁ ଚାରି ବର୍ଷ ହେବ ଦାବି କରୁଛୁ
ପଳାସୁଣି ଛକରେ ଫୁଟ୍ଓଭର ବ୍ରିଜ୍ ନଥିବା କାରଣରୁ ଦୁର୍ଘଟଣା ହେଉଛି। ୪ ବର୍ଷ ଭିତରେ ଏହି ଛକରେ ୧୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ବାଇପାସ୍ ରାସ୍ତା ଧରିବା ପାଇଁ ୧ କିମି ଦୂର ଯିବାକୁ ପଡ଼ୁଛି। ତେଣୁ ଏଠାରେ ଲୋକମାନେ ବିପଜ୍ଜନକ ଭାବେ ଜାତୀୟ ରାଜପଥ ପାର୍ ହେଉଛନ୍ତି। ପଳାସୁଣି ବଜାରର ବ୍ୟବସାୟୀ, ସ୍ଥାନୀୟ ବାସିନ୍ଦାଙ୍କୁ ମିଶାଇ ମୋଟ୍ ୪ ହଜାର ଦସ୍ତଖତ କରି ଆମେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଦେଇଛୁ। ୪ ବର୍ଷ ହେଲା ବାରମ୍ବାର ଦାବି ଜଣାଇଛୁ। ହେଲେ ଘୋଷଣା କେବଳ କାଗଜକଲମରେ ସୀମିତ ରହୁଛି। ପୂର୍ବ ବର୍ଷ ମାଟି ପରୀକ୍ଷା କରାଯାଇଥିଲା। କୋଟିଏରୁ ଅଧିକ ଟଙ୍କାରେ ଫୁଟ୍ଓଭର୍ ବ୍ରିଜ୍ କରାଯିବ ବୋଲି ଶୁଣିଥିଲୁ। କିନ୍ତୁ ଏଯାଏ ହେଲା ନାହିଁ। ଏବେ ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଭାଗୀୟ ଅଧିକାରୀଙ୍କୁ ଆଣି ପ୍ରତିଶ୍ରୁତି ଦେଇ ଯାଇଛନ୍ତି। ଯଦି ତୁରନ୍ତ କାମ ଆରମ୍ଭ ନହୁଏ, ଆମେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବୁ।
ନାରାୟଣ ପୃଷ୍ଟି, ସ୍ଥାନୀୟ ବାସିନ୍ଦା
ଡରିଡରି ଦିନ ଯାଉଛି
ମୁଁ ଆଉ ମୋ ସାଙ୍ଗମାନେ ସ୍କୁଲ୍ ଯିବା ପାଇଁ ପଳାସୁଣି ଛକ ଦେଇ ଯାଉଛୁ। ବସ୍ରେ ଯିବା ପାଇଁ ରାସ୍ତା ପାସ୍ କରି ଅନ୍ୟପଟକୁ ଯିବାକୁ ପଡ଼ୁଛି। ବଡ଼ ବଡ଼ ଗାଡ଼ି ବହୁତ ଜୋର୍ରେ ଯିବା ଆସିବା କରୁଛି। ଆମକୁ ଡର ଲାଗୁଛି। ବାଧ୍ୟ ହୋଇ ସ୍କୁଲ୍ ଯିବା ପାଇଁ ଡରି ଡରି ରାସ୍ତା ଡେଇଁବାକୁ ପଡ଼ୁଛି। କିଛି ଦିନ ତଳେ ଦୁର୍ଘଟଣା ହେବା ମୁଁ ଦେଖିଛି। ଆମ ସୁରକ୍ଷା ପାଇଁ ପଳାସୁଣିରେ ଗୋଟେ ଫୁଟ୍ଓଭର୍ ବ୍ରିଜ୍ ତୁରନ୍ତ ତିଆରି କରାଯାଉ।
ଅର୍ଚ୍ଚିତା ପ୍ରିୟଦର୍ଶିନୀ, ଛାତ୍ରୀ
ଗରିବ ମୁଣ୍ଡ ଗଡ଼ିଲେ, କାହାର କ’ଣ ଯାଉଛି
ମୁଁ ଏଠି ଦୀର୍ଘ ୨୦ ବର୍ଷ ହେବ ଚା’ଦୋକାନ କରିଛି। ପୂର୍ବରୁ ରାସ୍ତାରେ ଗାଡ଼ି ସଂଖ୍ୟା କମ୍ ଥିଲା। ବେଶି ଦୁର୍ଘଟଣା ହେଉନଥିଲା। କିନ୍ତୁ ଏବେ ଗାଡ଼ି ସଂଖ୍ୟା ବହୁତ ବଢ଼ିଯାଇଛି। ଜାତୀୟ ରାଜପଥ ହୋଇଥିବାରୁ ଭାରୀଯାନ ସଂଖ୍ୟା ସବୁଠାରୁ ଅଧିକ ଦେଖିବାକୁ ମିଳୁଛି। ଏଠି ସରକାରୀ ସ୍କୁଲ ଅଛି। ପ୍ରତିଦିନ ଶହ ଶହ ଛୋଟ ପିଲା ବିପଜ୍ଜନକ ଅବସ୍ଥାରେ ରାସ୍ତା ପାର୍ ହେଉଛନ୍ତି। ନିକଟରେ ଥିବା ପଳାସୁଣି ହାଟ ସୋମବାର ଓ ଶୁକ୍ରବାର ବସୁଛି। ହାଟକୁ ବ୍ୟବସାୟୀ ଓ ସାଧାରଣ ଲୋକ ଆସୁଛନ୍ତି। ସେଦିନ ଅଧିକ ଲୋକ ରାସ୍ତା ପାର୍ ହେଉଛନ୍ତି। ଅସାବଧାନ ହେଲେ ଦୁର୍ଘଟଣା ହେଉଛି, ସାବଧାନ ରହିଲେ ବି ଦୁର୍ଘଟଣା ଘଟୁଛି। ଗରିବ ଲୋକ ମରୁଛନ୍ତି। ତେଣୁ ଏଥିରେ ବଡ଼ବଡ଼ିଆଙ୍କ ମୁଣ୍ଡବିନ୍ଧା ହେଉନାହିଁ। ଗରିବ ମୁଣ୍ଡ ଗଡ଼ିଲେ, କାହାର କ’ଣ ଯାଉଛି!
ସର୍ବେଶ୍ବର ସାହୁ, ବ୍ୟବସାୟୀ