ଭୁବନେଶ୍ବର : ରାଜଧାନୀରେ ଟିକାକରଣରେ ଆଜି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ସୋମବାର ସୁଦ୍ଧା ୧୫ଲକ୍ଷ ୪୩ହଜାର ୪୩୮ ଡୋଜ୍ ଦିଆଯାଇଥିବାବେଳେ ଏଥିରେ ୧୦ଲକ୍ଷ ୨୬୫ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଛି। ଏଥିରୁ ୫ଲକ୍ଷ ୪୩ହଜାର ୧୭୩ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି।
ହେଲେ ଏବେ ଟିକାକରଣ ବ୍ୟବସ୍ଥାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି। କାରଣ ବିଏମ୍ସି କର୍ତ୍ତୃପକ୍ଷ ନିୟମ କରି ଦେଇଛନ୍ତି ଯେ, ଭୁବନେଶ୍ବରର ବାସିନ୍ଦା ହୋଇନଥିଲେ ଟିକା ମିଳିବନି। ଯଦି କେହି ଭୁବନେଶ୍ବରର ଠିକଣା ଥିବା ଆଧାରକାର୍ଡ ଦେଖାଇବେ ତେବେ ତାଙ୍କୁ ଟିକା ମିଳିବ। ଏହାକୁ ନେଇ ଏବେ ଅସନ୍ତୋଷ ବଢ଼ିବାରେ ଲାଗିଛି। ରାଜଧାନୀରେ ସମସ୍ତଙ୍କୁ ଟିକା ଅଭିଯାନ ଚଳାଇଥିବା ବିଏମ୍ସିର ଏହି ଅଜବ ନିୟମ ଲୋକଙ୍କୁ ଉତ୍ତ୍ୟକ୍ତ କଲାଣି। ଟିକା କେନ୍ଦ୍ରକୁ ଆସି ବିନା ଟିକାରେ ଫେରୁଥିବା ଲୋକ କହିଛନ୍ତି ଯେ ଆମେ ଭୁବନେଶ୍ବରରେ ଭଡ଼ା ରହୁଛୁ। ଆମର ଆଧାର କାର୍ଡରେ ଗାଁ ଠିକଣା ଅଛି। କିନ୍ତୁ ଆମେ ଏଠାରେ ରହୁଛୁ। କ’ଣ ଟିକା ନେବା ପାଇଁ ଗାଁକୁ ଯାଇ ଧାଡ଼ିରେ ଛିଡ଼ା ହେବୁ? କେବଳ କର୍ମଜୀବୀଙ୍କ ପାଇଁ ଏହି ସମସ୍ୟା ନାହିଁ। ହଜାର ହଜାର ବସ୍ତିବାସିନ୍ଦା ଏବେ ଟିକାରୁ ବଞ୍ଚିତ ହେଲେଣି। ବହୁ ବସ୍ତିବାସିନ୍ଦା ସେମାନଙ୍କ ଗାଁରେ ରାସନ୍ କାର୍ଡ ପାଇଥିବାରୁ ସେମାନେ ଆଧାରକାର୍ଡରେ ଗାଁ ଠିକଣା ରଖିଛନ୍ତି। ଏପରିକି ତାଙ୍କର ସବୁଥିରେ ଗାଁ ଠିକଣା ଅଛି। ଯେଉଁଥିପାଇଁ ଏବେ ସେମାନେ ଟିକା ନେଇପାରୁନାହାନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାର ଗଞ୍ଜାମରେ କୋଭାକ୍ସିନ୍ ଟିକା ଦେବା ନେଇ ଘୋଷଣା କରିବା ପରେ ଏହି ସମସ୍ୟା ଉପୁଜିଛି। ଭୁବନେଶ୍ବର ପାଇଁ କମ୍ ଟିକା ମହଜୁଦ୍ ରଖାଯାଉଥିବାରୁ ଏହି କଟକଣା ଲଗାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/vaccine.jpeg)