ଖଣ୍ଡଗିରି: ଜାଗମରାରୁ ଖଣ୍ଡଗିରି ଦେଇ ଏମ୍‌ସ ଛକ ପର୍ଯ୍ୟନ୍ତ କୁଆଡ଼େ ବି ଭେଣ୍ଡିଂ ଜୋନ୍‌ ନାହିଁ। ‌ତେଣୁ ହକି ବିଶ୍ବକପ୍‌ ନାମରେ ଭାଙ୍ଗି ଦିଆଯାଇଥିବା ଶହଶହ ଦୋକାନୀ ବର୍ତ୍ତମାନ କେଉଁଠି ଯାଇ ଦୋକାନ ଖୋଲି ରୋଜଗାର କରିବେ, ଜାଣିପାରୁନାହାନ୍ତି। ସେମାନେ ଆଶା କରିଥିଲେ ବିଶ୍ବ କପ୍‌ ଆୟୋଜନ କରି ପ୍ରଶଂସା ସାଉଁଟିଥିବା ଓଡ଼ିଶା ସରକାର ହକି ପ୍ରତିଯୋଗିତା ସରିବା ପରେ ସେମାନଙ୍କୁ ଥଇଥାନ କରିବେ କିମ୍ବା ଭେଣ୍ଡିଂ ଜୋନ୍‌ ପାଇଁ ପ୍ରକ୍ରିୟା ଆରମ୍ଭ କରିବେ। ମାତ୍ର ତାହା ତ ହୋଇପାରିନାହିଁ, ବରଂ ଜୀବିକା ଉଜୁଡ଼ିଯିବା ଯୋଗୁଁ ସେମାନଙ୍କ ଅବସ୍ଥା ଆହୁରି ଜଟିଳ ହୋଇଛି। କିଏ ଦୋକାନ ଛାଡ଼ି ଶ୍ରମିକ ହେଲାଣି ତ ଅଧିକାଂଶ ଖରା, ବର୍ଷାରେ ଆର୍ଥିକ ଦୁରାବସ୍ଥାରେ ଭଙ୍ଗା ଦୋକାନରେ ବ୍ୟବସାୟ କରିବାକୁ ବାଧ୍ୟ ହେଉଛନ୍ତି।

Advertisment

ବିଶ୍ବକପ୍‌ ହକି ଉଦ୍‌ଘାଟନର କିଛି ଦିନ ପୂର୍ବରୁ ଶଙ୍କର ନାଏକଙ୍କ ପାତ୍ରପଡ଼ାସ୍ଥିତ ୧୦ ବର୍ଷର ପୁରୁଣା ଚା ଦୋକାନ ଭାଙ୍ଗି ଦେଇଥିଲା ବିଏମ୍‌ସି। ସେତେବେଳେ ସେମାନଙ୍କୁ ଯଥାଶୀଘ୍ର ଭେଣ୍ଡିଂ ଜୋନ୍‌ରେ ଥଇଥାନ କରିବାର ପ୍ରତିଶ୍ରୁତି ମିଳିଥିଲା। ପ୍ରଥମ କିଛି ଦିନ ଅନ୍ୟ କେଉଁଠି ଦୋକାନ ପାଇଁ ସ୍ଥାନ ମିଳିବ ବୋଲି ଅପେକ୍ଷା କରି ରହିଥିଲେ ଶଙ୍କର। କିନ୍ତୁ ତାହା ତ ହେଲା ନାହିଁ, ବରଂ ରୋଜଗାର ବନ୍ଦ ହେବାରୁ ଘରେ ଯେଉଁ ଆର୍ଥିକ ଦୁରାବସ୍ଥା ହେଲା, ସେଥିପାଇଁ ସେ ଠେଲାରେ ଚା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ବିଶ୍ବକପ୍‌ ହକି ପୂର୍ବରୁ ଖଣ୍ଡଗିରି ଛକରୁ ଆଇଗିଣିଆ, ପାତ୍ରପଡ଼ା ଯାଏ ବିଏମ୍‌ସି ଭାଙ୍ଗି ଦେଇଥିବା ସବୁ ଦୋକାନୀଙ୍କ ସେହି ସ୍ଥିତି। ଏହି ଅଞ୍ଚଳରେ ସବୁଠି ଭଙ୍ଗା ଦୋକାନର ଚିହ୍ନ।

ଯେଉଁ କିଛି ଦୋକାନୀ ଅଛନ୍ତି, ସେମାନେ ମଧ୍ୟ ଭଙ୍ଗା ଦୋକାନ କିମ୍ବା ପାଲ ତଳେ ଜିନିଷ ବିକ୍ରି କରୁଛନ୍ତି। ଅଧିକ ଖରା କିମ୍ବା ବର୍ଷା, ପବନ ହେଲେ ଯେଉଁ କଷ୍ଟ ହେଉଛି, ନକହିବା ଭଲ। କେବଳ ଦୋକାନୀ ନୁହେଁ, ଅତ୍ୟାବଶକୀୟ ସାମଗ୍ରୀ, ଚା, ଜଳଖିଆ ପାଇଁ ଲୋକେ ମଧ୍ୟ ହଇରାଣ ହେଉଛନ୍ତି। ଅନ୍ୟ ଜଣେ ଦୋକାନୀ ଡମରୁ ନାଏକଙ୍କ ଅନୁସାରେ ଆଇଗିଣିଆସ୍ଥିତ ୱେଲକମ୍‌ ହୋଟେଲ ନିର୍ମାଣ ସମୟରେ ତାଙ୍କର ଓ ଅନେକଙ୍କ ଦୋକାନ ଭାଙ୍ଗି ଦିଆଯାଇଥିଲା। ସେତେବେଳେ ଥଇଥାନର ପ୍ରତିଶ୍ରୁତି ମିଳିଥିଲା। ହେଲେ ୨ ବର୍ଷ ପରେ ବି କୌଣସି ପଦକ୍ଷେପ ଗ୍ରହଣ ହେଲା ନାହିଁ। ଏବେ ବିଶ୍ବକପ୍‌ ହକି ନାଁରେ ଭାଙ୍ଗିଲେ। ଗାଁରେ ରୋଜଗାର ପାଉନାହାନ୍ତି ବୋଲି ଲୋକେ ସହରକୁ ଆସୁଛନ୍ତି। କିନ୍ତୁ ଏଠି ବି ବିଭିନ୍ନ ଆଳରେ କେବଳ ଗରିବଙ୍କ ଉପରେ ପାହାର ପଡ଼ୁଛି। ଉଠା ଦୋକାନୀ ମହାସଂଘର ପ୍ରତାପ ସାହୁଙ୍କ ଅନୁସାରେ, ରାଜଧାନୀରେସ୍ଥିତ ପ୍ରତ୍ୟେକ ୱାର୍ଡରେ ତିନୋଟି ଲେଖାଏଁ ଭେଣ୍ଡିଂ ଜୋନ୍‌ ହେବା ଉଚିତ। ପ୍ରତ୍ୟେକ ଭେଣ୍ଡିଂ ଜୋନ୍‌ରେ ୧୦୦ ଜଣ ଦୋକାନୀ ରହିବେ। କିନ୍ତୁ ଏଥିପ୍ରତି ବିଏମ୍‌ସି ଦୃଷ୍ଟି ଦେଇନାହିଁ। ଖଣ୍ଡଗିରିରୁ ଏମ୍‌ସ ଛକ ପର୍ଯ୍ୟନ୍ତ ଅବସ୍ଥା ଆହୁରି ଖରାପ।

ଏଠାରେ ୩ଟି କଥା ଦୂରେ ଥାଉ, ଗୋଟିଏ ମଧ୍ୟ ଭେଣ୍ଡିଂ ଜୋନ୍‌ ନାହିଁ। ବରଂ କେବଳ ଦୋକାନଗୁଡ଼ିକୁ ଭାଙ୍ଗି ଚାଲିଛି ବିଏମ୍‌ସି। ଅନେକ ସ୍ଥାନରେ ପ୍ରବର୍ତ୍ତନ ସ୍କ୍ବାର୍ଡ ଦୋକାନୀମାନଙ୍କୁ ଧମକ ମଧ୍ୟ ଦେଇଛନ୍ତି। ପୂର୍ବତନ କର୍ପୋରେଟର ରଘୁ ମହାନ୍ତିଙ୍କ ଅନୁସାରେ, ଜାଗମରାରୁ ଖଣ୍ଡଗିରି ପର୍ଯ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ। ଏଠାରେ ଏତେ ଲୋକ ରହୁଥିଲେ ମଧ୍ୟ ଭେଣ୍ଡିଂ ଜୋନ୍‌ଟିଏ ନାହିଁ। ଖଣ୍ଡଗିରି ଛକରେସ୍ଥିତ ସରକାରୀ ଜମିରେ ଭେଣ୍ଡିଂ ଜୋନ୍‌ ପାଇଁ ଅନେକ ଦିନରୁ ଦାବି ହେଉଥିଲେ ମଧ୍ୟ ଦୃଷ୍ଟି ଦିଆଯାଇ ନାହିଁ। ୱାର୍ଡ ନମ୍ବର ୪୯ କର୍ପୋରେଟର ସଂଯୁକ୍ତା ସୁନ୍ଦରରାୟଙ୍କ ଅନୁସାରେ ଖଣ୍ଡଗିରିରୁ ଆଇଗିଣିଆ ଅଞ୍ଚଳରେ ଭେଣ୍ଡିଂ ଜୋନ୍‌ ନାହିଁ। ସେ ଭେଣ୍ଡିଂ ଜୋନ୍‌ ପାଇଁ ତିନୋଟି ସ୍ଥାନରେ ପ୍ରସ୍ତାବ ଦେଇଛନ୍ତି। ଆଶା କରିଛନ୍ତି ଶୀଘ୍ର ଏହା କାର୍ଯ୍ୟକାରୀ ହେବ।