ଏକଦା ରାଜଧାନୀ ଛୋଟିଆ ସହରଟିଏ ଥିଲା। ସେହି ସହର ଏବେ ଆୟତନ ବୃଦ୍ଧି କରି ଗାଁକୁ ଗିଳି ପକାଇଲାଣି। ବର୍ତ୍ତମାନର ରାଜଧାନୀ ଉପରେ ନଜର ପକାଇଲେ ଅନୁଭବ କରିହେବ ଯେ ଗାଁର ସବୁଜିମାଭରା କ୍ଷେତ, ଗୋଚର, ଅନାବାଦୀ, ଶ୍ମଶାନ, ପୁଷ୍କରିଣୀ ଓ ଦେବାଳୟର ଭୂ-ସଂପତ୍ତି ଆଦି ସହରୀକରଣ ଆଁରେ ଲୀନ ହୋଇଯାଇଛି। ଗାଁ ଜୀବନର ଅନନ୍ୟ ଆକର୍ଷଣ ହେଉଛି ପ୍ରାକୃତିକ ପରିବେଶ ସାଙ୍ଗକୁ ସାଂସ୍କୃତିକ ବିଭବ। ହେଲେ ତାହା ସମୟ ଗର୍ଭରେ ସମାଧି ନେଇସାରିଛି। କେବଳ ନାଁଟି ସ୍ବର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ ହୋଇ ରହିଯାଇଛି ସିନା କିନ୍ତୁ ଗାଁ ଆଉ ନାହିଁ। ତେବେ ଅତୀତ ସମସ୍ତଙ୍କୁ ସୁନ୍ଦର ଲାଗେ। ପୁରୁଖାଙ୍କଠାରୁ ତାଙ୍କ ସମୟର କଥା ଶୁଣିଲେ ମନ ଭିତରେ ସେ ଦୃଶ୍ୟ ସବୁ ଆପେ ଆପେ ଆଙ୍କି ହୋଇଯାଏ। ରାଜଧାନୀର ସେହି ସବୁ ପୁରୁଣା ଦୃଶ୍ୟକୁ ପାଠକଙ୍କ ଆଗରେ ପରଷିଦେବା ପାଇଁ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା ‘ନାଁ ଅଛି ଗାଁ ନାହିଁ’। ଚଳିତଥର ରାଜଧାନୀର ମଧ୍ୟ ଭାଗରେ ଥିବା ଗାଁ ‘ବଡ଼ଗଡ଼’ର ଅତୀତର କଥାବସ୍ତୁ।
ରିପୋର୍ଟ-ଦେବାଶିଷ ପଣ୍ଡା, ଫଟୋ- ଅସିତ ଶତପଥୀ
ପାଣ୍ଡବ ଗୁମ୍ଫାରେ ରହୁଥିଲେ ବୌଦ୍ଧ ସନ୍ନ୍ୟାସୀ
ଧାର୍ମିକ ଦୃଷ୍ଟିକୋଣରୁ ଏହି ଗାଁର ଇତିହାସ ନିଆରା। ଗାଁକୁ ଲାଗି ଗୋଟିଏ ଗୁମ୍ଫା ରହିଛି। ଏହାକୁ ପାଣ୍ଡବ ଗୁମ୍ଫା କୁହାଯାଏ। ଏହା ବୌଦ୍ଧ ସନ୍ନ୍ୟାସୀଙ୍କ ରହିବା ପାଇଁ ଉଦ୍ଦିଷ୍ଟ ସ୍ଥାନ ଥିଲା। ପରେ ପଶୁପାତ ଶୈବମାନେ ଏହାକୁ ଅଧିକାର କରିନେଇଥିଲେ ବୋଲି ଇତିହାସ କହେ। ଏଠାରେ ଏବେ ନକୁଳିଶ ମୂର୍ତ୍ତି ପୂଜା ପାଉଛନ୍ତି।
ଅପରପକ୍ଷେ, ଖୋର୍ଦ୍ଧା ରାଜା ପୁରୀରେ ରହିବା ବେଳେ ବୃହତ୍ ଗଡ଼ରୁ ପତିତପାବନ ମୂର୍ତ୍ତି ଆଣି ବଡ଼ଗଡ଼ ଗ୍ରାମବାସୀଙ୍କୁ ଦେଇଥିଲେ। ତେଣୁ, ଏ ଗାଁର ଇଷ୍ଟଦେବଙ୍କ ନାମ ପ୍ରଭୁ ପତିତପାବନ। ସେହିଭଳି ଇଷ୍ଟଦେବୀ ହେଲେ ମା’ ବରଡ଼େଇ। ମୁଗୁନିପ୍ରସ୍ତରରେ ନିର୍ମିତ ଏହା ଏକ ବୌଦ୍ଧତାରା ବିଗ୍ରହ। ସେହପରି ବଡ଼ଗଡ଼ରେ ଗଙ୍ଗୁଆ ନାଳର ପଶ୍ଚିମରେ ଭାସ୍କରେଶ୍ବର, ବ୍ରହ୍ମେଶ୍ବର ପାଟଣା ସୀମାରେ ବ୍ରହ୍ମେଶ୍ବର ମନ୍ଦିର, ଉତ୍ତର-ପୂର୍ବରେ ମେଘେଶ୍ବର ମନ୍ଦିର, ଦକ୍ଷିଣରେ ରାଜାରାଣୀ ମନ୍ଦିର ଓ ପୂର୍ବରେ ଗୋପାଳୁଣୀ ମନ୍ଦିର ରହିଛି। ଗୋପାଳୁଣୀ ମନ୍ଦିର, ଓଡ଼ିଶାର ପ୍ରାଚୀନତମ ବୌଦ୍ଧ ଯକ୍ଷମୂର୍ତ୍ତିମାନଙ୍କ ମଧ୍ୟରେ ଅନ୍ୟତମ। ଏଠାରେ ଥିବା ଜଗନ୍ନାଥ ଆଶ୍ରମ ମଧ୍ୟ ଏକ ପୁରୁଣା ଧର୍ମପୀଠ। ଆଜି ଏଠାରେ ଗାଁର ବହୁ ପର୍ବପର୍ବାଣି ପାଳିତ ହୁଏ।
ଗଙ୍ଗୁଆ ନାଳ: ଦିନେ ଥିଲା ଜୀବନରେଖା, ଏବେ ଜୀବନକୁ ବିପଦ
୬୦ ଦଶକ ବେଳକୁ ଗାଁରେ ପୂର୍ବରୁ ସବୁ ଘର ପ୍ରାୟ ଚାଳଘର ଥିଲା। ଏବେ ସଉକ ପାଇଁ କାଁ ଭାଁ ଲୋକଙ୍କର ଅଛି। ଏବେ ଘରଭଡ଼ା ରୋଜଗାରର ମୁଖ୍ୟ ଉତ୍ସ। କିନ୍ତୁ ସେତେବେଳେ ରୋଜଗାରର ପ୍ରମୁଖ ମାଧ୍ୟମ ଥିଲା ଚାଷ। ଗାଁରେ ସମସ୍ତେ ଚାଷ ଉପରେ ନିର୍ଭର କରୁଥିଲେ। ଗଙ୍ଗୁଆ ନାଳ ପାଣିରେ ଚାଷ କାର୍ଯ୍ୟ ହେଉଥିଲା। ସେ ପାଣି ଏତେ ସ୍ବଚ୍ଛ ଥିଲା ଯେ ଲୋକେ ତାକୁ ପିଉଥିଲେ ମଧ୍ୟ। ହେଲେ ୧୯୯୦ ମସିହା ପରେ ସେହି ପାଣି କୃଷିକାର୍ଯ୍ୟ ପାଇଁ ଆଉ ବ୍ୟବହାରଯୋଗ୍ୟ ହୋଇ ରହିଲା ନାହିଁ। ସେଥିରେ ବିଭିନ୍ନ ପ୍ରକାର ବର୍ଜ୍ୟ ଭାସିବା ସହ ଅତ୍ୟନ୍ତ ଅସ୍ବାସ୍ଥ୍ୟକର ତଥା ଅପରିଷ୍କାର ହୋଇଗଲା। ବର୍ଷା ଦିନେ ନାଳ ଉଚ୍ଛୁଳି ବିଲରେ ପଶିଲା। ଫଳରେ କ୍ଷେତ ଆଉ ଚାଷ ଉପଯୋଗୀ ହୋଇ ରହିଲା ନାହିଁ। ତେଣୁ ଦିନେ ଜୀବନରେଖା ସାଜିଥିବା ଏହି ନାଳ ଏବେ ଜୀବନ ପାଇଁ ବିପଦ ସୃଷ୍ଟି କରୁଛି। ଏବେ ୭ ଶହରୁ ୮ଶହ ଏକର ଜମି ପଡ଼ିଆ ପଡ଼ିଛି। ଗଙ୍ଗୁଆ ନାଳ ଥିଲେ ଏବେ ବି ଲୋକେ ଚାଷ କାର୍ଯ୍ୟ କରୁଥା’ନ୍ତେ।
ଅପରପକ୍ଷେ, ସେତେବେଳେ ସମସ୍ତଙ୍କ ଘରେ ବିଜୁଳି ଆଳୁଅ କି ଗାଁରେ କଂକ୍ରିଟ୍ ରାସ୍ତା ନଥିଲା। ଗାଁର ପ୍ରତି ଛକରେ ବାଉଁଶରେ ତିଆରି ଏକ ଖୁଣ୍ଟ ଉପରେ ଏକ ବାକ୍ସ ରଖାଯାଇଥିଲା, ସେଥିରେ କିରାସିନି ଡିବିରିରେ ରାତିରେ ଆଲୁଅ ଜଳୁଥିଲା। ତାକୁ ସେବେକାର ଷ୍ଟ୍ରିଟ୍-ଲାଇଟ୍ ବ୍ୟବସ୍ଥା ବୋଲି କୁହାଯାଇପାରେ। ୭୦ ଦଶକରେ ପୌର ପରିଷଦ ହେଲା ଓ ଶାଳ ଖୁଣ୍ଟରେ ଇଲେକ୍ଟ୍ରି ବଲ୍ବ ଲାଗିଲା।
ଏବେ ବି ଲୋକଙ୍କ କାମରେ ସାରୁଗାଡ଼ିଆ, ଗୋପାଳୁଣି ଗାଡ଼ିଆ
ସବୁ ମନ୍ଦିର ପାଖରେ ଗୋଟିଏ ପୁଷ୍କରିଣୀ ଥିଲା। ଯେମିତିକି ଗୋପାଳୁଣୀ ଗାଡ଼ିଆ, ଟୁବି ଗାଡ଼ିଆ, ସାରୁ ଗାଡ଼ିଆ, ନୂଆ ପୋଖରୀ ଆଦି ଥିଲା। ହେଲେ ଏବେ ସବୁ ପରିତ୍ୟକ୍ତ ହୋଇପଡ଼ିଥିବା ବେଳେ ସାରୁ ଗାଡ଼ିଆ ଓ ଗୋପାଳୁଣି ଗାଡ଼ିଆ ବ୍ୟବହାରଯୋଗ୍ୟ ଅଛି।
ଦୋଳ ଯାତ୍ରାରୁ ରାଧାଷ୍ଟମୀ, କମ୍ପୁଥିଲା ଗାଁ ଦାଣ୍ଡ
ପର୍ବପର୍ବାଣି ଓ ଉତ୍ସବ ପାଳନରେ ବଡ଼ଗଡ଼ ଗାଁର ଏକ ଅଲଗା ଖ୍ୟାତି ଥିଲା। ଏଠି ଝାମୁ, ଦୋଳ, ନେତ୍ରୋତ୍ସୋବ, ଅଗ୍ନି ଉତ୍ସବ, ରାଧାଷ୍ଟମୀ ଓ ପ୍ରତି ସାହିରେ ଥିବା ଭାଗବତ ଟୁଙ୍ଗୀରେ ଭାଗବତ ପାଠ ହେଉଥିଲା। ପର୍ବପର୍ବାଣୀରେ ସମସ୍ତଙ୍କ ଘର ବନ୍ଧୁବାନ୍ଧବରେ ପୂରି ଯାଉଥିଲା। ସମସ୍ତଙ୍କ ଭିତରେ ଉତ୍ସାହ, ଉଦ୍ଦୀପନା ଭରି ରହୁଥିଲା। କିନ୍ତୁ ଏବେ ସେମିତିକା ଦୃଶ୍ୟ କ୍ବଚିତ୍ ଦେଖିବାକୁ ମିଳେ। ଏବେ ଝାମୁ, ଦୋଳ, ନେତ୍ରୋତ୍ସବ ଭଳି କେତୋଟି ହାତଗଣତି ପର୍ବପର୍ବାଣୀ କେବଳ ପରମ୍ପରା ରକ୍ଷା କରିବା ପାଇଁ ପାଳିତ ହେଉଛି।
ବଡ଼ଗଡ଼ ଗାଁର ସଭାପତି ରାମବିହାରୀ ନରେନ୍ଦ୍ର ଓ ପୂର୍ବତନ କର୍ପୋରେଟର୍ ପ୍ରତାପ କୁମାର ଜେନାଙ୍କ ସହ ଆଲୋଚନାରୁ ମିଳିଥିବା ତଥ୍ୟକୁ ଭିତ୍ତି କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି।