ଚନ୍ଦ୍ରଶେଖରପୁର: ଆଜିକୁ ଦେଢ଼ବର୍ଷ ତଳେ ବିଦ୍ୟୁତ୍ କେବୁଲ୍ ବିଛାଇବାକୁ ଫୁଟ୍ପାଥ ତଡ଼ାଯାଇଥିଲା। ମାସ ମାସ ଧରି କାମ ଚାଲିବା ଯୋଗୁଁ ଫୁଟ୍ପାଥରେ ଲୋକଙ୍କ ପାଦ ପଡ଼ି ନଥିଲା। ତେବେ ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ତରବରିଆ ଭାବେ କାମ ଶେଷ କରିଦେଲେ। ସହରବାସୀ ଆଶା ରଖିଥିଲେ ଫୁଟ୍ପାଥ ଆଉ ଖୋଳା ଯିବନାହିଁ। ଗ୍ୟାସ, ୱାଇଫାଇ, ବିଦ୍ୟୁତ୍ କେବୁଲ୍ ଯାଇସାରିଥିବାରୁ ଏବେ ଟିକିଏ ନିସ୍ତାର ମିଳିବ। ହେଲେ ନିସ୍ତାର ମିଳିବ କ’ଣ, ଏବେ ପୁଣିଥରେ ଫୁଟ୍ପାଥ ତଡ଼ା ଆରମ୍ଭ ହୋଇଛି। ଦୁଇଦିନ ହେଲା ତୁହାକୁ ତୁହା ବର୍ଷା ଲାଗିରହିଥିବା ବେଳେ ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ଏବେ ୱାଟକୋ ପକ୍ଷରୁ ପାଣି ପାଇପ୍ ବିଛାଇବାକୁ ପାଦଚଲା ରାସ୍ତାକୁ ଖୋଳି ଦିଆଯାଇଛି। ବିବାଦ ମଧ୍ୟରେ ହନୁମାନ ପାହାଡ଼ରେ ଚାଲିଥିବା ପାନୀୟ ଜଳ ପ୍ରକଳ୍ପ କାମ ଏଯାଏ ଅଧା ହୋଇନାହିଁ। ମାତ୍ର ସହର ସାରା ପାଣି ପାଇପ୍ ବିଛାଇବାକୁ ୱାଟକୋ ଆଗଭର ହୋଇଛି। ବର୍ଷା ସମୟରେ ପାଣି ପାଇପ୍ ବିଛାଇବାକୁ ଫୁଟ୍ପାଥ ଓ ସାଇକେଲ୍ ଟ୍ରାକ୍କୁ ଖୋଳାଯାଉଛି। ୧୫ ଦିନ ହେଲା ନାଲକୋ ଛକରୁ ରଘୁନାଥପୁର ବ୍ରିଜ୍ ପର୍ଯ୍ୟନ୍ତ ପାଖାପାଖି ୬ କିମି ରାସ୍ତା ପାର୍ଶ୍ବରେ ବଡ଼ ବଡ଼ ପାଣି ପାଇପ୍ ରଖାଯାଇଥିବାରୁ ସହରବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ଓ ସନ୍ଧ୍ୟା ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଜନଗହଳିପୂର୍ଣ୍ଣ ଏହି ରାସ୍ତାରେ ଲୋକେ ହିନସ୍ତା ହେଉଛନ୍ତି। କାର୍ଚାଳକଙ୍କୁ ଘଣ୍ଟା ଘଣ୍ଟା ଧରି ଏହି ରାସ୍ତା ଟ୍ରାଫିକ୍ରେ ଫସିବାକୁ ପଡ଼ୁଛି। ରାସ୍ତାପାର୍ଶ୍ବରେ ପାଣି ପାଇପ୍ ପଡ଼ିରହିଥିବାରୁ କିଟ୍ ରାସ୍ତାରେ ଚଳପ୍ରଚଳ କରିବା କଷ୍ଟକର ହୋଇପଡ଼ୁଛି। ବିଶ୍ବବିଦ୍ୟାଳୟକୁ ଯାଇଥିବା ରାସ୍ତାରେ ବହୁତ ମଲ୍ ସହ ହୋଟେଲ, ରେସ୍ତୋରାଁ ଖୋଲିଥିବାରୁ ରାସ୍ତା ଉପରେ ପାର୍କିଂ ହେଉଛି। ତେଣୁ ଫୁଟ୍ପାଥ ସଂକୁଚିତ ହେଉଛି। ଫଳରେ ପଦଚାରୀ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।
କେବଳ ଏହି ଗୋଟିଏ ରାସ୍ତା ନୁହେଁ, ସହର ସାରା ଯେପରି ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡ଼ିଛି, ତାହା ଲୋକଙ୍କୁ ଡରାଇଲାଣି। ସାଲିଆସାହିରୁ ଆରମ୍ଭ କରି କାନନବିହାର ପର୍ଯ୍ୟନ୍ତ, ସବୁ ଗଳିକନ୍ଦି ପର୍ଯ୍ୟନ୍ତ ଯୁଆଡ଼େ ଚାହିଁବ, ସେଆଡ଼େ ରାସ୍ତା ଖଣ୍ଡିଆଖାବରା। କେଉଁଠି ଗୋଡ଼ି, ଚିପ୍ସ୍ ଉଠି ଯାଇଛି ତ କେଉଁଠି ରାସ୍ତାରେ ଆଣ୍ଠୁଏ ଗଭୀରର ଖାଲ। ଶୈଳଶ୍ରୀବିହାର-ଇନ୍ଫୋସିଟି ରାସ୍ତା ଅବସ୍ଥା ଏମିତି ହୋଇଛି ଯେ ପ୍ରତିଦିନ ଗୋଟିଏ ଯୋଡ଼ିଏ ଦୁର୍ଘଟଣା ହେଉଛି। ସପ୍ତାହେ ହେଲା ବିଶାଳ ବଡ଼ ଗାତ ହୋଇଥିଲେ ମଧ୍ୟ ପ୍ରଶାସନର ଏଥିପ୍ରତି ନଜର ପଡ଼ୁନାହିଁ।
/sambad/media/post_attachments/wp-content/uploads/2024/07/hfshfhfhhf.jpg)
ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ଖୋଳାତଡ଼ା ଯେମିତି ଏକ ନିତିଦିନିଆ ଘଟଣା। ପିଚୁ ପଡ଼ି ରାସ୍ତା ଚକାଚକ୍ କରାଯାଉଛି। ଅଥଚ ଦିନ କେଇଟା ପରେ ପୁଣି ରାସ୍ତା କଡ଼କୁ ଖୋଳି କଦର୍ଯ୍ୟ କରିଦିଆଯାଉଛି। ବିଭିନ୍ନ କେବଲ୍ ବିଛାଇବାକୁ ରାସ୍ତା ଖୋଳା ଯାଉଛି ଏବଂ ବର୍ଜ୍ୟତକ ରାସ୍ତା ଉପରେ ଗଦା କରି ରଖିଦିଆଯାଉଛି। ସେଥିରେ ପୁଣି କାମ ବିଳମ୍ବ କରାଯାଉଛି। ଠିକାସଂସ୍ଥାର ମନମାନି ଯୋଗୁ ମାସକ କାମ ବର୍ଷେ ଫଳରେ ସଙ୍କୁଚିତ ରାସ୍ତାରେ ଲୋକେ ଯନ୍ତ୍ରଣାଦାୟକ ଯା’ଆସ କରିବାକୁ ବାଧ୍ୟ ହେଉଛନ୍ତି। ଏବେ ସହିଦନଗର ଓ ଖାରବେଳନଗର ଅଞ୍ଚଳରେ ଏମିତି ସ୍ଥିତି ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ବ୍ୟାବସାୟିକ ପେଣ୍ଠସ୍ଥଳ ଓ ଆବାସିକ କଲୋନି ଥିବା ଭିଆଇପି ଅଞ୍ଚଳ ସହିଦନଗର। ଏହି ଅଞ୍ଚଳରେ ମୋଟ୍ ୩୩ କିଲୋମିଟର ରାସ୍ତା। ତନ୍ମଧ୍ୟରୁ ସବୁଠାରୁ ଜନଗହଳିପୂର୍ଣ୍ଣ ରାସ୍ତା ହେଉଛି ମହର୍ଷି କଲେଜ ଛକରୁ ସହିଦନଗର ଫ୍ଲାଏଓଭର ବ୍ରିଜ୍ ରାସ୍ତା। ଅଧିକାଂଶ ସମୟରେ ଜନପଥରେ ଟ୍ରାଫିକ୍ ଜାମ୍ ହେଉଥିବାରୁ ଅଧିକାଂଶ ଲୋକ ରସୁଲଗଡ଼, ବମିଖାଲ, ସହିଦନଗର ହାଟ, ମହର୍ଷି କଲେଜ ଯିବାପାଇଁ ଏହି ରାସ୍ତା ବ୍ୟବହାର କରନ୍ତି। କିନ୍ତୁ ପ୍ରାୟ ପ୍ରତିମାସରେ ଥରେ ଏଠାରେ ଖୋଳାଖୋଳି ଚାଲୁଛି। ବର୍ତ୍ତମାନ ଏଠାରେ ଓପିଟିସିଏଲ୍ ପକ୍ଷରୁ କେବଲ୍ ସଂଯୋଗ କରାଯାଉଛି। କିନ୍ତୁ ଯେତିକି ରାସ୍ତା କେବଲ୍ ପାଇଁ ଖୋଳା ହେଉଛି, ତା’ଠାରୁ ଅଧିକ ରାସ୍ତାରେ ନିର୍ମାଣ ବର୍ଜ୍ୟବସ୍ତୁ ଗଦା ହୋଇରହୁଛି। ଏପରିକି ବର୍ଜ୍ୟବସ୍ତୁ ଡ୍ରେନ୍ରେ ମଧ୍ୟ ଗଦା ହୋଇଯାଇଛି। ଫଳରେ ଲୋକମାନେ ଯାତାୟାତ କରିବାକୁ ବଡ଼ ହଇରାଣ ହେଉଛନ୍ତି।
ସେହିପରି ୟୁନିଟ୍-୩ ପ୍ରଦର୍ଶନୀ ପଡ଼ିଆ ଛକରୁ ଗୁରୁଦ୍ୱାର ପର୍ଯ୍ୟନ୍ତ ରାସ୍ତାର ମଧ୍ୟ ସମାନ ସ୍ଥିତି। ଏହି ରାସ୍ତା ଉପରେ ଖାରବେଳନଗର, ୟୁନିଟ୍ ୩, ହାଉସିଂବୋର୍ଡ କଲୋନି ଆଦି ଅଞ୍ଚଳର ଲୋକମାନେ ନିର୍ଭର କରନ୍ତି। କିନ୍ତୁ ଦେଢ଼ ମାସ ହେଲାଣି ଓପିଟିସିଏଲ ପକ୍ଷରୁ ଏହି ରାସ୍ତା ଖୋଳାହୋଇ ପଡ଼ିଛି। ରାସ୍ତା ଖୋଳା ସାଙ୍ଗକୁ ନିର୍ମାଣ ବର୍ଜ୍ୟବସ୍ତୁର ପାହାଡ଼ ରାସ୍ତାକୁ ସଙ୍କୁଚିତ କରିଦେଉଛି। ଫଳରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସ୍କୁଲ୍ ଓ କଲେଜର ଛାତ୍ରଛାତ୍ରୀମାନେ ହଇରାଣ ହେଉଛନ୍ତି। ଉପରୋକ୍ତ ଦୁଇ ଅଞ୍ଚଳର କର୍ପୋରେଟର ଯଥାକ୍ରମେ ରାଜକିଶୋର ଦାସ ଓ ରଞ୍ଜୁଲତା ରାୟଙ୍କୁ ପଚାରିବାରୁ ସମସ୍ୟାକୁ ଉଭୟ ସ୍ବୀକାର କରିବା ସହିତ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଓ ଖୁବ୍ଶୀଘ୍ର କାମ ସାରିବାକୁ ପ୍ରତିଶ୍ରୁତି ମିଳିଛି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/hfshhsfhfh.jpg)