ଭୁବନେଶ୍ବର: ଦେଢ଼ ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିବା ଚୁଲ୍ବୁଲି ନାୟିକା ହେଲେ ଏଲି ପାଢ଼ୀ। ଆଲ୍ବମ୍ ଭିଡିଓରୁ ଆରମ୍ଭ କରି ଓଡ଼ିଶାର ଅଧିକାଂଶ ରିଅଲିଟି ସୋ’ର ଉପସ୍ଥାପନା, ଚଳଚ୍ଚିତ୍ର ଓ ଧାରାବାହିକ ଆଦି କ୍ଷେତ୍ରରେ ରହିଛି ତାଙ୍କର ଦବ୍ଦବା। ଏଥିସହ ତାଙ୍କର ଜୀବନଶୈଳୀ, ନୃତ୍ୟ ଓ ଫିଟ୍ନେସ୍କୁ ନେଇ ଇଷ୍ଟାଗ୍ରାମ୍ ଓ ଫେସ୍ବୁକ୍ରେ ମଧ୍ୟ ସେ ବେଶ୍ ଲୋକପ୍ରିୟ। ଜଣେ ନିପୁଣା କଳାକାର ହିସାବରେ ନୃତ୍ୟରୁ ନେଇ ଉପସ୍ଥାପନା, ଅଭିନୟ ସବୁଥିରେ ସେ ସିଦ୍ଧହସ୍ତା। ଚଳିତଥର ଏହି ନାୟିକାଙ୍କ ସହ ଆମ ସାକ୍ଷାତକାର।
ଅଭିନୟ ଯାତ୍ରା କିଭଳି ଥିଲା?
ପିଲାଟି ଦିନୁ ମୋର ଅଭିନୟ ପ୍ରତି ଅହେତୁକ ଦୁର୍ବଳତା ଥିଲା। ସ୍କୁଲଠାରୁ ଆରମ୍ଭ କରି ସବୁଠି ମୁଁ ଅଭିନୟ କରିଛି। ପ୍ରଥମେ ମୁଁ ଓଡ଼ିଆ ଆଲ୍ବମ୍ ଭିଡିଓରେ କାମ କରିବା ଆରମ୍ଭ କରିଥିଲି। ‘ତାଜା ଖବର’ ଥିଲା ମୋର ପ୍ରଥମ ଆଲ୍ବମ୍। ଏହାପରେ ଅନେକ ଆଲ୍ବମ୍ ସହ ଧାରାବାହିକ ଓ ପରେ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଛି। ଇଟିଭିର ମେଗା ଧାରାବାହିକ ‘ତୁଳସୀ’ ଥିଲା ମୋ ଅଭିନୟ ଜୀବନର ମାଇଲ୍ଖୁଣ୍ଟ ସଦୃଶ। ୨୦୧୨ ମସିହାରେ ‘ଏଇ ମିଳନ ଯୁଗ ଯୁଗର’ ଚଳଚ୍ଚିତ୍ରରେ ଅଭିନୟ କରିଥିଲି। ଏହାପରେ ବର୍ତ୍ତମାନ ସୁଦ୍ଧା ମୋର ରାସ୍ତା, ୨୦୧୪- ଫିୟର୍ ଅଫ୍ ଦ ଇୟର୍ ଆଦି ୬ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିସାରିଛି। ଏହା ମଧ୍ୟରେ ଏକ ତେଲୁଗୁ ଚଳଚ୍ଚିତ୍ର ମଧ୍ୟ ରହିଛି। ଆଗକୁ ‘ମାଟି’ ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏହାସହ ମୋର ଆଙ୍କରିଂ କ୍ୟାରିୟର ମଧ୍ୟ ଜାରି ରହିଛି।
ଧାରାବାହିକରେ କେଉଁ ଚରିତ୍ର ଆପଣଙ୍କ ପସନ୍ଦ?
ଜଣେ କଳାକାର ପାଇଁ ସମସ୍ତ ଚରିତ୍ର ସ୍ବତନ୍ତ୍ର। ପ୍ରତିଟି ଚରିତ୍ରରେ କିଛି ଆହ୍ବାନ ଥାଏ। ଆଗରୁ ଅନେକ ଧାରାବାହିକ ଓ ଆଲବମ୍ରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଛି। କିନ୍ତୁ ଏବେ ଜି ସାର୍ଥକରେ ପ୍ରସାରିତ ‘ସୁନା ଝିଅ’ ଧାରାବାହିକରେ ମୋର ଶାଶୁ ଚରିତ୍ର ରହିଛି। ଏହା ମୋତେ ବେଶ୍ ଆତ୍ମତୃପ୍ତି ଦେଉଛି।
ଦଶହରାରେ ଓଡ଼ିଆ ଚଳଚ୍ଚିତ୍ରକୁ ସୋ’ ମିଳୁନି। କ’ଣ କହିବେ?
ଦଶହରା ବୁଲାରେ, ଓଡ଼ିଆ ଫିଲ୍ମ ଦେଖା ନିହାତି ହେଉଥିଲା। କିନ୍ତୁ ଏବେ ତ’ ଓଡ଼ିଆ ଚଳଚ୍ଚିତ୍ର ସିନେମା ହଲ୍କୁ ଆସିପାରୁନି। ଓଡ଼ିଆ ଫିଲ୍ମକୁ ହଲ୍ରେ ସୋ’ ବି ମିଳୁନି। କିନ୍ତୁ ଦଶହରା ସମୟରେ ଆମେ ହିନ୍ଦୀ, ତେଲୁଗୁ ବା ହଲିଉଡ୍ ଚଳଚ୍ଚିତ୍ର ଦେଖିବାକୁ ଯାଉଛେ। ଓଡ଼ିଆ ଚଳଚ୍ଚିତ୍ରର ଏହି ବୁଡ଼ିଯାଉଥିବା ଡଙ୍ଗାକୁ ଦେଖି ବହୁ ଦୁଃଖ ଲାଗୁଛି।
ଓଡ଼ିଆ ଧାରାବାହିକ ଜଗତ ଏବେ କେଉଁ ସମୟ ଦେଇ ଗତି କରୁଛି?
ଓଡ଼ିଆ ଧାରାବାହିକର ଚାହିଦା ସବୁବେଳେ ରହିଛି। ଏବେ କିନ୍ତୁ ଏହାର ସୁବର୍ଣ୍ଣ ଯୁଗ ଚାଲିଛି। ଓଡ଼ିଶାର ଗ୍ରାମାଞ୍ଚଳଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଓଡ଼ିଆ ଧାରାବାହିକ ଏକ ସ୍ବତନ୍ତ୍ର ସ୍ଥାନ ନେଇସାରିଛି। କଳାକାରମାନେ ଧାରାବାହିକରୁ ଅଧିକ ଲୋକପ୍ରିୟ ହେବା ସହ ଅଧିକ ଟଙ୍କା ରୋଜଗାର କରିପାରୁଛନ୍ତି। ଏହା ଆଗକୁ ଆହୁରି ଅଧିକ ଉନ୍ନତି କରିବ।
ଅଭିନେତ୍ରୀଙ୍କ ପାଇଁ ଫିଟ୍ନେସ୍ କେତେ ଜରୁରୀ?
କେବଳ ଅଭିନେତ୍ରୀ ନୁହେଁ, ସମସ୍ତଙ୍କ ପାଇଁ ଫିଟ୍ନେସ୍ ଅତ୍ୟନ୍ତ ଜରୁରୀ। କଳାକାରମାନଙ୍କୁ ପରଦାରେ ପ୍ରତିଦିନ ଲକ୍ଷଲକ୍ଷ ଦର୍ଶକ ଦେଖନ୍ତି। ସେମାନଙ୍କଠାରୁ ବହୁ କଥା ଶିଖନ୍ତି, ପ୍ରେରଣା ପାଆନ୍ତି। ସେମାନଙ୍କ ଷ୍ଟାଇଲ୍, ଫ୍ୟାସନ୍, ଫିଟ୍ନେସ୍ ଓ ଡାଏଟ୍କୁ ନେଇ ଅନୁଧ୍ୟାନ କରନ୍ତି। ଏଣୁ ଜଣେ କଳାକାରକୁ ଅଧିକ ସତର୍କ ହୋଇ ଅନ୍ୟମାନଙ୍କ ଆଗରେ ଉଦାହରଣ ହେବାକୁ ପଡ଼େ। ପ୍ରତିଦିନ ମୁଁ ୨ ଘଣ୍ଟା ୱାକ୍ଆଉଟ୍ ନ କଲେ ମୋତେ ଭଲ ଲାଗେନାହିଁ। ସ୍ବାସ୍ଥ୍ୟକର ଖାଦ୍ୟ ଓ ୱାକ୍ଆଉଟ୍ ମୋର ଅଭ୍ୟାସ।
ଅବସର ସମୟରେ କ’ଣ କରିବାକୁ ପସନ୍ଦ କରନ୍ତି?
ସବୁବେଳେ ଏତେ କାମ ଚାଲିଥାଏ ଯେ, ଶାନ୍ତିରେ ଟିକେ ଶୋଇ ହୁଏନ୍ତି। ଏଣୁ ଅବସର ମିଳିଲେ ମୁଁ ଶୁଏ। ଏଥିସହ ଗୀତ ଶୁଣିବାକୁ ବି ଭଲପାଏ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/41-1.jpg)