ଭାରତୀୟ ସମାଲୋଚନା ସାହିତ୍ୟରେ ବି ମୌଳିକତା ରହିଛି

ଟାଟା ଷ୍ଟିଲ ଭୁବନେଶ୍ବର ସାହିତ୍ୟ ଉତ୍ସବର ଦ୍ବିତୀୟ ଦିବସ

ଭୁବନେଶ୍ବର: ସାଧାରଣରେ ଧାରଣା ରହିଛି ଯେ ଭାରତୀୟ ସାହିତ୍ୟରେ ବା ଭାରତୀୟ ଭାଷାଗୁଡ଼ିକରେ ଗୁଡ଼ାଏ ଉପନ୍ୟାସ, ଗପ, କବିତା, ନାଟକ ଲେଖା ‌‌ହୋଇଛି। କିନ୍ତୁ ସମାଲୋଚନାମୂଳକ ସାହିତ୍ୟ ଲେଖା ହୋଇନାହିଁ। ଯାହା କିଛି ବି ଲେଖା ହୋଇଛି, ତାହା ଅନୁକରଣଧର୍ମୀ ବା ପାଶ୍ଚାତ୍ୟଧର୍ମୀ। ପାଶ୍ଚାତ୍ୟ ଦେଶରେ ଯେଉଁ ସମାଲୋଚନାଧର୍ମୀ ସାହିତ୍ୟ ଲେଖା ହୋଇଛି, ତାହା ସେମାନଙ୍କର ନିଜସ୍ବ।

ଆଜି ଯାଏ ଭାରତୀୟମାନେ ନିଜର ସାହିତ୍ୟ ପ୍ରତି ଏକ ନୂତନ ଦୃଷ୍ଟିକୋଣ ତିଆରି କରିପାରିନାହାନ୍ତି। କିନ୍ତୁ ଏହା ଏକ ଭୁଲ୍‌ ଧାରଣା। ଭାରତୀୟ ସମାଲୋଚନା ସାହିତ୍ୟରେ ବି ମୌଳିକତା ରହିଛି। ତୃତୀୟ ଅଧିବେଶନରେ ଭାରତୀୟ ସମାଲୋଚନା ସାହିତ୍ୟ ଶୀର୍ଷକ ଆଲୋଚନାରେ ବିଶିଷ୍ଟ ସମାଲୋଚକ, ଅନୁବାଦକ ପ୍ରଫେସର୍‌ ଯତୀନ୍ଦ୍ର ନାୟକ ଏହା କହିଛନ୍ତି।

ମାଳବିକା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅଧିବେଶନରେ ପ୍ରଫେସର୍‌ ଶ୍ରୀ ନାୟକଙ୍କ ସହ ବିଶିଷ୍ଟ ତେଲୁଗୁ ଲେଖିକା କେ. ସୁନିତାରାଣୀ ଯୋଗ ଦେଇ ଭାରତୀୟ ସମାଲୋଚନା ସାହିତ୍ୟର ଅନେକ ଦିଗ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ପ୍ରଫେସର୍‌ ନାୟକ କହିଥିଲେ, ସାଉଥ୍‌ ଏସିଆନ୍‌ କ୍ରିଟିକାଲ୍‌ ଡିସ୍‌କସ୍‌ ପ୍ରୋଜେକ୍ଟ କରାଯାଇ ଏଥିରେ ୧୫ଟି ବହି ପ୍ରକାଶ ପାଇବାର ଯୋଜନା କରାଯାଇଛି। ଏବେ ସୁଧା ୩ଟି ବହି ବାହାରି ସାରିଲାଣି।

ସମାଲୋଚନା କ୍ଷେତ୍ରରେ ବହୁତ ମୌଳିକ ଚିନ୍ତାଧାରା ରହିଛି। ସାହିତ୍ୟରେ ଯେଉଁ ପରିବର୍ତ୍ତନ ଘଟୁଛି, ତାକୁ ବୁଝାଇବା ପାଇଁ ମଧ୍ୟ ସମାଲୋଚକମାନେ ଚେଷ୍ଟା କରିଛନ୍ତି। ସେ ଆହୁରି କହିଥିଲେ, ମୁଦ୍ରଣ ଯନ୍ତ୍ର ଆସିବା ପରେ ଅନେକଗୁଡ଼ିଏ ପତ୍ରିକା ପ୍ରକାଶ ପାଇଲା। ସେଥିରେ ବହିଗୁଡ଼ିକର ସମାଲୋଚନା ଆରମ୍ଭ ହେଲା। କିଏ ଭଲ ଲେଖକ କିଏ ଖରାପ ଲେଖକ, ବାଦବିବାଦ ଚାଲିଲା। ଓଡ଼ିଆରେ ନୂତନ ଆଙ୍ଗିକ ଆସିଲା, ତାକୁ ମଧ୍ୟ ସମାଲୋଚକମାନେ ବିଭିନ୍ନ ଲେଖା ମାଧ୍ୟମରେ ପାଠକଙ୍କ ରୁଚି ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ। ସାହିତ୍ୟର ଇତିହାସ ଲେଖା ଉଦ୍ୟମ ଆରମ୍ଭ ହେଲା। ଓଡ଼ିଆ ସାହିତ୍ୟରେ ସମା‌ଲୋଚନା ଦିଗ ଖୁବ୍‌ ସମୃଦ୍ଧ ହେଲା।

କେ. ସୁନୀତାରାଣୀ ତେଲୁଗୁରେ କିପରି ସମାଲୋଚନା ଧାରା ସୃଷ୍ଟି ହେଲା, ତାହା ଉପରେ ଆଲୋକପାତ କରିଥିଲେ। ପାଶ୍ଚାତ୍ୟ ଶିକ୍ଷା ବ୍ୟବସ୍ଥା ଆସିବା ପରେ କେମିତି ଦିଗ ବଦଳିଲା, ସେସବୁକୁ ନେଇ ତେଲୁଗୁ ସାହିତ୍ୟ ଉପରେ ଆଲୋଚନା କରିଥିଲେ। ବିଶେଷକରି ବହିର ଭାଷା, ଆଞ୍ଚଳିକ ଭାଷା, ପାଶ୍ଚାତ୍ୟ ଭାଷା ଉପରେ ଆଲୋଚନା କରିଥିଲେ। ଭାରତୀୟ ସାହିତ୍ୟରେ ସମାଲୋଚନାର ମଧ୍ୟ ମୌଳିକତା ରହଛି। ଭାରତର ସମାଲୋଚନା ସାହିତ୍ୟକୁ ଅନୁକରଣଧର୍ମୀ କହି ବେଖାତିର କରିବା ଉଚିତ ନୁହେଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର