କଲଭର୍ଟରେ ହୋଇପାରୁନି ଜଳ ନିିଷ୍କାସନ, ଚିନ୍ତାରେ ଚା‌ଷୀ

ବାଲିଅନ୍ତା: ନିଅଣ୍ଟିଆ ବର୍ଷା କାରଣରୁ ବାଲିଅନ୍ତା ବ୍ଲକର ବହୁ ଅଞ୍ଚଳରେ ଧାନ ଜମି ଫାଟି ଆଁ କରିଥିଲା। ଗତ ୩ ଦିନ ହେଲା ଲଗାତାର ବର୍ଷା ହେବା ଫଳରେ ଚାଷ କାର୍ଯ୍ୟ ଜୋର୍‌ ଧରିଛି। କିନ୍ତୁ କିଛି ମୌଜାରେ ଡ୍ରେନେଜ୍‌ ବିଭାଗର ଅବହେଳା ଏବେ ଚାଷୀ ପାଇଁ ଚିନ୍ତାର କାରଣ ହୋଇଛି। ସଫେଇ ନାଳ କଲଭର୍ଟରେ ଜଳ ନିଷ୍କାସନ ହୋଇପାରୁ ନଥିବାରୁ ହେକ୍ଟର ହେକ୍ଟର ଧାନ ଜମି ବୁଡ଼ି ରହୁଛି। ଫଳରେ ନୂଆ ନୂଆ ବେଉଷଣ ହେଉଥିବା ବା ରୁଆ ହେଉଥିବା ଧାନ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।

ଜୟଦେବ ପଞ୍ଚାୟତ ଅଞ୍ଚଳରେ ଏହି ସମସ୍ୟାର ସମାଧାନ ପାଇଁ ଯଦି ଡ୍ରେନେଜ୍‌ ବିଭାଗ ତୁରନ୍ତ ଦୃଷ୍ଟି ନ ଦିଏ, ତାହାଲେ ଚଳିତ ବର୍ଷ ଖରିଫ ଧାନ ଫସଲ ଉଜୁଡ଼ିଯିବ ବୋଲି ଅନେକ ଚାଷୀ କହିଛନ୍ତି। ଚାଷୀମାନଙ୍କ ଅଭିଯୋଗ ଅନୁସାରେ, ପ୍ରତାପରୁଦ୍ରପୁର ପଞ୍ଚାୟତଠାରୁ ଜୟଦେବ ପଞ୍ଚାୟତ ସାହେବନଗର ଦେଇ ବାଲିପାଟଣା ବ୍ଲକ ଭାକରସାହି ପଞ୍ଚାୟତ ପୋଇଝାରି ମୌଜା ପ୍ରାଚୀଧାରକୁ ସଂଯୋଗ କରୁଥିବା ସଫେଇ ନାଳ ରକ୍ଷଣାବେକ୍ଷଣ ଅଭାବରୁ ପୋତି ହୋଇଗଲାଣି। ଏହି ନାଳ ଭିତରେ କଲିକତି ଦଳ ଭର୍ତ୍ତି ହୋଇ ରହିଛି। ମାଟି ଅତଡ଼ା ଧସେଇ ପଡ଼ିଥିବାରୁ ସାହେବନଗର ଓ ପୋଇଝାରି କଲଭର୍ଟ ମୁହଁ ପୋତି ହୋଇଗଲାଣି। ସେହିଭଳି ସାହେବନଗର ଦିଓ ଏବଂ ମେଣ୍ଢା ପୋଖରୀ ମଧ୍ୟ ଦେଇ ଯାଇଥିବା ସଫେଇ ନାଳ ଦେଇ ଜଳ ନିଷ୍କାସନ ହୋଇପାରୁନାହିଁ। ଜୟଦେବ ପଞ୍ଚାୟତ ପକ୍ଷରୁ ମନରେଗା ଯୋଜନାରେ ଉପରୋକ୍ତ ପୋଖରୀ ପୁନରୁଦ୍ଧାର କରାଯାଇଥିଲା। ପୁନରୁଦ୍ଧାର ବେଳେ ପୋଖରୀର ଗୋଟିଏ ପାର୍ଶ୍ବ ବନ୍ଧକୁ ଚଉଡ଼ା ଓ ଉଚ୍ଚା କରିଦେବା ଯୋଗୁଁ ସଫେଇ ନାଳର କଲଭର୍ଟ ମୁହଁ ବନ୍ଦ ହୋଇଯାଇଛି। ଫଳରେ ସେହି ଅଞ୍ଚଳର ଧାନ ଜମିରୁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ। ଏ ସଂପର୍କରେ ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସମେତ ଖୋର୍ଦ୍ଧା ଜିଲ୍ଲାପାଳ, ବିଡିଓ ଓ ତହସିଲଦାରଙ୍କୁ ଲିଖିତ ଜଣାଇଛନ୍ତି। ବ୍ଲକ ଅଧ୍ୟକ୍ଷା ସୁଚିତ୍ରା ଜେନାମଣୀ ଓ ସ୍ଥାନୀୟ ସରପଞ୍ଚ ପ୍ରଜ୍ଞା ପାରମିତା ଜେନାମଣୀ ମଧ୍ୟ ବିଭାଗୀୟ କର୍ତୃପକ୍ଷଙ୍କ ସହ ଫୋନରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର