ମଇଦାନରେ ୩୦୩ ପ୍ରାର୍ଥୀ, ପ୍ରତ୍ୟାହାର କଲେ ୫୨

ଭୁବନେଶ୍ବର: ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଆଜି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ପୂର୍ବରୁ ୮ ଜଣ ଓ ଆଜି ଶେଷ ଦିନ‌ରେ ୪୪ ଜଣ ଏଭଳି ମୋଟ୍‌ ୫୨ ନିର୍ବାଚନରୁ ଓହରି ଯାଇଛନ୍ତି। ଅର୍ଥାତ୍‌ ଆସନ୍ତା ୨୪ ତାରିଖ ଦିନ ୩୦୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏମାନଙ୍କ ମଧ୍ୟରୁ ୧୨ ଜଣ ମେୟର ପଦବି ପାଇଁ ଲଢ଼େଇ କରୁଥିବା ବେଳେ ୨୯୧ ଜଣ କର୍ପୋରେଟର ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବିଜେଡି ଓ ବିଜେପି ସମସ୍ତ ୬୭ ୱାର୍ଡରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ୪୭, ସିପିଆଇ(ଏମ୍‌)୬, ସିପିଆଇ ୨, ଆପ୍‌ ୧୧, ବସ୍ତି ସୁରକ୍ଷା ମଞ୍ଚର ୪ ଜଣ ପ୍ରାର୍ଥୀ ଲଢ଼େଇ କରୁଛନ୍ତି।

୬୫ରେ ସର୍ବାଧିକ ୧୦ ପ୍ରାର୍ଥୀ
୯ ୱାର୍ଡରେ ଦ୍ବିମୁଖୀ ଲଢ଼େଇ

ସବୁଠାରୁ ଅଧିକ ପ୍ରାର୍ଥୀ ଥିବା ୱାର୍ଡ ହେଉଛି ୬୫। ଏଠାରୁ ୩ ଜଣ ସ୍ବାଧୀନ ପ୍ରାର୍ଥୀ ଓହରିଯିବା ପରେ ତିନି ପ୍ରମୁଖ ଦଳଙ୍କ ସମେତ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସେହିଭଳି ୯ଟି ୱାର୍ଡରେ ଦ୍ବିମୁଖୀ ଲଢ଼େଇ ହେଉଛି। ୱାର୍ଡ ନଂ୨, ୧୨, ୧୯, ୨୨, ୩୩, ୪୩, ୪୫, ୪୯ ଓ ୬୨ ରେ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ଲଢ଼େଇ ହେଉଛି। ସେହିଭଳି ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ୱାର୍ଡ ନଂ ୧୦, ୧୭, ୨୩, ୨୫, ୨୯, ୩୮, ୪୦, ୪୭, ୪୮, ୫୨, ୫୩ ଓ ୫୪ରେ ମୁହାଁମୁହିଁ ହେଉଛନ୍ତି।

୪ଟି ୱାର୍ଡରେ ସିପିଆଇ ଓ ସିପିଆଇ(ଏମ୍‌) ପ୍ରାର୍ଥୀ ଦେଇଥିବା ବେଳେ ୪ଟିରେ ବସ୍ତି ସୁରକ୍ଷା ମଞ୍ଚ ମଧ୍ୟ ମଇଦାନକୁ ଓହ୍ଲାଇଛି। ଚାପ ନାହିଁ, ନିଜ ଇଚ୍ଛାରେ କରୁଛୁ: ଆଜି ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଥିଲା। ଶାସକ ବିଜେଡି ଅସନ୍ତୁଷ୍ଟମାନଙ୍କୁ ପ୍ରତ୍ୟାହାର କରିବା ପାଇଁ ଯଥାସାଧ୍ୟ ଉଦ୍ୟମ କରିଥିଲା। ଅନେକାଂଶରେ ସଫଳ ମଧ୍ୟ ହୋଇଥିଲା। ପ୍ରଥମ ଦିନ ମାତ୍ର ୪ଟି ପ୍ରତ୍ୟାହାର ହୋଇଥିବା ବେଳେ ଶେଷ ଦିନ ଏହାର ସଂଖ୍ୟା ୧୦ଗୁଣ ବେଶି ରହିଥିଲା। ପ୍ରତ୍ୟାହାର ବେଳେ ନିୟମ ଅନୁଯାୟୀ ଭିଡିଓ ରେକର୍ଡ କରାଯାଇଥିଲା। ଏଥିରେ ପ୍ରାର୍ଥୀମାନେ ‘କୌଣସି ଚାପ ନାହିଁ ବରଂ ଆମେ ନିଜ ଇଚ୍ଛାରେ ପ୍ରତ୍ୟାହାର କରୁଛୁ’ ବୋଲି କହିଥିଲେ।

ହେଲେ ବାସ୍ତବ କଥା ଥିଲା ଭିନ୍ନ। କାରଣ ପୂର୍ବରୁ ‘କୌଣସି ପରିସ୍ଥିତିରେ ପ୍ରତ୍ୟାହାର ହେବ ନାହିଁ, ବରଂ ଲଢ଼େଇ ହେବ’ ବୋଲି କହି ପ୍ରଚାର ଜାରି ରଖିଥିବା ପ୍ରମୁଖ ନେତା ମଧ୍ୟ ପ୍ରତ୍ୟାହାର କରିଥିଲେ। ଗଣମାଧ୍ୟମରେ ମଧ୍ୟ ମୁହଁ ଦେଖାଇନଥିଲେ।

ପ୍ରଚାର ପାଇଁ ଅନୁମତି: ଯେଉଁ ପ୍ରାର୍ଥୀମାନେ ପ୍ରତ୍ୟାହାର ନ କରିବା ପାଇଁ ନିଶ୍ଚିତ ଥିଲେ ସେମାନେ ଅନେକ ପୂର୍ବରୁ ବିଏମ୍‌ସି ନିର୍ବାଚନ ଅଧିକାରୀଙ୍କ ଠାରୁ ପ୍ରଚାର ପାଇଁ ଆବଶ୍ୟକ ସ୍ବୀକୃତି ନେଇଥିଲେ। ହେଲେ ଯେଉଁମାନେ ପ୍ରତ୍ୟାହାର କରିବେ କି ନାହିଁ ଦ୍ବନ୍ଦ୍ବରେ ଥିଲେ ସେମାନେ ପ୍ରଚାର ପାଇଁ ଅନୁମତି ନେଇନଥିଲେ। ଆଜି ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ବା ଯେଉଁମାନେ ପ୍ରତ୍ୟାହାର କଲେ ନାହିଁ ସେମାନେ ଆସନ୍ତାକାଲି ଠାରୁ ପ୍ରଚାର କରିବା ପାଇଁ ସ୍ବୀକୃତି ନେଇଥିଲେ। ସେଥିପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଜି ସେମାନେ ଭିଡ଼ ଜମାଇଥିଲେ।

ସମ୍ବନ୍ଧିତ ଖବର