ଭୁବନେଶ୍ବର : ଚାଷୀଙ୍କ ପାଇଁ ଆଶ୍ବସ୍ତି। କାରଣ ଖୁବ ଶୀଘ୍ର ଭୁବନେଶ୍ବର, ଜଟଣୀ ଓ ବାଲିପାଟଣାରେ ସୌର କୋଲ୍ଡରୁମ୍ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଏଡିଏଚ୍ ଦେବାଶିଷ ମିଶ୍ର। ଏହାର ପରିଚାଳନା ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ୧୫ ଦିନ ମଧ୍ୟରେ କାହାକୁ ମିଳିବ ଜଣାପଡ଼ିବ।
ବଡ଼ ଶୀତଳଭଣ୍ଡାର ଚାଷୀଙ୍କ କାମକୁ ଆସୁନି। ଉତ୍ପାଦନ ତୁଳନାରେ ବିଜୁଳି ବିଲ୍ ସମସ୍ତଙ୍କୁ ସୁହାଉନାହିଁ। କୃଷି ବିଭାଗ, ଚାଷୀ ଏବଂ ବ୍ୟବସାୟୀଙ୍କ ଚିନ୍ତା ବଢ଼ାଉଛି ବିଦ୍ୟୁତ୍ ବିଲ୍। ଏଣେ ଶୀତଳଭଣ୍ଡାରରେ ଉତ୍ପାଦିତ କୃଷିଜାତ ପଦାର୍ଥ ରଖି ନପାରିବାରୁ ଉଭୟ ଚାଷୀ ଏବଂ ଗ୍ରାହକ କ୍ଷତିଗ୍ରସ୍ତ ହୁଅନ୍ତି। ଉତ୍ପାଦନ ସମୟରେ ଚାଷୀ କମ ଦାମରେ ପରିବା ବିକ୍ରି କରେ ଏବଂ ଅନ୍ୟ ସମୟରେ ଗ୍ରାହକ ଅଧିକ ଦରରେ କିଣନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ସୌର କୋଲ୍ଡରୁମ୍ କାର୍ଯ୍ୟକ୍ଷମ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ରାଜ୍ୟର ବିଭିନ୍ନ ସ୍ଥାନରେ ଏହା କାର୍ଯ୍ୟକ୍ଷମ ମଧ୍ୟ ହୋଇଛି। ଭୁବନେଶ୍ବର ଉଦ୍ୟାନ ବିଭାଗ ମଧ୍ୟ ଏଥିପାଇଁ କାର୍ଯ୍ୟ କରୁଛି। ୧୦ ମେଟ୍ରିକ୍ ଟନ୍ ସ୍ଥାନରେ ଏହି ସୌର କୋଲ୍ଡରୁମ୍ ଖୋଲିଛି। ଚାଷୀ ଟମାଟୋଠାରୁ କୋବି ପର୍ଯ୍ୟନ୍ତ ସମସ୍ତ ପ୍ରକାର ପରିବା ଏଠାରେ ସଂରକ୍ଷିତ କରିପାରିବେ।
ରାଜଧାନୀରେ ବିକ୍ରି ଅଧିକାଂଶ ପରିବା ବାଲିପାଟଣାରୁ ଆସିଥାଏ। ଏଥିସହିତ ୯ଟି ପ୍ୟାକ୍ ହାଉସ୍ ମଧ୍ୟ ଏହି ସ୍ଥାନରେ ଖୋଲାଯାଇଛି। ଉଦ୍ୟାନ ବିଭାଗର ସବ୍ସିଡିରେ କୃଷକ ଉତ୍ପାଦନ ସଙ୍ଗଠନଗୁଡ଼ିକର ପରିଚାଳନାରେ ପ୍ୟାକ୍ ହାଉସ୍ଗୁଡ଼ିକ ଖୋଲିଛି। ଏଡିଏଚ୍ କହିଛନ୍ତି ଯେ ଚାଷୀମାନେ ପ୍ୟାକେଜିଂ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଏପରିକି ଅନେକ ସମୟରେ ବସ୍ତାରେ ଠିକ ଭାବରେ ପରିବା ନ ରହିବା ଯୋଗୁ ନଷ୍ଟ ହୋଇଯାଏ। ତେଣୁ ପ୍ୟାକ୍ ହାଉସ୍ରେ ନିଜ ଉତ୍ପାଦିତ ପରିବା ସଂରକ୍ଷିତ ରଖି ଏହାର ଲାଭ ଉଠାଇ ପାରୁଛନ୍ତି। ଯେଉଁ ଚାଷୀମାନେ କୃଷି ଉତ୍ପାଦନ ସଙ୍ଗଠନରେ ନାହାନ୍ତି, ସେମାନେ ମଧ୍ୟ ଏହାର ଲାଭ ନେଇ ପାରୁଛନ୍ତି। ପ୍ୟାକ୍ ହାଉସ୍ ପରେ ସୌର ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ହେଲେ ଚାଷୀଙ୍କ ପାଇଁ ଲାଭଜନକ ହେବ ବୋଲି ଆଶା ରହିଛି।