ଭୁବନେଶ୍ବର: ୨୦୧୪ ମସିହାରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା, ଜଟଣୀ, ବେଗୁନିଆ, ଡେଲାଙ୍ଗ ଅଞ୍ଚଳରେ ୧୫୬ ଗାଁର ଲୋକଙ୍କୁ ଜଗନ୍ନାଥଙ୍କ ଜମି ଦିଆଯାଇଥିଲା। ହେଲେ ୩୬ ଗାଁର ପ୍ରାୟ ୧ଲକ୍ଷ ୨୦ ହଜାର ଲୋକ ପଟ୍ଟା (ଆର୍‌ଓଆର୍‌) ପାଇବାରୁ ବଞ୍ଚିତ ହୋଇଛନ୍ତି। ଏବେ ଏହି ଲୋକଙ୍କୁ ଜମି ଯୋଗାଇ ଦିଆଯିବ। ଆଜି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଭେଟି ନବବର୍ଷ ଶୁଭେଚ୍ଛା ଜଣାଇବା ସହିତ ଭୁବନେଶ୍ୱରର ଉନ୍ନତି ପାଇଁ ୬ଟି ପ୍ରକଳ୍ପର ପ୍ରସ୍ତାବ ଦେଇଛନ୍ତି।  

Advertisment

ବଞ୍ଚିତ ହିତାଧିକାରୀ ପାଇବେ ଜମି ପଟ୍ଟା
ମୁଖ୍ୟମନ୍ତ୍ରୀଙ୍କୁ ସାଂସଦଙ୍କ ୬ ପ୍ରକଳ୍ପର ପ୍ରସ୍ତାବ

ଜଟଣୀରେ ୫୬୮ ଭେଣ୍ଡିଂ ଜୋନ୍‌ ନିର୍ମାଣ ହେବ। ଏଥିପାଇଁ ୧୬କୋଟି ୫୮ଲକ୍ଷ ଟଙ୍କା ବ୍ୟୟବରାଦ ହେଇଥିବା ସେ ସୂଚନା ଦେଇଛନ୍ତି। ଫଳରେ ବହୁ ଦିନରୁ ଜଟଣୀରେ ଲାଗି ରହିଥିବା ଉଠାଦୋକାନୀ ବିବାଦ ସମାଧାନ ହେବ। ତା ସହିତ ସେ ଦେଇଥିବା ୬ଟି ପ୍ରସ୍ତାବ ମଧ୍ୟରୁ ନନ୍ଦନକାନନ ରାସ୍ତାକୁ ୨୦୦ ଫୁଟିଆ କରାଯିବ। କଳ୍ପନାରୁ ରବି ଟକିଜ୍‌କୁ ଫ୍ଲାଏ ଓଭର, ଶିଶୁଭବନ ଛକରୁ ମ୍ୟୁଜିୟମ ଛକ ଯାଏ ଫ୍ଲାଏ ଓଭର ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରକଳ୍ପଗୁଡ଼ିକର ଡିପିଆର ପ୍ରସ୍ତୁତ ହୋଇ ଜିଲ୍ଲାପାଳ, ବିଡିଏ ଓ ବିଏମ୍‌ସିକୁ ପଠାଯାଇଛି। ଭୁବନେଶ୍ବର ବାହାରେ ୧୪୮ କିମି ଦୀର୍ଘ ରିଙ୍ଗ୍‌ ରୋଡ୍ ରାଜଧାନୀ ଉପକଣ୍ଠ ଅଂଚଳକୁ ସଂଯୋଗ କରିବ। ଯାହାକି ରାଜଧାନୀରେ ଟ୍ରାଫିକ ସମସ୍ୟାକୁ ଦୂର କରିପାରିବ। ଦୟା ୱେଷ୍ଟ୍‌ କେନାଲ ଓ ସଂଯୋଗ କରୁଥିବା ରାସ୍ତାର ଉନ୍ନତୀକରଣ, ସହିଦନଗର ହାଟର ଜମି ଅଧିଗ୍ରହଣ ଓ ଉନ୍ନତୀକରଣ ଯୋଜନା ଏବଂ ନୂଆପଲ୍ଲୀରେ ବରିଷ୍ଠ ନାଗରିକଙ୍କ ପାଇଁ କମ୍ୟୁନିଟି ହଲର ନିର୍ମାଣ ପାଇଁ ସେ ପ୍ରସ୍ତାବ ଦେଇଛନ୍ତି। ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି, ଗତ ବର୍ଷ ସେପ୍ଟେମ୍ବର ୧୪ରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଯେଉଁ ୪ଟି ପ୍ରସ୍ତାବ ଦିଆଯାଇଥିଲା ସେସବୁ କାମ ଆରମ୍ଭ ହେଇସାରିଛି। ରାଜଧାନୀ ଭୁବନେଶ୍ବରର ବିକାଶ ହେଲେ, ଏହା ରାଜ୍ୟର ବିକାଶକୁ ତ୍ବରାନ୍ବୀତ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ବିଭିନ୍ନ ଉନ୍ନତୀକରଣ କାର୍ଯ୍ୟ ହାତକୁ ନେଇଥିବା ସାଂସଦ କହିଛନ୍ତି।