ଖଦି ବଜାରରେ ବସିବ ୬୦ ଷ୍ଟଲ୍‌, ୧୯ରୁ ଖଦି ଓ ଗ୍ରାମୋଦ୍ୟୋଗ ପ୍ରଦର୍ଶନୀ

ଭୁବନେଶ୍ବର: ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟାଳୟ ପରିସରରେ ଆସନ୍ତା ୧୯ ତାରିଖରେ ଖଦି ପ୍ରଦର୍ଶନୀ ଉଦ୍‌ଘାଟନ ହେବ। ୧୯ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ। ଏଥିରେ ୬୦ଟି ଷ୍ଟଲ୍‌ ପଡ଼ିବ ଓ ରାଜ୍ୟର ବିଭିନ୍ନ ସମିତି ତଥା ଗୋଷ୍ଠୀ ଜରିଆରେ ଉତ୍ପାଦନ ହେଉଥିବା ସାମଗ୍ରୀ ବିକ୍ରି ହେବ। ଆଜି ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଏକ ସମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀ ଅବସରରେ ଅଧ୍ୟକ୍ଷ ଶ୍ରୀ ପାଇକରାୟ ଏକ କାର୍ଡ ଉନ୍ମୋଚନ କରି କହିଲେ ଯେ ଖଦି ପ୍ରଦର୍ଶନୀକୁ ଏଥର ଖଦି ବଜାର ବୋଲି ନାମିତ କରାଯାଇଛି। ୧୯ ତାରିଖ ସନ୍ଧ୍ୟା ୬ଟାରେ ଉଦ୍‌ଘାଟନ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଶକ୍ତି, ଗୃହ, ଶିଳ୍ପ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ଜଳସଂପଦ ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଉପସ୍ଥିତ ରହିବେ ବୋଲି ସେ ସୂଚନା ଦେଇଛନ୍ତି। ଏଥର ଖଦି ବଜାରରେ ଖୋଲିବାକୁ ଥିବା ୬୦ଟି ଷ୍ଟଲ୍‌ରେ ଗାଁ ଗହଳିର ଗରିବ ବୁଣାକାର ଓ ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ ଯୋଜନା ଜରିଆରେ ସହାୟତା ପ୍ରାପ୍ତ ଓଡ଼ିଶା ଏବଂ ଅନ୍ୟ ରାଜ୍ୟର ହିତାଧିକାରୀମାନଙ୍କ ଦ୍ବାରା ନିର୍ମିତ ସାମଗ୍ରୀ ପ୍ରଦର୍ଶିତ ହେବ। କାର୍ପାସ, ସିଲ୍କ ଓ ମସ୍ଲିନ ଖଦି ପ୍ରସ୍ତୁତ ଶାଢୀ, ଲୁଙ୍ଗି, ଗାମୁଛା ଓ ବିଭିନ୍ନ ପୋଷାକ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି କରାଯିବ। ସେହିଭଳି ବେତ ଓ ବାଉଁଶ ନିର୍ମିତ ବିଭିନ୍ନ ଆସବାବ, ଘରକରଣା ସାମଗ୍ରୀ, ସବାଇ ଘାସ ପ୍ରସ୍ତୁତ ଗୃହୋପକରଣ, ମସିଣା, ଝୋଟ ତିଆରି ସାମଗ୍ରୀ, ଚମଡ଼ା ଉତ୍ପାଦ, ଘଣା ପେଡ଼ା ସୋରିଷ ତେଲ, ବିଶୁଦ୍ଧ ମହୁ, କନ୍ଧମାଳ ହଳଦୀ, ଝୁଣା, ମସଲା ସାମଗ୍ରୀ ମିଳିବ।

ଏଥିସହିତ ଏହି ପ୍ରଦର୍ଶନୀରେ ଲୋକେ ଚରଖା, କୁମ୍ଭାର ଶିଳ୍ପ ଇତ୍ୟାଦିର ଜୀବନ୍ତ କାର୍ଯ୍ୟ ଶୈଳୀ ଦେଖିବାର ସୁ‌ଯୋଗ ପାଇବେ। ଦର୍ଶକମାନେ ଖଦି ପୋଷାକ ତିଆରି ଏବଂ ମାଟି ପାତ୍ର ତିଆରି ପଦ୍ଧତିର ଡେମୋ ଦେଖି ପାରିବେ। ପ୍ରତ୍ୟେକ ସଂଧ୍ୟାରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ। ପ୍ରତିଦିନ ସ୍କୁଲ କଲେଜ ପିଲାଙ୍କୁ ନେଇ ଏକ ପ୍ରତିଯୋଗିତା କରାଯିବା ସହ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ। କୋଭିଡ୍‌ ଗାଇଡ୍‌ଲାଇନ୍‌ ଅନୁସାରେ ଏହି ଖଦି ବଜାର ଚାଲିବ। କରୋନା ମହାମାରୀ ସମୟରେ ଜୀବିକା ହରାଇଥିବା ଯୁବଗୋଷ୍ଠୀ ଓ ବେକାର ଯୁବକ ଯୁବତୀମାନଙ୍କ ପାଇଁ ରାଜ୍ୟ ସରକାର ଅଣୁ , କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମାଧ୍ୟମରେ ଋଣ ପ୍ରଦାନ କରୁଛନ୍ତି। ଏହି ପ୍ରଦର୍ଶନୀରେ ପ୍ରଦର୍ଶିତ ହେବାକୁ ଥିବା ଗ୍ରାମ୍ୟଶିଳ୍ପ ସମ୍ପର୍କରେ ଯୁବଗୋଷ୍ଠୀ ସଚେତନ ହେବା ସହ ରାଜ୍ୟ ସରକାର ଯୋଗାଉଥିବା ସୁଯୋଗର ସୁଦପୋଯୋଗ କରିପାରିବେ ବୋଲି ଅଧ୍ୟକ୍ଷ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଚିବ ଅବଦୁଲ ଅଲିମ ଖାଁ ଏବଂ ଉପସଚିବ ଅଶୋକ କୁମାର ମହାନ୍ତି ଓ ତ୍ରିଯୋଗୀ ନାରାୟଣ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର