ପାଣ୍ଡରାରେ ହେବ ମଡେଲ ହାଟ, ମିଶିଯିବ ପଳାସୁଣି ହାଟ

ଥଇଥାନ ହେବେ ଏକ ହଜାର ବ୍ୟବସାୟୀ, ଆମିଷ ବଜାର ହେବ ଶୀତତାପ ନିୟନ୍ତ୍ରିତ

ଭୁବନେଶ୍ବର : ରାଜଧାନୀରେ ଏକ ମଡେଲ ହାଟ ନିର୍ମାଣ ହେବ। ଦିଲ୍ଲୀ, ମୁମ୍ବାଇ ଭଳି ମେଟ୍ରୋ ସହରରେ ଥିବା ଶୀତତାପ ନିୟନ୍ତ୍ରିତ ହାଟ ଭଳି ଏହି ମଡେଲ ହାଟ ହେବ। ଏଠାରେ ପ୍ରାୟ ଏକ ହଜାର ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ଏହି ହାଟରେ ଆମିଷ ବଜାରକୁ ସଂପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯିବ। ଭୁବନେଶ୍ବର-ପୁରୀ ବାଇପାସ୍ ନିକଟ ପାଣ୍ଡରା ଛକ ନିକଟରେ ବିଏମ୍‌ସି ଏହିଭଳି ଏକ ହାଟ ନିର୍ମାଣ କରିବାକୁ ଯାଉଛି। ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖୁବ୍‌ ଶୀଘ୍ର ବିଏମ୍‌ସି ପକ୍ଷରୁ ଏହାର ଡିଜାଇନ୍ ପ୍ରସ୍ତୁତ କରି ନିର୍ମାଣ ପାଇଁ ଟେଣ୍ଡର ଡକାଯିବ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ବର-ପୁରୀ ବାଇପାସ୍‌ ପାଣ୍ଡରା ଛକ ନିକଟରେ ଖାତା ନମ୍ବର ୧୩୫୨ରେ ୧ଏକର ୮୨୦ ଡିସିମିଲି ସରକାରୀ ଜମି ରହିଛି। ସେଥିରୁ ୧ଏକର ୨୩୦ ଡିସିମିଲି ଜମିରେ ଏହି ହାଟ ନିର୍ମାଣ ହେବ। ଏହି ହାଟରେ ପନିପରିବା, ଆମିଷ ବଜାର, ତେଜରାତି ସାମଗ୍ରୀ ବଜାର ପାଇଁ ପୃଥକ ପୃଥକ ସ୍ଥାନ ଏବଂ ଗୃହ ବ୍ୟବସ୍ଥା ରହିବ। ଏହା ୨ କିମ୍ବା ୩ମହଲା ବିଶିଷ୍ଟ ହେବ। ଏହା ଏକ ବଡ଼ ମାର୍କେଟ ହବ୍ ହେବାକୁ ଯାଉଥିବାରୁ ପାର୍କିଂ ପାଇଁ ଯେମିତି ଭବିଷ୍ୟତରେ କୌଣସି ସମସ୍ୟା ନହୁଏ, ତାହାକୁ ଦୃଷ୍ଟିରେ ରଖି ଭୂତଳ କିମ୍ବା ବାହାରେ ନିର୍ଦ୍ଦିଷ୍ଟ ସ୍ଥାନରେ ଯାନବାହାନ ରଖିବା ବ୍ୟବସ୍ଥା କରାଯିବ। ତେବେ ବଡ଼ କଥା ହେଉଛି ପ୍ରଥମ ଥର ପାଇଁ ଓଡ଼ିଶାରେ ଏହି ହାଟରେ ଆମିଷ ବଜାର ଶୀତତାପ ନିୟନ୍ତ୍ରିତ ହେବ। ତେଣୁ ରାଜଧାନୀବାସୀ ଏଠାରେ ମାର୍କେଟିଂ କରି ମେଟ୍ରୋ ସହରର ଅନୁଭୂତି ପାଇବେ।

ରାଜଧାନୀରେ ଏହା ଏକ ବୃହତ୍‌ ବ୍ୟବସାୟିକ ପେଣ୍ଠସ୍ଥଳୀ ହେବ ଓ ଏଥିରେ ୧ହଜାର ବ୍ୟବସାୟୀଙ୍କୁ ଥଇଥାନ କରାଯିବ। ସେହିଭଳି ଦୀର୍ଘ ଦିନ ଧରି ଅବ୍ୟବସ୍ଥିତ ଓ ବହୁ ସମସ୍ୟା ଭିତରେ ଥିବା ପଳାସୁଣି ହାଟକୁ ଏଥିରେ ମିଶାଇ ଦିଆଯିବ। ଫଳରେ ୨୫୦ରୁ ଊର୍ଦ୍ଧ୍ବ ବ୍ୟବସାୟୀ ଉପକୃତ ହେବେ। ଏ ନେଇ ପଳାସୁଣି ମା’ ଖଣ୍ଡେଶ୍ବରୀ ହାଟର ସଭାପତି ରମେଶ ସାହୁ କହିଛନ୍ତି ଯେ ହାଟ ସ୍ଥାନାନ୍ତରଣ ନେଇ ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା। ଉକ୍ତ ଜମିରେ ବଡ଼ ହାଟ କରାଯାଉ ବୋଲି ସ୍ଥାନୀୟ ବିଧାୟକଙ୍କୁ ଅନୁରୋଧ କରିବା ସହିତ ବିଏମ୍‌ସି କର୍ତ୍ତୃପକ୍ଷଙ୍କୁ ସୁପାରିସ କରାଯାଇଥିଲା। ଏବେ ମଡେଲ ହାଟ ନିର୍ମାଣ ନେଇ ନିଷ୍ପତ୍ତି ହୋଇଥିବାରୁ ଆମେ ଖୁସି ବୋଲି ଶ୍ରୀ ସାହୁ କହିଛନ୍ତି। ଏ ସଂପର୍କରେ ବିଏମ୍‌ସି ଡେପୁଟି କମିସନର (ଉତ୍ତର ଜୋନ୍) ପୁରନ୍ଦର ନନ୍ଦ କହିଛନ୍ତି ଯେ ଏହା ଏକ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନ ହେବାକୁ ଯାଉଛି। ଏହି ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଯାଇଛି। ଖୁବ୍‌ ଶୀଘ୍ର ଯୋଜନା ବାସ୍ତବ ରୂପ ନେବ।

ସମ୍ବନ୍ଧିତ ଖବର