ମହାବୀରନଗରରେ ହେବ ଅତ୍ୟାଧୁନିକ ପାର୍କ: ଉପକୃତ ହେବେ ୪ ୱାର୍ଡବାସୀ

ଭୁବନେଶ୍ବର: ଝାରପଡ଼ା ୱାର୍ଡ ନଂ-୩୩ରେ ନିର୍ମାଣ ‌ହେବ ଅତ୍ୟାଧୁନିକ ପାର୍କ। ଏଥିପାଇଁ ମହାବୀରନଗରରେ ଜମି ଚିହ୍ନଟ ସରିଛି। ଏକରରୁ ଊର୍ଧ୍ବ ଜମିରେ ଏହି ପାର୍କ ନିର୍ମାଣ କରାଯିବ। ଏହାର ଡିଜାଇନ୍‌ ମଧ୍ୟ ସରିଛି। ପାର୍କ ନିର୍ମାଣ ଦ୍ବାରା ବିଶେଷ କରି ୱାର୍ଡ ନମ୍ବର ୩୧, ୩୨, ୩୩, ୪୩ ସମେତ ଆଖପାଖ ଅଞ୍ଚଳ ୫୦ ହଜାରରୁ ଅଧିକ ଲୋକ ଉପକୃତ ହେବେ। ପାର୍କରେ ସବୁ ବର୍ଗର ଲୋକଙ୍କ ଆମୋଦପ୍ରମୋଦ ତଥା ଯୋଗ ଓ ଜଗିଂ ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଉଛି। ଏଠାରେ ଯୋଗମଣ୍ଡପ, ଜଗିଂ ଟ୍ରାକ୍‌, ଖୋଲା ଜିମ୍‌ ରହିବ। ଯୋଗମଣ୍ଡପରେ ଏକାସଙ୍ଗେ ଶହେରୁ ଅଧିକ ଲୋକ ଯୋଗାସନ କରିପାରିବେ। ଜଗିଂ ଟ୍ରାକ୍‌ର ଉଭୟ ପାର୍ଶ୍ବକୁ ‌ଆଲୋକୀକରଣ କରାଯିବ। ସେହିପରି ଛୋଟ ପିଲାଙ୍କ ପାଇଁ ମଧ୍ୟ ଚିଲ୍‌ଡ୍ରେନ୍‌ ପାର୍କ ଭଳି ବିଭିନ୍ନ ଖେଳକୁଦ ଭିତ୍ତିଭୂମି ରହିବ। ଏହାଛଡ଼ା ଏଠାରେ ୱାଟର ଏଟିମ୍‌ ମଧ୍ୟ ରହିବ। ଲୋକମାନେ ଖୁବ୍‌ କମ୍‌ ମୂଲ୍ୟରେ ପାନୀୟ ଜଳ ପାଇପାରିବେ। ଏଥିପାଇଁ ବିଡିଏ କୋଟିଏରୁ ଊର୍ଧ୍ବ ଟଙ୍କା ଖର୍ଚ୍ଚ କରିବ ବୋଲି ଜଣାପଡ଼ିଛି। ସୋମବାର ଦିନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏହି ପ୍ରକଳ୍ପକୁ ୬ମାସ ମଧ୍ୟରେ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର