ଭୁବନେଶ୍ବର : ରାଜଧାନୀରେ ଇ-ଯାନ ଭିତ୍ତିଭୂମି ସୁଦୃଢ଼ ହେବାକୁ ଯାଉଛି। ନିକଟ ଭବିଷ୍ୟତରେ ଇ-ବସ୍ ଚଳାଚଳ କରିବାକୁ ଥିବାରୁ ବିଏମ୍ସି ପକ୍ଷରୁ ପ୍ରମୁଖ ଜାଗାଗୁଡ଼ିକରେ ଇ-ଯାନ ଚାର୍ଜିଂ ଷ୍ଟେସନ୍ ସ୍ଥାପନ ହେବାକୁ ଯାଉଛି। ଏନେଇ ଆଜି ବିଏମ୍ସି କମିସନର୍ ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟରେ କିଟ୍ ଅଞ୍ଚଳରେ ଗୋଟିଏ ଫାଷ୍ଟ ଓ ଗୋଟିଏ ସ୍ଲୋ’ ଏଭଳି ଦୁଇଟି ଷ୍ଟେସନ ସ୍ଥାପନ ହେବ। ସେହିଭଳି ସମ୍ ହସ୍ପିଟାଲ ନିକଟରେ ଗୋଟିଏ, ଏସ୍ପ୍ଲାନେଡ୍ ମଲ୍ ନିକଟରେ ଦୁଇଟି, ଡିଏନ୍ ରେଗାଲିଆ ମଲ୍ ନିକଟରେ ଗୋଟିଏ, ସିଆର୍ପି ଛକ କ୍ରିଷ୍ଣା ପ୍ଲାଜାରେ ଗୋଟିଏ ସ୍ଥାପନ କରାଯିବାକୁ ସ୍ଥିର ହୋଇଛି। ଆଗକୁ ଏହି ଷ୍ଟେସନ୍ ସଂଖ୍ୟା ବଢ଼ିବାକୁ ଯାଉଛି ବୋଲି ସୂଚନା ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ଏନର୍ଜି ଏଫିସିଏନ୍ସି ସର୍ଭିସେସ୍ ଲିମିଟେଡ୍ର ଜେନେରାଲ ମ୍ୟାନେଜର ଏନ୍ ମୋହନ, ଟାଟା ପାୱାର କମ୍ପାନି ଲିମିଟେଡ୍ର ଇଭି ଆଣ୍ଡ ହୋମ୍ ଅଟୋମେସନ୍ ମୁଖ୍ୟ ସନ୍ଦୀପ୍ ବାଙ୍ଗିଆ, ଟାଟାପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ସିଇଓ ଏମ୍.ସେନ୍ବାଗମ୍, ରାଜ୍ୟ ସରକାରଙ୍କ ପ୍ରିନିସ୍ପାଲ୍ ଚିଫ୍ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର୍ ସନ୍ତୋଷ ଦାସ, ସ୍ମାର୍ଟସିଟି ଲିମିଟେଡ୍ର ଜିଏମ୍ କମଲଜିତ୍ ଦାସଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ ଯୁଗ୍ମ ସଚିବ କୈଳାସ ଚନ୍ଦ୍ର ଦାଶ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ଗତ ଦୁଇ ବର୍ଷ ଧରି ବିଏସ୍ସିଏଲ୍ ଇ-ଯାନ ଭିତ୍ତିଭୂମିକୁ ନେଇ କୌଣସି ବ୍ୟବସ୍ଥା କରି ନଥିଲା। ଏବେ ସିଇଓ ଭାବରେ ସଞ୍ଜୟ ସିଂହ ଯୋଗଦେବା ପରେ ଏହି ଭିତ୍ତିଭୂମି ଉନ୍ନତି ଦିଗରେ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଇ-ଯାନ ଭିତ୍ତିଭୂମି ଉନ୍ନତି ଦିଗରେ ମୁମ୍ବାଇ, ଦିଲ୍ଲୀ, ଅହମ୍ମଦାବାଦ୍, ଜୟପୁର ଭଳି ବଡ଼ ସହର ଯେଉଁ ସବୁ ପଦକ୍ଷେପ ନେଇଛନ୍ତି, ବିଏସ୍ସିଏଲ୍ ସେ ନେଇ ବିଚାର କରୁଛି।