ଭୁବନେଶ୍ବର: ଚଳିତ ବର୍ଷ ଦୁର୍ଗାପୂଜାରେ କେହି ଡିଜେ ବଜାଇପାରିବେ ନାହିଁ। ଭସାଣି ସମୟରେ ଲେଜର୍ ଲାଇଟ୍ ସୋ’ କିଂବା ବାଣ ଫୁଟିବ ନାହିଁ। ଯେଉଁମାନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଡିଜେ ସଂସ୍ଥାକୁ ଜରିମାନା କରାଯିବ। ଏହାଛଡ଼ା ମଣ୍ଡପଗୁଡ଼ିକ କୌଣସି ପ୍ରକାର ରାସାୟନିକ ଜିନିଷ କିମ୍ବା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର କରିବାକୁ ବାରଣ କରାଯାଇଛି। ରାବଣପୋଡ଼ିରେ କମ୍ ପ୍ରଦୂଷଣ ବାଣ ବ୍ୟବହାର ସହ ରାବଣପୋଡ଼ି ସ୍ଥାନଗୁଡ଼ିକୁ ବ୍ୟାରିକେଡ୍ କରାଯିବ। ଗୁରୁତ୍ବପୂର୍ଣ୍ଣ ହେଉଛି କୌଣସି ପୂଜା କମିଟି ଚାନ୍ଦା ମାଗି ପାରିବେନି। ଚାନ୍ଦା ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଜି ପୁଲିସ କମିସନର ସୁରେଶ ଦେବଦତ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଦୁର୍ଗାପୂଜା ପାଇଁ ଆୟୋଜିତ କମିସନରେଟ୍ ପୁଲିସର ପ୍ରସ୍ତୁତି ବୈଠକରେ ଏହିପରି ନିଷ୍ପତ୍ତି ନିଆଯାଇଛି।
ପୁଲିସ କମିସନର ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଜୟଦେବ ବିଧାୟକ ନବକିଶୋର ମଲ୍ଲିକ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମୀନା ଯୋଗଦେଇ ସମସ୍ତ ଦିଗ ଉପରେ ଆଲୋଚନା କରିଥିଲେ। ଏଥିରେ ନୂଆପଲ୍ଲୀ ଭସାଣି କମିଟିର ଉପଦେଷ୍ଠା ଦିଲୀପ ମହାନ୍ତି, ଉତ୍ତର ଭୁବନେଶ୍ବର ଭସାଣି କମିଟିର ଉପଦେଷ୍ଟା ମଧୁମାଧବ ଜେନା, ସହିଦନଗର ଭସାଣି କମିଟିର ସଭାପତି ମନୋରଂଜନ ଦାସ ଓ ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ ଯୋଗଦେଇଥିଲେ। ପୂଜା କମିଟିଗୁଡ଼ିକ ରାସ୍ତା ଓ ଲାଇଟ୍ ସମସ୍ୟା ସହ ସ୍ବୀକୃତି ଦେବାରେ ଅଗ୍ନିଶମ ବିଭାଗର ବିଳମ୍ବକୁ ନେଇ ଅସନ୍ତୋଷ ଝାଡ଼ିଥିଲେ। ସେହିପରି ଜାଗା ବ୍ୟବହାର ପାଇଁ ପୂଜା କମିଟି ସାଧାରଣ ପ୍ରଶାସନ ବିଭାଗ(ଜିଏ)କୁ ଦେଉଥିବା ଦେୟ ଛାଡ଼ କରିବା, ଭସାଣି ଦିନ ସରକାରୀ ଛୁଟି ଘୋଷଣା କରିବାକୁ ପୂଜା କମିଟି ଦାବି କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରି ନିଷ୍ପତ୍ତି ନେବାକୁ ବିଧାୟକ ବାବୁ ସିଂ ଓ ଦିଲୀପ ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି।
ଅଶ୍ଳୀଳ ନୃତ୍ୟକୁ ନା
ଚଳିତ ଥର ପାର୍ବଣ ଋତୁକୁ ଅଧିକ ମନୋରଂଜନ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି। ହେଲେ ସାଂସ୍କୃତିକ କାର୍ଯ୍ୟକ୍ରମରେ କୌଣସି ପ୍ରକାର ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯାଇପାରି ନାହିଁ। ଏଥିପାଇଁ ସମସ୍ତ ପୂଜା କମିଟିକୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ କୁହାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ରାତି ୧୦ଟା ବଦଳରେ ରାତି ୧୨ଟା ପର୍ଯ୍ୟନ୍ତ ସମୟ ସୀମା ବଢ଼ାଇବା ପାଇଁ ସମସ୍ତ ମଣ୍ଡପ ପ୍ରସ୍ତାବ ଦେଇଥିଲେ। ନିୟମ ଅନୁଯାୟୀ ସାଂସ୍କୃତିକ ପାଇଁ ବର୍ଷକୁ ୧୫ଥର ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦେବାର ନିୟମ ରହିଥିବାରୁ ଏହାକୁ ଚଳିତ ପାର୍ବଣ ସମୟରେ ଲାଗୁ କରିବା ପାଇଁ ଏକ ପ୍ରକାର ସହମତି ମିଳିଛି। ଫଳରେ ରାଜଧାନୀବାସୀ ମଣ୍ଡପରେ ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଇପାରନ୍ତି।
ସୁରକ୍ଷାକୁ କଡ଼ାକଡ଼ି, ଚାନ୍ଦାକୁ ନା
ଚଳିତ ବର୍ଷ ଭୁବନେଶ୍ୱରରେ ୧୮୭ଟି ପୂଜା କମିଟି ପକ୍ଷରୁ ମା’ଙ୍କ ପୂଜା ଅନୁଷ୍ଠିତ ହେବ। ଏଥିପାଇଁ ରାଜଧାନୀରେ ୪୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏହାଛଡ଼ା ୩ କମ୍ପାନି ସିଆର୍ପିଏଫ୍ ଯବାନ, ଷ୍ଟ୍ରାଇକିଂ ଫୋର୍ସ, ଏନ୍ଡିଆର୍ଏଫ୍, କୁଇକ୍ ଆକ୍ସନ ଟିମ୍ ମଧ୍ୟ ସହର ଉପରେ ନଜର ରଖିବେ। ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ପୁଲିସ ଆଉଟ୍ପୋଷ୍ଟ୍ ଖୋଲିବ। ସେହିପରି ଗୁରୁତ୍ବପୂର୍ଣ୍ଣ ମଣ୍ଡପ ଅର୍ଥାତ ମା’ ଦୁର୍ଗାଙ୍କ ସୁନା ଓ ଚାନ୍ଦି ବେଶ ସଜ୍ଜିତ ମଣ୍ଡପ ଉପରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ପୁଲିସ କମିସନର ଶ୍ରୀ ସିଂହ କହିଛନ୍ତି। ମହାଷ୍ଟମୀଠାରୁ ମଣ୍ଡପ ଗୁଡ଼ିକରେ ଅଧିକ ମହିଳା ପୁଲିସ ମୁତୟନ କରାଯିବ। ପ୍ରତ୍ୟେକ ମଣ୍ଡପ ସିସିଟିଭି ନଜରରେ ରହିବ। ଏଥିପାଇଁ ସ୍ବତନ୍ତ୍ର କଣ୍ଟ୍ରୋଲ୍ ରୁମ୍ କରାଯାଇ ପ୍ରତିଟି ଗତିବିଧି ଉପରେ ନଜର ରଖାଯିବ। ସେହିପରି ଅଭ୍ୟାସଗତ ଅପରାଧୀ ବା ଦାଗୀ ଅପରାଧୀଙ୍କ ତାଲିକା କରାଯାଇ ସେମାନଙ୍କ ଉପରେ କଡ଼ା ନଜର ରଖାଯାଇଛି। ପୂଜାକୁ ନେଇ କେହି ଚାନ୍ଦା ମାଗିପାରିବେ ନାହିଁ। ଯଦି କେହି ଚାନ୍ଦା ମାଗିବା ନେଇ ଅଭିଯୋଗ ଆସେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର କହିଛନ୍ତି।
ଟ୍ରାଫିକ୍ ସମସ୍ୟାକୁ ନେଇ ଘାରିଛି ଚିନ୍ତା
ପୂଜା ସମୟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ନେଇ ଆଶଙ୍କା କରାଯାଉଛି। ତେଣୁ ଟ୍ରାଫିକ୍ ସୁପରିଚାଳନା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା। ମଣ୍ଡପ ଆଖପାଖ ଅଞ୍ଚଳରେ ଥିବା ଜବରଦଖଲକୁ ହଟାଯିବ। ଭାରୀଯାନ ପ୍ରବେଶ ଉପରେ କଟକଣା ରହିବ। ସେହିପରି ପୂଜା ସମୟରେ ସହରର କେତେକ ପ୍ରମୁଖ ରାସ୍ତାକୁ ଡାଇଭର୍ଟ କରାଯିବ। ମଣ୍ଡପ ନିକଟରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ନ ହେବା ଲାଗି ସ୍ୱେଚ୍ଛାସେବୀଙ୍କୁ ନିଯୁକ୍ତି କରିବା ସହ ସ୍ବତନ୍ତ୍ର ଭାବେ ପାର୍କିଂ ପାଇଁ ମଧ୍ୟ ସ୍ଥାନ ଚିହ୍ନଟ କରିବା ପାଇଁ କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।
ରାବଣପୋଡ଼ି ପାଇଁ କଟକଣା
ଚଳିତ ବର୍ଷ ରାବଣପୋଡ଼ି ପାଇଁ କମିସନରେଟ୍ ପୁଲିସ କଟକଣା ଲାଗୁକରିଛି। ହାଇକୋର୍ଟଙ୍କ ନିୟମାବଳୀ ହିସାବରେ ରାବଣପୋଡ଼ି ପାଇଁ ଅନୁମତି ମିଳିବ। ରାବଣପୋଡ଼ି ପାଇଁ ପଡ଼ିଆର ଆକାର, ବ୍ୟାରିକେଡ୍ ବ୍ୟବସ୍ଥା ଓ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଅନୁମତି ଦିଆଯିବ। ଯେଉଁମାନେ ରାବଣପୋଡ଼ିରେ ବାଣ ଲଗାଇବେ ସେମାନଙ୍କର ପରିଚୟପତ୍ର, ବାଣଫୁଟା ଉପରେ ଅଭିଜ୍ଞତା ଆଦିର ପ୍ରମାଣପତ୍ର ପୁଲିସ ନିକଟରେ ଦାଖଲ କରିବାକୁ ହେବ। ଯେଉଁମାନେ ରାବଣପୋଡ଼ି ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ସେମାନେ ଆସନ୍ତା ୮ ତାରିଖରେ ଆବେଦନ କରିବେ। ସମସ୍ତ ଦିଗକୁ ଯାଞ୍ଚ ପରେ ଯେଉଁମାନେ ଯୋଗ୍ୟ ସେମାନଙ୍କୁ ଅନୁମତି ମିଳିବ ବୋଲି ଡିସିପି ଶ୍ରୀ ମୀନା କହିଛନ୍ତି।