ବୋଝ ହେବନି ଇଲେକ୍‌ଟ୍ରୋନିକ୍‌ ବର୍ଜ୍ୟ: ପ୍ରତି ଶନିବାର ସଂଗ୍ରହ କରୁଛି ବିଏମ୍‌ସି

ସ୍ବୀକୃତିପ୍ରାପ୍ତ ଏଜେନ୍ସିକୁ ଦିଆଯିବ ବର୍ଜ୍ୟବସ୍ତୁ, ସରକାରୀ କାର୍ଯ୍ୟାଳୟ ପାଇଁ ହେବ ବାଧ୍ୟତାମୂଳକ

ଭୁବନେଶ୍ବର: ଘର ହେଉ କି ସରକାରୀ କାର୍ଯ୍ୟାଳୟ; ବହୁଦିନ ଧରି ପଡ଼ି ରହୁଥିବା ଇ-ବର୍ଜ୍ୟ ଆଉ ବୋଝ ହେବନାହିଁ। ଘରଘର ବୁଲି ଇ-ବର୍ଜ୍ୟ ସଂଗ୍ରହ କରିବା ଆରମ୍ଭ କରିଛି ବିଏମ୍‌ସି। ଆଗରୁ କମ୍ପ୍ୟୁଟର, ତାର, ଟ୍ରିମର, ଖେଳନା ଭଳି ଅନେକ ଜିନିଷ ଖରାପ ପରେ ମଧ୍ୟ ଘରେ ପଡ଼ି ରହୁଥିଲା। କେହିକେହି ଏହାକୁ ବାହାରେ ମଧ୍ୟ ଫୋପାଡ଼ି ଦେଉଥିଲେ। ବିଶେଷ କରି ପ୍ଲାଷ୍ଟିକ୍‌ରେ ନିର୍ମିତ ହୋଇ ଥିବାରୁ ଏହା ନଷ୍ଟ ହୋଇନପାରି ଡ୍ରେନ୍‌, ଛୋଟ ନାଳ ଭଳି ସ୍ଥାନଗୁଡ଼ିକରେ ଜମା ହୋଇ ଜଳ ନିଷ୍କାନରେ ବାଧକ ସାଜୁଥିଲା। ସେହିପରି ସରକାରୀ ବା ବେସରକାରୀ କାର୍ଯ୍ୟାଳୟରେ ମଧ୍ୟ ପ୍ରତି ବର୍ଷ ପୁଳାପୁଳା ଅଦରକାରୀ ଇଲୋ‌କ୍ଟ୍ରନିକ ଜିନିଷ ବାହାରୁଛି। ଅନେକ କାରଣରୁ ସେଗୁଡ଼ିକୁ ନା ବାହାରେ ବିକ୍ରି କରାଯାଇପାରୁଛି ନା ନଷ୍ଟ କରାଯାଉଛି। ଫଳରେ ବହୁଦିନ ଧରି ପଡ଼ି ରହି ଜାଗା ମାଡ଼ିବସିବା ସହ ସମସ୍ୟା ସୃଷ୍ଟି ହେଉଥିଲା। ହେଲେ ଏସବୁ ସମସ୍ୟାର ସମାଧାନ ପାଇଁ ବିଏମ୍‌ସି ଅଣ୍ଟା ଭିଡ଼ିଛି। ବିଶେଷକରି ସମସ୍ତ ସରକାରୀ କାର୍ଯ୍ୟାଳୟରୁ ବାହାରୁଥିବା ଇ-ବର୍ଜ୍ୟକୁ ବିଏମ୍‌ସିକୁ ଦେବା ପାଇଁ ଯୋଜନା କରାଯାଉଛି। ସେମାନେ ବାହାରେ ବିକ୍ରି ନକରି କେଳବ ବିଏମ୍‌ସିକୁ ହିଁ ଅଦରକାରୀ ଇ-ବର୍ଜ୍ୟ ଦେବେ।

ଏଥିପାଇଁ ଏକ ଗାଇଡ୍‌ଲାଇନ୍‌ କରାଯିବ। ଯେଉଁ ସରକାରୀ କାର୍ଯ୍ୟାଳୟ ଏହି ନିୟମ ମାନିବେ ନାହିଁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ତେବେ ଇ-ବର୍ଜ୍ୟ ଗୁଡ଼ିକୁ ପ୍ରତି ଶନିବାର ବିଏମ୍‌ସି କର୍ମଚାରୀ ସଂଗ୍ରହ କରିବେ। ଆଉ ଏସବୁକୁ ସୈନିକ ସ୍କୁଲ ନିକଟ ଏମ୍‌ଆର୍‌ଏଫ୍‌(ମାଟେରିଆଲ୍‌ ରିସାଇକେଲିଂ ଫାସିଲିଟି) ଭଳି ବିଏମ୍‌ସି ଅଧୀନରେ ଥିବା ୩ଟି ଏମ୍‌ଆର୍‌ଏଫ୍‌ ପ୍ଲାଣ୍ଟକୁ ପଠାଯାଇ ପୃଥକୀକରଣ କରାଯିବ। ଏହାପରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ଦ୍ବାରା ଅନୁମତିପ୍ରାପ୍ତ ସଂସ୍ଥାଗୁଡ଼ିକୁ ଏହି ଇ-ବର୍ଜ୍ୟ ଦିଆଯାଇ ରାଜସ୍ବ ଆଦାୟ କରାଯିବ। ଏଥିପାଇଁ ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିଛିଦିନ ତଳେ ବର୍ଜ୍ୟ ସଂଗ୍ରହ ପ୍ରକ୍ରିୟାକୁ ୧୦ଟି ୱାର୍ଡରୁ ଆରମ୍ଭ କରାଯାଇଥିବା ବେଳେ ବର୍ତ୍ତମାନ ସମସ୍ତ ୱାର୍ଡରୁ ସଂଗ୍ରହ ପାଇଁ କର୍ମଚାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏବେ ସୁଦ୍ଧା ୪ଟି ପର୍ଯ୍ୟାୟରେ ପାଖାପାଖି ୧୦ କୁଇଣ୍ଟାଲ୍‌ରୁ ଊର୍ଧ୍ବ ଇ-ବର୍ଜ୍ୟ ସଂଗ୍ରହ କରାଯାଇଛି ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର