ଭୁବନେଶ୍ବର: ‘ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଆଣ୍ଡ କ୍ୟାପିଟାଲ ହସ୍ପିଟାଲ’ର ୬ଟି ବିଭାଗକୁ ମିଳିଲା ନାମ ଲେଖା ଅନୁମତି। ନ୍ୟାସନାଲ ମେଡିକାଲ କମିସନ ପକ୍ଷରୁ ମୋଟ ୨୪ଟି ସିଟ୍ ପାଇଁ ଅନୁମତି ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚଳିତ ବର୍ଷ କ୍ୟାପିଟାଲ ହସ୍ପିଟାଲରେ ପିଜି ନାମ ଲେଖା ପାଇଁ ଚୁଡ଼ାନ୍ତ ଅନୁମତି ମିଳିଛି। ଏହା ରାଜ୍ୟ ସ୍ବାସ୍ଥ୍ୟ କ୍ଷେତ୍ରର ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବାଦୀ ରହିଛନ୍ତି।
କ୍ୟାପିଟାଲ ହସ୍ପିଟାଲର ୬ଟି ବିଭାଗରେ ୨୪ଟି ସିଟରେ ଲେଖାପାଇଁ ଅନୁମତି ମିଳିଛି। ସେଥିମଧ୍ୟରୁ ମେଡିସିନ୍ ବିଭାଗରେ ୫ଟି, ସର୍ଜରି ବିଭାଗରେ ୫ଟି, ଅସ୍ଥିଶଲ୍ୟ ବିଭାଗରେ ୨ଟି, ଶିଶୁ ବିଭାଗ ପାଇଁ ୪ଟି, ଛାତି ଓ ଶ୍ବାସରୋଗ ବିଭାଗ ପାଇଁ ୩ଟି ଓ ସ୍ତ୍ରୀ ଓ ପ୍ରସୂତି ବିଭାଗ ପାଇଁ ୫ଟି ସିଟ ରହିଛି। ପୂର୍ବରୁ ପିଜିଆଇ ପାଇଁ ହସ୍ପିଟାଲରେ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ, ଜୁନିୟର ରେସିଡେଣ୍ଟଙ୍କ ସହ ମୋଟ ୭୦ ଜଣ କର୍ମଚାରୀଙ୍କୁ ନିଯୁକ୍ତ ଦିଆଯାଇଥିଲା। ୬ଟି ବିଭାଗରେ ଲ୍ୟାବ, ମ୍ୟୁଜିୟମ୍ ଆଦି ପିଜି ପାଇଁ ଜରୁରୀ ବ୍ୟବସ୍ଥା ବିଭାଗଗୁଡ଼ିକରେ ଆରମ୍ଭ କରାଯାଇଥିଲା। ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପିଜି ନାମ ଲେଖା ପାଇଁ ଅନୁମତି ମଗାଯାଇଥିଲା। ୬ଟି ବିଭାଗକୁ ଏନ୍ଏମ୍ସିର ଏକ ସ୍ବତନ୍ତ୍ର ଦଳ ବିଭିନ୍ନ ପର୍ଯ୍ୟାୟରେ ପରିଦର୍ଶନ କରି ବିଭିନ୍ନ ଭିତ୍ତିଭୂମି ଯାଞ୍ଚ କରିଥିଲେ। ଯାଞ୍ଚ ପରେ ନାମ ଲେଖା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହାକୁ ନେଇ ହସ୍ପିଟାଲରେ ଖୁସିର ଲହର ଖେଳି ଯାଇଛି। ଚଳିତ ମାସ ୧୫ ତାରିଖରୁ ନାମ ଲେଖା ପାଇଁ ଆବେଦନ ପ୍ରକ୍ରିୟା ହେବ।
କମ୍ ସମୟ ମଧ୍ୟରେ ଅନୁମତି ପାଇବା ଏକ ଚ୍ୟାଲେଞ୍ଜ ଥିଲା
କ୍ୟାପିଟାଲ ହସ୍ପିଟାଲକୁ ଖୁବ କମ ସମୟ ମଧ୍ୟରେ ପିଜି ନାମ ଲେଖା ପାଇଁ ଅନୁମତି ମଳିଛି। ମାତ୍ର ୩ ମାସ ମଧ୍ୟରେ ୬ଟି ବିଭାଗରେ ପିଜି ନାମଲେଖା ପାଇଁ ସମସ୍ତ ଭିତ୍ତିଭୂମି ସଜାଡ଼ିବା ଏକ କାଠିକର ପାଠ ଥିଲା। ହସ୍ପିଟାଲର ସମସ୍ତ କର୍ମଚାରୀଙ୍କ ସହ ପିଜିଆଇ ପାଇଁ ନୂତନ ଭାବେ ଯୋଗ ଦେଇଥିବା କର୍ମଚାରୀ ମାନଙ୍କ ଅକୁଣ୍ଠ ସହଯୋଗ ପାଇଁ ସମ୍ଭବ ହୋଇପାରିଛି। ବର୍ତ୍ତମାନ ହସ୍ପିଟାଲରେ ପିଜିଆଇ ପାଇଁ ଶ୍ରେଣୀ, ହଷ୍ଟେଲ ଆଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ପ୍ରଥମବ୍ୟାଚ୍ ପିଲା ମାନଙ୍କ ପାଠ ପଢ଼ାରେ କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଆମେ ସଜାଗ ରହିଛୁ। ଏଥି ପାଇଁ ଆବଶ୍ୟକୀୟ କାର୍ଯ୍ୟକ୍ରମ ଆଗେଇ ଚାଲିଛି। ପିଜିଆଇ ପାଇଁ ସାଧାରଣ ଲୋକ ମାନେ ଉନ୍ନତ ଚିକିତ୍ସା ପାଇବେ। କ୍ୟାପିଟାଲ ହସ୍ପିଟାଲରେ ରେଫରାଲ ସଂଖ୍ୟା କମିଯିବ ଦୃଢ଼ ଆଶା ରହିଛି।
-ପ୍ରଫେସର ଡାକ୍ତର ନିବେଦିତା ପାଣି, ନିର୍ଦ୍ଦେଶିକା, ପିଜିଆଇଏମଇଆର