ରେଳ ଷ୍ଟେସନରେ ଆରମ୍ଭ ହେଲା ଥର୍ମାଲ ସ୍କ୍ରିନିଂ

ଭୁବନେଶ୍ବର : ଦେଶରେ କରୋନାର ଦ୍ବିତୀୟ ଷ୍ଟ୍ରେନ୍‌ ଦେଖାଦେଇଥିବାରୁ ମହାରାଷ୍ଟ୍ର, କେରଳ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ଆଦି ୫ଟି ରାଜ୍ୟରୁ ଟ୍ରେନରେ ଆସୁଥିବା ଯାତ୍ରୀମାନଙ୍କ ଉପରେ ବିଶେଷ ଭାବରେ ନଜର ରଖିଛି ବିଏମସି। ଏଥିପାଇଁ ବିଏମସି ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ଆରମ୍ଭ ହୋଇଛି। ଯେଉଁ ଯାତ୍ରୀମାନଙ୍କ ଦେହର ତାପମାତ୍ରା ଅଧିକ ରହୁଛି ସେମାନଙ୍କୁ ସଙ୍ଗେସଙ୍ଗେ ରାପିଡ୍‌ ଆଣ୍ଟିଜେନ ପରୀକ୍ଷା କରାଯାଉଛି। ଏହି ରାଜ୍ୟରୁ ଆସୁଥିବା ଲୋକମାନଙ୍କ ପାଇଁ ଗୃହ ସଂଗରୋଧ ବାଧ୍ୟତାମୂଳକ କରାଯାଇଛି। ଯେଉଁମାନେ ଟିକା ନେଇଛନ୍ତି ଏବଂ ପ୍ରମାଣପତ୍ର ରହିଛି ସେମାନଙ୍କ ପାଇଁ ଗୃହ ସଂଗରୋଧ ବାଧ୍ୟତାମୂଳକ ନୁହେଁ। ଏହାଛଡ଼ା ଆର୍‌ଟିପିସିଆର୍‌ ଟେଷ୍ଟ ରିପୋର୍ଟ ନେଗେଟିଭ ଥିଲେ ଆଇସେଲେସନ ଜରୁରୀ ନୁହେଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଆଜି ରେଳ ଷ୍ଟେସନ୍‌ରେ ଯାଞ୍ଚ ବେଳେ କିଛି ଯାତ୍ରୀଙ୍କର ଦେହର ତାପମାତ୍ରା ଅଧିକ ଥିବାରୁ ସେମାନଙ୍କର ରାପିଡ୍‌ ଆଣ୍ଟିଜେନ ପରୀକ୍ଷା କରାଯାଇଥିଲା। କିନ୍ତୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ଏହାସହ ବାହାରୁ ଆସୁଥିବା ଯାତ୍ରୀଙ୍କର ବ୍ୟାଗ ଓ ଲଗେଜ୍‌ ସାନିଟାଇଜ୍‌ କରାଯାଉଛି। ବିଏମ୍‌ସି ପକ୍ଷରୁ ଖୋଲାଯାଇଥିବା ଏହି ମେଡିକାଲ କ୍ୟାମ୍ପ ୨୪ଘଣ୍ଟା କାର୍ଯ୍ୟ କରୁଛି।

ସମ୍ବନ୍ଧିତ ଖବର