ଭୁବନେଶ୍ୱର : ଯେପରି କୌଣସି ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି ଅଥଚ ପରୀକ୍ଷା କରିନାହାନ୍ତି କିମ୍ବା କାହାର ଥଣ୍ଡା ଜ୍ବର ଲାଗି ରହିଛି କିନ୍ତୁ କରୋନା ଭୟରେ ପରୀକ୍ଷା କରୁନାହାନ୍ତି ସେହିଭଳି ଲୋକଙ୍କୁ ଖୋଜି ବାହାର କରାଯିବ। ପ୍ରତି ଘରକୁ ଘର ବୁଲି ଲୋକଙ୍କର ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଥର୍ମାଲ୍ ସ୍କ୍ରିନିଂ କରିବା ପ୍ରକ୍ରିୟା ଆଜିଠାରୁ ଜୋର୍ଦାର କରାଯାଇଛି। ବସ୍ତିରେ ଅଧିକ ସଂକ୍ରମଣ ବ୍ୟାପୁଥିବାରୁ ବିଏମ୍ସି ପକ୍ଷରୁ ୩୮୦ଟି ଟିମ୍ ବସ୍ତି ପାଇଁ ଗଠନ ହୋଇଥିଲା। ୭୦ଟି ଟିମ୍ ଅଣବସ୍ତି ଅଞ୍ଚଳରେ ସ୍କ୍ରିନିଂ କରୁଥିଲେ। ହେଲେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ବିଏମ୍ସି ପକ୍ଷରୁ ସ୍କ୍ରିନିଂ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି। ଦକ୍ଷିଣ-ପଶ୍ଚିମ ଜୋନ୍ରେ ୪୨ଟି ଲେଖାଏଁ ଟିମ୍ ଏବଂ ଦକ୍ଷିଣ-ପୂର୍ବ ଜୋନ୍ରେ ୫୫ଟି ଟିମ୍କୁ ନିୟୋଜିତ କରାଯାଇଛି। ସେମାନେ ସେମାନଙ୍କ ଜୋନ୍ର ପ୍ରତ୍ୟେକ ଘରକୁ ଘର ବୁଲି ଥର୍ମାଲ୍ ସ୍କ୍ରିନିଂ କରିବେ। ଗୋଟିଏ ଟିମ୍ରେ ଦୁଇ ଜଣ ଆୟୁଷ ଡାକ୍ତର, ମହିଳା ସ୍ବାସ୍ଥ୍ୟକର୍ମୀ କିମ୍ବା ଜଣେ ଶିକ୍ଷକ ଅଛନ୍ତି। ପ୍ରତ୍ୟେକ ଟିମ୍ ଥର୍ମାଲ୍ ଗନ୍ରେ ଶରୀରର ତାପମାତ୍ରା ମାପିବା ସହ ଅମ୍ଳଜାନ ସ୍ଥିତି ଠିକ୍ ଅଛି କି ନାହିଁ ତାହାକୁ ପଲ୍ସ ଅକ୍ସିମିଟରରେ ମାପୁଛନ୍ତି। ସେମାନେ ଘରକୁ ଘର ବୁଲି ଜ୍ୱର, ଫ୍ଲୁ ଇତ୍ୟାଦି ଲକ୍ଷଣ ଏବଂ ବାହାରୁ ଫେରିଥିବା ବ୍ୟକ୍ତିଙ୍କ ବିବରଣୀ, ଘରେ କୌଣସି ରୋଗରେ ପଡ଼ିଥିବା ବ୍ୟକ୍ତି, ଶିଶୁ ଏବଂ ବୃଦ୍ଧ ବୃଦ୍ଧାଙ୍କ ବାବଦରେ ସୂଚନା ସଂଗ୍ରହ କରୁଛନ୍ତି । ଏହାବାଦ୍ ଘରର ପୁଙ୍ଖାନୁପୁଙ୍ଖ ବିବରଣୀ ଆଣୁଛନ୍ତି। ଏହା ମଧ୍ୟରେ ନାମ, ବୟସ, ଠିକଣା, ଫୋନ୍ ନମ୍ବର ସଂଗ୍ରହ କରୁଛନ୍ତି। ସେମାନେ ସଚେତକ ଆପ୍ ବ୍ୟବହାର କରୁଛନ୍ତି କି ନାହିଁ, ସେମାନଙ୍କର ଫ୍ଲୁ ଭଳି ଲକ୍ଷଣ ଅଛିକି ନାହିଁ ଇତ୍ୟାଦି ବୁଝି କୋଭିଡ୍-୧୯ର ସ୍ଥିତି ପରଖୁଛନ୍ତି। ରାଜଧାନୀକୁ କରୋନା ମୁକ୍ତ କରିବାକୁ ହେଲେ ସମସ୍ତଙ୍କୁ ସହଯୋଗ କରିବାକୁ ହେବ ବୋଲି ସହରାଞ୍ଚଳ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସିଭିସି ଏନ୍ ରାଓ କହିଛନ୍ତି।
ରାଜଧାନୀରେ ଜୋର୍ଦାର ହେଲା ଥର୍ମାଲ୍ ସ୍କ୍ରିନିଂ
/sambad/media/post_attachments/wp-content/uploads/2020/09/thermal-screening-ff.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)