କରୋନା ଯୁଦ୍ଧରେ ନେଇଛନ୍ତି ପ୍ରମୁଖ ଭୂମିକା, ଏମାନେ ବି କରୋନା ଯୋଦ୍ଧା

ଦୁଇ ଥର ବିଶୋଧନ ହେଲାଣି ଲୋକସେବା ଭବନ, କେମିତି ହେଉଛି ବିଶୋଧନ?

ଭୁବନେଶ୍ବର,୨୭/୪(ଇମିସ): ଡାକ୍ତର, ପୁଲିସ ଭଳି ଏମାନେ ବି କରୋନା ଯୁଦ୍ଧରେ ଜଣେ ଜଣେ ଯୋଦ୍ଧା। କରୋନା ଭୂତାଣୁ ବ୍ୟାପିବାକୁ ରୋକାଯିବା ନେଇ ଏମାନେ ବି ଅକ୍ଳାନ୍ତ ପରିଶ୍ରମ କରି ଚାଲିଛନ୍ତି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ବିଶୋଧନ କରି ଚାଲିଛନ୍ତି। ଅଗ୍ନିକାଣ୍ଡ ହେଉ କି ଦୁର୍ଘଟଣା, ନଦୀନାଳରେ ଭାସି ଯାଉଥିବା ମଣିଷ ହୁଅନ୍ତୁ କି ଜୀବଜନ୍ତୁ ଏମାନଙ୍କୁ ଉଦ୍ଧାର କରିବା ପାଇଁ ୨୪ ଘଣ୍ଟା ସେବା ଯୋଗାଉଛନ୍ତି। ଏହାବାଦ୍ ଏବେ ବିଶୋଧନରେ ସାମିଲ ହୋଇଛନ୍ତି। ଆମେ କହୁଛୁ ଅଗ୍ନିଶମ ବାହିନୀ କଥା। କରୋନା ଯୁଦ୍ଧରେ ଅଗ୍ନିଶମ ବାହିନୀ ବି ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। କରୋନା ଓଡ଼ିଶାରେ ପ୍ରବେଶ କରିବା ପରେ ପ୍ରକୋପ ଧୀରେ ଧୀରେ ବଢିବାକୁ ଲାଗିଲା। ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର୍ ହେଲାଣି। ସବୁଠୁ ଅଧିକ ଆକ୍ରାନ୍ତ ରାଜଧାନୀରେ। କରୋନା ଭୂତାଣୁକୁ ରୋକିବା ଲାଗି ରାଜଧାନୀ ଭୁବନେଶ୍ବରରେ ପ୍ରଥମେ ବିଶୋଧନ ପ୍ରକ୍ରିୟା ଆରମ୍ଭ ହେଲା। କଣ୍ଟେନମେଣ୍ଟ ଜୋନ୍ ସୂର୍ଯ୍ୟନଗର, ବମିଖାଲ, ସତ୍ୟନଗର, ଯଦୁପୁର, ସୁନ୍ଦରପଦା, ଝାରପଡ଼ାରେ ସବୁ ଗଳିକନ୍ଦିରେ ବିଶୋଧନ ପ୍ରକ୍ରିୟ ଚାଲିଲା। ଏହା ସହ ରାଜଧାନୀର ସବୁ ଗୁରୁତ୍ବପୂର୍ଣ୍ଣ ହାଟ ୟୁନିଟ୍-୧, ୟୁନିଟ୍-୪, କୋଚିଲେଇ, ପଳାଶୁଣୀ, ଲକ୍ଷ୍ମୀସାଗର, ଗଣ୍ଡମୁଣ୍ଡା, ଡମଣା ଆଦି ହାଟକୁ ବିଶୋଧନ କରାଯାଇଛି। ଭୁବନେଶ୍ବର ମହାନଗର ନିଗମର ୧ ନମ୍ବର ଵାର୍ଡରୁ ଆରମ୍ଭ କରି ୨୨ ନମ୍ବର ଵାର୍ଡ ପର୍ଯ୍ୟନ୍ତ ବିଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପ୍ରଶାନ୍ତିବିହାର, ସାଲିଆସାହି, ଖଣ୍ଡଗିରି, ନୂଆଗାଁ, ଶ୍ୟାମପୁର, ଡୁମୁଡୁମା, ଜୟଦେବ ବିହାର, ବାଣୀବିହାର, ଉତ୍କଳ​ ବିଶ୍ବବିଦ୍ୟାଳ​ୟ, ରେଳ ଷ୍ଟେସନ, ମାଳିସାହି, ଲକ୍ଷ୍ମୀସାଗର, ଝାରପଡ଼ା ଅଞ୍ଚଳରେ ବିଶୋଧନ ପ୍ରକ୍ରିୟା ଶେଷ ହୋଇଛି। ଆଗକୁ ଅନ୍ୟ ଅଞ୍ଚଳରେ ବିଶୋଧନ ପ୍ରକ୍ରିୟା ଚାଲୁ ରହିବ ବୋଲି ଜଣାପଡ଼ିଛି।

ଦୁଇ ଥର ବିଶୋଧନ ହେଲାଣି ଲୋକସେବା ଭବନ
ଗୁରୁତ୍ବପୂର୍ଣ୍ଣ ଅଞ୍ଚଳ, ପ୍ରତିଷ୍ଠାନ ଓ ସରକାରୀ କାର୍ଯ୍ୟାଳୟକୁ ବିଶୋଧନ କରୁଛି ଅଗ୍ନିଶମ ବାହିନୀ। ପ୍ରଶାସନର ନିଷ୍ପତ୍ତି ଓ ସମୟ ଅନୁସାରେ କେଉଁଠି, କେତେବେଳେ ବିଶୋଧନ କରାଯିବ ତାହା ଧାର୍ଯ୍ୟ ହେଉଛି। ଏହା ଭିତରେ ଲୋକସେବା ଭବନ ଦୁଇ ଥର ବିଶୋଧନ ହେଲାଣି। ପ୍ରଥମ ଥର ଲାଗି ଲୋକସେବା ଭବନରେ ବିଧାନସଭା ବଜେଟ୍ ଅଧିବେଶନ ବସିବା ପୂର୍ବରୁ ବିଶୋଧନ କରାଯାଇଥିଲା। ଆଜି ଆଉ ଥରେ ବିଶୋଧନ କରାଯାଇଛି। ସେହିପରି ପିଏମଜି ଅଫିସ, ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବ୍ୟାଙ୍କ, ପୋଷ୍ଟ ଅଫିସ, କୋର୍ଟ, ଉପଜିଲ୍ଲାପାଳ ଅଫିସ, ତହସିଲ ଅଫିସ ଆଦି ବିଶୋଧନ କରାଯାଇଛି। ଆଗାମୀ ଦିନରେ ଏହି ବିଶୋଧନ ପ୍ରକ୍ରିୟା ଚାଲୁ ରହିବ ବୋଲି ଜଣାପଡ଼ିଛି।

କେମିତି ହେଉଛି ବିଶୋଧନ?
ବିଶୋଧନ (ଡିସ୍ଇନ୍‌ଫେକସନ୍) ପାଇଁ ଅଗ୍ନିଶମ ବାହିନୀର ୮ଟି ନିଆଁ ଲିଭା ଗାଡ଼ି ବ୍ୟବହାର ହେଉଛି। ଏଥିରେ ପ୍ରାୟ ୫୦ ଜଣ ଅଗ୍ନିଶମ କର୍ମଚାରୀ ସାମିଲ ରହୁଛନ୍ତି। ବିଶୋଧନ ପାଇଁ ପାଣିରେ ସୋଡିୟମ ହାଇପୋକ୍ଲୋରାଇଟ୍ ସଲ୍ୟୁସନ୍ ବ୍ୟବହାର କରାଯାଉଛି। ଏହି କେମିକାଲ୍ ଜୀବାଣୁନାଶକ ସହ ବିଶୋଧନ କରିବାର କ୍ଷମତା ରଖିଛି। ପାଣି ଟ୍ୟାଙ୍କରେ ଏହି କେମିକାଲ ମିଶ୍ରଣକୁ ପକାଯାଇ ବିଭିନ୍ନ ଅଞ୍ଚଳରେ ସ୍ପ୍ରେ କରାଯାଉଛି। ଏହାକୁ ବ୍ୟବହାର କରିବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରୁଛନ୍ତି ଅଗ୍ନିଶମ କର୍ମଚାରୀ। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ପର୍ସନାଲ ପ୍ରୋଟକ୍ଟିଭ୍ ଇକ୍ୟୁପମେଣ୍ଟ (ପିପିଇ) କିଟ୍ ବ୍ୟବହାର କରୁଛନ୍ତି ଅଗ୍ନିଶମ କର୍ମଚାରୀ। ଏହି କେମିକାଲ ପାଣି ଶରୀରରେ ପଡ଼ିଲେ ପାର୍ଶ୍ବ ପ୍ରତିକ୍ରିୟା ହେବାର ସମ୍ଭାବନା ଥିବାରୁ ଏଭଳି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି ଅଗ୍ନିଶମ କର୍ମଚାରୀ।

ଜନସାଧାରଣଙ୍କ ସେବା ଆତ୍ମସନ୍ତୋଷ ଦେଉଛି
ଅଗ୍ନିକାଣ୍ଡ, ଦୁର୍ଘଟଣା ମୁକାବିଲା, ବାତ୍ୟା, ବନ୍ୟା ଭଳି ବିପର୍ଯ୍ୟୟ ମୁକାବିଲାରେ ପୂର୍ବରୁ ଡ୍ୟୁଟି କରି ସାରିଛନ୍ତି ଅଗ୍ନିଶମ କର୍ମଚାରୀ। ଏଥିଲାଗି ଯଥେଷ୍ଟ ଅଭିଜ୍ଞତା ବି ରହିଛି। କିନ୍ତୁ କରୋନା ମହାମାରି ମୁକାବିଲା ଡ୍ୟୁଟି ପ୍ରଥମ ଥର ଲାଗି ହେଉଛି। ଅନ୍ୟ ଜରୁରି ଡ୍ୟୁଟି ସହ ବିଶୋଧନ କାମ କରିବାକୁ ପଡ଼ୁଛି। ଏହା ଯେତିକି ଚାଲେଞ୍ଜ ସେତିକି ଉତ୍ସାହ। ଜନସାଧାରଣଙ୍କ ସେବାରେ ନିଜକୁ ଆତ୍ମସନ୍ତୋଷ ମିଳୁଛି। ପ୍ରଶାସନର ନିଷ୍ପତ୍ତି ଓ ଅଗ୍ନିଶମ ନିର୍ଦ୍ଦେଶାଳୟର କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ ଅନୁସାରେ ବିଶୋଧନ କାର୍ଯ୍ୟ ଜାରି ରହିଛି।
ରମେଶ ମାଝି, ଡେପୁଟି ଫାୟାର ଅଫିସର, ଭୁବନେଶ୍ବର

ଲୋକଙ୍କ ସେବା ଲାଗି ସବୁବେଳେ ସଜାଗ
ପ୍ରଥମ ଥର ଲାଗି ବିଶୋଧନ ଭଳି ଡ୍ୟୁଟି କରିବାକୁ ପଡ଼ୁଛି। କିନ୍ତୁ ଆମେ ସବୁବେଳେ, ସବୁ ସମୟରେ ଜନସାଧାରଣଙ୍କ ସେବାରେ ଲାଗି ରହିଛୁ। ଦିନରାତି ୨୪ ଘଣ୍ଟା ସବୁବେଳେ ଜନସାଧାରଣଙ୍କ ସେବାରେ ଆମେ ଉତ୍ସର୍ଗୀକୃତ ଅଛୁ। କେମିକାଲ ମିଶା ପାଣିରେ ବିଶୋଧନ ହେଉଥିବାରୁ ନିଜର ସତର୍କତା ଉପରେ ବି ଧ୍ୟାନ ଦେଉଛୁ। ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ସବୁ ବେଳେ କାମ ଚାଲିଛି।
ବସନ୍ତ ମହାନ୍ତି, ଲିଡିଂ ଫାୟାରମ୍ୟାନ୍, ଭୁବନେଶ୍ବର

 

ସମ୍ବନ୍ଧିତ ଖବର