ଭୁବନେଶ୍ବର: ୨୦୨୩ ସେପ୍ଟେମ୍ବର ତୃତୀୟ ସପ୍ତାହ। ଶିଖରଚଣ୍ଡୀ ପାହାଡ଼କୁ ସବୁଜିମା କରିବାକୁ ପ୍ରାୟ ୫ ଏକର ପରିମିତ ଅଞ୍ଚଳରେ ୩,୪୦୦ ବୃକ୍ଷ ରୋପଣ ହୋଇଥିଲା। ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଆନ୍ଧ୍ରପ୍ରଦେଶରୁ ୧୦ରୁ ୧୫ ଫୁଟ୍‌ ଉଚ୍ଚତାର ଗଛ ଅଣାଯିବା ପରେ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସେଗୁଡ଼ିକୁ ଲଗାଯାଇଥିଲା। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ), ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ଓ ଓଡ଼ିଶା ବନ ଉନ୍ନୟନ ନିଗମ(ଓଏଫ୍‌ଡିସି)ର ମିଳିତ ଉଦ୍ୟମରେ ‘ସବୁଜ ପାହାଡ଼’ ଅଭିଯାନରେ ଶିଖରଚଣ୍ଡୀ ପା‌ହାଡ଼କୁ ସବୁଜିମା କରିବାକୁ ରୂପରେଖ ପ୍ରସ୍ତୁତ ହୋଇଥିଲା। ନିୟମିତ ପାଣି ଦେବା ସହ ଗଛଗୁଡ଼ିକର ଯତ୍ନ ଓଏଫ୍‌ଡିସି କରିବ ବୋଲି ନିଷ୍ପତ୍ତି ହୋଇଥିଲା। ସେହି ଅନୁଯାୟୀ ପ୍ରଥମେ ପ୍ରଥମେ ଗଛଗୁଡ଼ିକର ରକ୍ଷଣାବେକ୍ଷଣ କରାଯାଉଥିଲେ ମଧ୍ୟ ଏବେ ଆଉ ତାହା ଦେଖିବାକୁ ମିଳୁନାହିଁ। ପାହାଡ଼ ଉପରେ ପାଣି ପାଇପ୍‌ ବିଛାଇବାକୁ କେତେକ ସ୍ଥାନରେ ଗଛଗୁଡ଼ିକୁ କାଟି ଦିଆଯାଇଛି। ପର୍ଯ୍ୟାୟକ୍ରମେ ୧୦ ହଜାର ଗଛ ଲଗାଯାଇଥିବା କୁହାଯାଉଥିଲେ ମଧ୍ୟ ସେଥିମଧ୍ୟରୁ ରାସ୍ତାପାର୍ଶ୍ବରେ ଲାଗିଥିବା ଗଛଗୁଡ଼ିକ ଆଉ ନାହିଁ। ପରିଣାମ ସ୍ବରୂପ ପାହାଡ଼ରେ ଲଗାଯାଇଥିବା ଗଛଗୁଡ଼ିକ ଶତପ୍ରତିଶତ ବଞ୍ଚିପାରି ନାହିଁ।

Advertisment

ଭୁବନେଶ୍ବରରେ ଏଭଳି ସ୍ଥିତି ହୋଇଥିବା ବେଳେ ଭୁବନେଶ୍ବର ବ୍ଲକ୍‌ ଅଞ୍ଚଳରେ ଓଏଫ୍‌ଡିସି ଶତ ପ୍ରତିଶତ ଗଛ ବଞ୍ଚାଇଥିବା ନେଇ ଗତ ବିଧାନସଭା ଅଧିବେଶନ ସମୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଏକ ଲିଖିତ ଉତ୍ତରରେ କହିଥିଲେ। ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ କହିଥିଲେ ଯେ ୨୦୧୯-୨୦ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ଭୁବନେଶ୍ବର ବ୍ଲକ୍‌ ଅଞ୍ଚଳରେ ଓଏଫ୍‌ଡିସି ଲଗାଇଥିବା ୭ହଜାର ୬୮୯ଟି ଗଛ ବଞ୍ଚିଛି। ପାଖାପାଖି ୨୧.୫୩ ହେକ୍ଟର ଅଞ୍ଚଳରେ ଲଗାଯାଇଥିବା ଏହି ଗଛଗୁଡ଼ିକ ମଧ୍ୟରୁ ଗୋଟିଏ ବି ନଷ୍ଟ ହୋଇନାହିଁ। ମନ୍ତ୍ରୀଙ୍କ ଏଭଳି ଉତ୍ତର ପରେ ପରିବେଶବିତ୍‌ମାନେ ଏହାର ତଦନ୍ତ କରିବାକୁ ଦାବି କରିଛନ୍ତି।

ପରିବେଶବିତ୍‌ ଜୟକୃଷ୍ଣ ପାଣିଗ୍ରାହୀ କହିଛନ୍ତି ଯେ ଶତପ୍ରତିଶତ ଗଛ ବଞ୍ଚିବା ଆଦୌ ଠିକ୍‌ ନୁହେଁ। କାରଣ ଓଏଫ୍‌ଡିସି ପ୍ରଚୁର ଟଙ୍କା ଖର୍ଚ୍ଚ କରି ଗଛ ଲଗାଉଛି ସତ। ଗଛଗୁଡ଼ିକର ସୁରକ୍ଷା ପାଇଁ ଟି-ଗାର୍ଡ ବି ଦେଉଛି। ମାତ୍ର ଗଛ ଲଗାଇ ପଳାଇ ଆସିବା ପରେ ଗଛ କଥା ବୁଝୁ ନାହିଁ। ପରବର୍ତ୍ତୀ ସମୟରେ ସେଗୁଡ଼ିକର ଯତ୍ନ ନିଆଯାଉ ନାହିଁ। ଅଧିକାଂଶ ସ୍ଥାନରେ ଟି-ଗାର୍ଡ ଭାଙ୍ଗି ଯାଉଛି। ନିୟମିତ ଭାବେ ପାଣି ଦିଆଯାଉ ନ ଥିବାରୁ ମଧ୍ୟ କିଛି ଗଛ ନଷ୍ଟ ହୋଇଯାଉଛି। ଅତିବେଶିରେ ୧୦୦ରୁ ୭୦% ଗଛ ବଞ୍ଚୁଥିବ ବୋଲି ସେ କହିଛନ୍ତି।

ଆହୁରି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ତଥ୍ୟ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଗତ ବିଧାନସଭା ଅଧିବେଶନରେ ଦେଇଛନ୍ତି। ଲିଖିତ ଉତ୍ତରରେ ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚନ୍ଦକା ବନଖଣ୍ଡ ପକ୍ଷରୁ ଭୁବନେଶ୍ବର ବ୍ଲକ୍‌ ଅଧୀନ ନୀଳାଦ୍ରିବିହାର ବୁଦ୍ଧ ଜୟନ୍ତୀ ପାର୍କର ୨.୫ ହେକ୍ଟର ଜମିରେ ପ୍ରାୟ ଏକ ହଜାର ଗଛ ଲଗାଯାଇଛି। ମାତ୍ର ବାସ୍ତବରେ ବୁଦ୍ଧ ଜୟନ୍ତୀ ପାର୍କ ଭୁବନେଶ୍ବର ମହାନଗର ନିଗମର ୧୪ ନମ୍ବର ଅଞ୍ଚଳରେ ଆସୁଛି। ବିଭାଗୀୟ ଅଧିକାରୀମାନେ କିଭଳି ଏଭଳି ମିଥ୍ୟ ତଥ୍ୟ ପ୍ରଦାନ କଲେ ତାହା ଏବେ ସନ୍ଦେହ ଘେରରେ। ବିଏମ୍‌ସି ଅଞ୍ଚଳରେ ଲଗାଇ ଭୁବନେଶ୍ବର ବ୍ଲକ୍‌ ଅଞ୍ଚଳ ବୋଲି ଦର୍ଶାଇବା ପଛର ଉଦ୍ଦେଶ୍ୟ କ’ଣ ବୋଲି ପରିବେଶବିତ୍‌ ପ୍ରଶ୍ନ ଉଠାଇଛନ୍ତି। ଅନୁରୂପ ଭାବେ ନଗର ବନଖଣ୍ଡ ପକ୍ଷରୁ ୨୦୨୦-୨୧ରେ ୩.୭୫ ହେକ୍ଟର ଅଞ୍ଚଳରେ ୧୬ ହଜାର, ୨୦୨୧-୨୨ରେ ୫୦ ହେକ୍ଟରରେ ୧୦ ହଜାର, ୨୦୨୨-୨୩ରେ ୪୦ ହେକ୍ଟର ଜମିରେ ୧୬ହଜାର, ୨୦୨୩-୨୪ରେ ୪୮.୭୫ ହେକ୍ଟର ଜମିରେ ୩୯ ହଜାର ଓ ୨୦୨୪-୨୫ରେ ୪୨.୨୮ ହେକ୍ଟର ଜମିରେ ୫୦ ହଜାର ଗଛ ଲଗାଯାଇଥିଲା। ନଗର ବନଖଣ୍ଡ ଓ ଚନ୍ଦକା ବନଖଣ୍ଡ ପକ୍ଷରୁ ଲଗାଯାଇଥିବା ଗଛଗୁଡ଼ିକ ମଧ୍ୟରୁ କେଉଁଠି ୭୪% ତ ଆଉ କେଉଁଠି ୮୭% ବଞ୍ଚିଛି। ଏଭଳି ସ୍ଥଳେ ଓଏଫ୍‌ଡିସି ଲଗାଇଥିବା ସମସ୍ତ ଗଛଗୁଡ଼ିକ କିଭଳି ବଞ୍ଚିଲା ବୋଲି ଏବେ ପ୍ରଶ୍ନ ଉଠିଛି।
ଏ ସମ୍ପର୍କରେ ଜାଣିବାକୁ ଓଏଫ୍‌ଡିସି ପରିଚାଳନା ନିର୍ଦ୍ଦେଶକ ପ୍ରେମ୍‌ କୁମାର ଝାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ।