ବାଲିଅନ୍ତା: ବାଳକାଟି ଫାଣ୍ଡି ଅଧୀନ ଶିଶିଲୋ ଛକ ନିକଟ ରାକେଶ ଜୁଏଲାରିରୁ ଗତକାଲି ଲୁଟ୍ ହୋଇଛି। ଗତ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଦୋକାନର କାନ୍ଥ ତାଡ଼ି ୩୦ ଗ୍ରାମ୍ ସୁନା ଓ ୨୫୦ ଗ୍ରାମ୍ର ରୁପା ଅଳଙ୍କାର ଲୁଟି ନେଇଛନ୍ତି। ଲୁଟ୍ ସୁନା ଅଳଙ୍କାର ମଧ୍ୟରେ ୨ହଳ କାନଫୁଲ, ଗୋଟିଏ ମଙ୍ଗଳସୂତ୍ର ଓ ଗୋଟିଏ ସୁନା ମୁଦି ସହ ଅନ୍ୟାନ୍ୟ ମୂଲ୍ୟବାନ୍ ଇମିଟେସନ୍ ସାମଗ୍ରୀ ରହିଛି। ଏହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏ ସଂପର୍କରେ ଦୋକାନୀ ରବିନାଥ ସାଠୁଆ ଆଜି ବାଳକାଟି ଫାଣ୍ଡିରେ ଅଭିଯୋଗ କରିଥିଲେ।
ଖବର ପାଇ ଫାଣ୍ଡି ଅଧିକାରୀ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ସନ୍ଧାନୀ କୁକୁର ଦୋକାନ ଭିତରୁ ଗହୀର ବିଲ ଦେଇ ଅଞ୍ଜିରା ଶାଖା କେନାଲ ଡେଇଁ ୧ କିମି ଦୂର ଅଞ୍ଜିରା ଗ୍ରାମ ପର୍ଯ୍ୟନ୍ତ ଶୁଙ୍ଘି ଶୁଙ୍ଘି ଯାଇଥିଲା। ଲୁଟେରାମାନେ ସେହି ବାଟ ଦେଇ ଫେରାର୍ ହୋଇଥିବା ଅନୁମାନ କରାଯାଉଛି। ରବିନାଥଙ୍କ ଅଭିଯୋଗକୁ ଭିତ୍ତି କରି ବାଲିଅନ୍ତା ଥାନାରେ ଏକ ମାମଲା ରୁଜୁ ହୋଇଛି। କିନ୍ତୁ ରିପୋର୍ଟ ଲେଖା ହେବା ବେଳକୁ ଲୁଟେରାଙ୍କ ପତ୍ତା ମିଳି ପାରିନାହିଁ।
ସୂଚନାନୁସାରେ, ରବିନାଥଙ୍କ ଶିଶିଲୋ ଛକରେ ଏକ ସୁନାରୁପା ମରାମତି ଅଳଙ୍କାର ଦୋକାନ ଅଛି। ଗତକାଲି ସେ ରାତି ପ୍ରାୟ ୯ଟାରେ ଦୋକାନ ବନ୍ଦ କରି ଘରକୁ ପଳାଇଥିଲେ। ହେଲେ ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଦୋକାନରେ କଳାକନା ବୁଲାଇ ଦେଇଥିଲେ। ଜୁଏଲାରି ଦୋକାନ ପଛ ପଟେ ଦୁଇଫୁଟ୍ ଲମ୍ବ ଏବଂ ଚଉଡ଼ାରେ କାନ୍ଥ ତାଡ଼ି ଦୋକାନ ଭିତରେ ପଶିଥିଲେ।