ବାଲିଅନ୍ତା: ପାଣି ପାଇପ୍‌ ବିଛାଇବା ପାଇଁ ବାଲିଅନ୍ତା ବ୍ଲକ୍‌ ଅଧୀନ ସରକଣା ଗାଁ ଦାଣ୍ଡ ରାସ୍ତା ଖୋଳାଯାଇଥିଲା। କିନ୍ତୁ  ପାଇପ ବିଛା ସରିଥିଲେ ମଧ୍ୟ ରାସ୍ତାକୁ ଢଳେଇ କରାଯାଇ  ନାହିଁ। ଗୋଟିଏ ପାର୍ଶ୍ବ ରାସ୍ତାର ୩ ଫୁଟ ଚଉଡ଼ାରେ ଢଳେଇ ତାଡ଼ି ଦିଆଯାଇଥିଲା। ହେଲେ ଢଳେଇ କରାଯାଉ ନ ଥିବାରୁ ରାସ୍ତା ଖାଲ ହୋଇଯାଇଛି। ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିବା ଯୋଗୁ ଗାଡ଼ିମଟର ଅତିକ୍ରମ କରିବା ସମୟରେ ଦୁର୍ଘଟଣା ଘଟୁଛି।

Advertisment

ବର୍ଷା ହେଲେ ଖାଲ ଭିତରେ ପାଣି ଜମି ରହିବା ଦ୍ବାରା ବାଟ ଜାଣି ହେଉ ନାହିଁ। ଏ ନେଇ ଗ୍ରାମ ଜଳ ଯୋଗାଣ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକଣା ଗ୍ରାମ ପଞ୍ଚାୟତ ସରପଞ୍ଚ ବିଷ୍ଣୁପ୍ରିୟା ସାହୁଙ୍କ ନିକଟରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ଫଳ ମିଳୁ ନାହିଁ।  ଖବର ନେବାରେ ଜଣାପଡ଼ିଛି ଯେ ସରକଣା ମହାବୀର ମନ୍ଦିରଠାରୁ ସରକଣା ବଜାର ସାହି ପର୍ଯ୍ୟନ୍ତ ଗାଁ ଦାଣ୍ଡ ରାସ୍ତା କଂକ୍ରିଟ୍‌କୁ ମେଗା ପ୍ରକଳ୍ପ ସଂପୃକ୍ତ ଠିକାସଂସ୍ଥା ୩ ଫୁଟ ଗଭୀର ଓ ୩ ଫୁଟ ଓସାରରେ ତାଡ଼ି ଦେଇଥିଲା। ସେଥିରେ ପାଇପ ଲାଇନ ବିଛା ସରିଛି। ହେଲେ ଖୋଳାହୋଇ ପଡ଼ିଥିବା ରାସ୍ତା ଏଯାଏ ଢଳେଇ କରାଯାଉ ନାହିଁ। ଏନେଇ ସା‌ଧାରଣରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି।