ଖଣ୍ଡଗିରି: ଆଜି ଅପରାହ୍ନରେ ଖଣ୍ଡଗିରି ଥାନାରେ ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ମା’ଟିଏ ନିଜର ୬ଦିନର ମଲାଛୁଆକୁ ଧରି ବାହୁନି ବାହୁନି କାନ୍ଦୁଥିଲା। ସ୍ବାମୀଙ୍କ ଅବହେଳା ଓ ନିର୍ଯାତନା ଯୋଗୁ ଛୁଆଟି ପ୍ରାଣ ହରାଇଛି ବୋଲି ଥାନାରେ ଅଭିଯୋଗ ହୋଇଛି। ଛୁଆଟି ୭ମାସରୁ କମ୍ ସମୟରେ ଜନ୍ମ ହୋଇଥିବା ବେଳେ ତା’ର ସ୍ବାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ରହିଥିଲା। ମାତ୍ର ବାପା ସ୍ବାସ୍ଥ୍ୟଥ କାର୍ଡ ନଦେବାରୁ ଟଙ୍କା ଅଭାବରୁ ଛୁଆର ମୃତ୍ୟୁ ହୋଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏନେଇ ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଭିତ୍ତିରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଯୋଗ ମୁତାବକ, ପୁରୀ ବାଲିସାହି ଅଞ୍ଚଳର ଏହି ମହିଳାଜଣକ ଡୁମୁଡୁମା ଦୁର୍ଗାମଣ୍ଡପ ନିକଟରେ ରହୁଥିବା ନୟାଗଡ଼ କିଆଝର ଗ୍ରାମର ଗଙ୍ଗାଧର ନାଏକଙ୍କୁ ବିବାହ କରିଥିଲେ।
ସ୍ବାସ୍ଥ୍ୟ କାର୍ଡ ଦେଲାନି ନିର୍ଦ୍ଦୟ ବାପା
ଚିକିତ୍ସା ଅଭାବରୁ ମରିଗଲା ୬ଦିନର ଶିଶୁ ପୁଅ
ବିବାହ ସମୟରେ ମହିଳାଙ୍କ ଘରଲୋକ ଦାବି ମୁତାବକ ଯୌତୁକ ଦେଇଥିଲେ। ମାତ୍ର ଆଉ ୨ଲକ୍ଷ ଟଙ୍କା ଆଣିବା ପାଇଁ ସଂପୃକ୍ତ ମହିଳାଙ୍କ ଉପରେ ଶାଶୂଘର ଲୋକ ଚାପ ପକାଇବା ସହିତ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏପରିକି ଗର୍ଭପାତ କରିବାକୁ ଔଷଧ ମଧ୍ୟ ଦେଇଥିଲେ। ଏଥିରେ ପୀଡ଼ିତା ଅତିଷ୍ଠ ହୋଇ ବାପଘରକୁ ଚାଲି ଆସିଥିଲେ। ଯୌତୁକ ଟଙ୍କା ଦେବାରେ ଅକ୍ଷମତା ପ୍ରକାଶ କରି ପୀଡ଼ିତାଙ୍କ ମା’ ମହିଳା କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ଛଅ ଦିନ ତଳେ ପୀଡ଼ିତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ। ସାତମାସରୁ କମ୍ ସମୟରେ ପିଲାଟି ଜନ୍ମ ହୋଇଥିବାରୁ ତା’ର ସ୍ବାସ୍ଥ୍ୟାବସ୍ଥା ଅତି ସଂକଟାପନ୍ନ ରହିଥିଲା। ଏକ ଘରୋଇ ମେଡିକାଲରେ ତା’ର ଚିକତ୍ସା ଚାଲିଥିଲା। ମାତ୍ର ଟଙ୍କା ଶେଷ ହୋଇଯିବାରୁ ଚିକିତ୍ସାରେ ବାଧା ଉପଜିଥିଲା। ପୀଡ଼ିତାଙ୍କର ବିଜୁ ସ୍ବାସ୍ଥ୍ୟ କାର୍ଡ ଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପରିବାର ଲୋକ ଅବଗତ କରିଥିଲେ। ଛୁଆର ବାପାଙ୍କ ଫିଙ୍ଗର ପ୍ରିଣ୍ଟ ଓ ଦସ୍ତଖତ ଦେଲେ ଚିକିତ୍ସା ହୋଇପାରିବା ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ।
ଏନେଇ ପୀଡ଼ିତା ନିଜ ସ୍ବାମୀ ଗଙ୍ଗାଧରଙ୍କୁ ବିଜୁ ସ୍ବାସ୍ଥ୍ୟ କାର୍ଡ ମାଗିବା ସହିତ ହସ୍ପିଟାଲ୍କୁ ଆସିବାକୁ କହିଥିଲେ। ମାତ୍ର ଗଙ୍ଗାଧର ଫୋନ୍ରେ ସ୍ତ୍ରୀକୁ ଗାଳିଗୁଲଜ କରିବା ସହିତ ମହିଳା କମିସନରୁ ମାମଲା ଉଠାଇନେବାକୁ ସର୍ତ୍ତ ରଖିଥିଲେ। ପୀଡ଼ିତା ଏହି ସର୍ତ୍ତରେ ରାଜି ମଧ୍ୟ ହୋଇଥିଲେ। ତେବେ ଏହା ପରଠାରୁ ଗଙ୍ଗାଧର ନିଜ ମୋବାଇଲ୍ ସ୍ବିଚ୍ ଅଫ୍ କରିଦେଇଥିଲେ। ଗଙ୍ଗାଧରଙ୍କ ପରିବାର ଲୋକ ମଧ୍ୟ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଫଳରେ ଚିକତ୍ସା ଅଭାବରୁ ଆଜି ସକାଳେ ଶିଶୁପୁତ୍ରଟିର ମୃତ୍ୟୁ ଘଟିଥିଲା। ଏହା ପରେ ମଲାପୁଅକୁ ସାଙ୍ଗରେ ଆଣି ପୀଡ଼ିତା ଓ ତାଙ୍କ ମାଆ ଖଣ୍ଡଗିରି ଥାନା ଅଭିଯୋଗ କରିଥିଲେ।